
ସମ୍ବଲପୁର : ପ୍ରଥମ ଦେଖାରୁ ଭଲ ପାଇବାର ଅଭିନୟ କରି ଛତିଗଡ଼ର ଜଣେ ଯୁବକ ସମ୍ବଲପୁର ମୁଦିପଡ଼ା ଅଂଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିବା ବେଳେ ଏବେ ଧୋକା ଦେଇଛନ୍ତି। କେବଳ ସେତିକି ନୁହେଁ, ଅନ୍ତରଂଗ ମୁହୂର୍ତ୍ତର ଫଟୋ ପୀଡ଼ିତାଙ୍କ ସଂପର୍କୀୟମାନଙ୍କ ପାଖକୁ ପଠାଇ ଥାନାକୁ ଗଲେ ଭାଇରାଲ କରିଦେବାର ଧମକ୍ ଦେଇଛନ୍ତି। ଏପଟେ ଥାନାରେ ଅଭିଯୋଗ କରାଯିବା ପରେ ବି ଅଭିଯୁକ୍ତ ଜିତେଶ ଭୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଥିବାରୁ ପୀଡ଼ିତା ବିଚଳିତ ହୋଇ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ପ୍ରେମ ବିବାହ… ପରେ ଧୋକା
ସମ୍ବଲପୁର ନିବାସୀ ସଂପୃକ୍ତ ଯୁବତୀ ନିଜ ମାମୁ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ଡୁମେରପାଲି ଥାନା ବାରିକପଡ଼ାର ଜିତେଶ ଭୋଇ(୨୩)ଙ୍କ ସହିତ ଦେଖା ହୋଇଥିଲା। ଜିତେଶ ପ୍ରଥମେ ବହୁତ ଭଲ ପାଉଥିବା କହି ପୀଡ଼ିତାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ସଂପାଦକ ଭାବେ କାର୍ଯ୍ୟ କରୁଥିବା କହିଥିଲା। ଜିତେଶର ମିଠା କଥାରେ ପଡ଼ି ଯୁବତୀ ଜଣକ ବିବାହ କରିବା ପାଇଁ ରାଜି ହୋଇଥିଲେ। ଗତ ୨୬ ଜୁନ୍ ୨୦୨୦ରେ ମୁଦିପଡ଼ା ଶିବ ମନ୍ଦିରରେ ସେମାନଙ୍କ ବିବାହ ସଂପନ୍ନ ହୋଇଥିଲା। କରୋନା କଟକଣା ପାଇଁ ଯାତାୟାତରେ ଅସୁବିଧା ହେବା ଦର୍ଶାଇ ସେଠାରେ ଘରଭଡ଼ା ନେଇ ରହିବା ପାଇଁ ଜିତେଶ୍ର ବାପା ସେତେବେଳେ ପରାମର୍ଶ ଦେଇଥିଲେ। କଟକଣା କୋହଳ ହେବା ପରେ ଦୁହେଁ ଡୁମେରପାଲିକୁ ଯାଇଥିଲେ। ମାତ୍ର ସେଠାରେ ଶାଶୁ ତାଙ୍କୁ ଯୌତୁକ ବାବଦକୁ ବାପଘରୁ ୩ ଲକ୍ଷ ଟଙ୍କା ଆଣିବା ପାଇଁ କହିଥିଲେ। ଜିତେଶର ମାମୁ କିନ୍ତୁ ପୀଡ଼ିତାଙ୍କୁ ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲେ। ‘ତୁମେ ସୁନ୍ଦର ଅଛ। ଆସ, ଆମେ ମିଶିକି କାମ କରିବା’ ବୋଲି କହିଥିଲେ। ପୀଡ଼ିତା ଏହି ପ୍ରସ୍ତାବରେ ରାଜି ନହେବାରୁ ଭଣଜା ସହିତ ରଖେଇ ଦେବିନି ବୋଲି ଧମକ୍ ଦେଇଥିଲେ। କେବଳ ସେତିକି ନୁହେଁ ‘ଭଣଜା ସହିତ ୭ ମାସ ରହିଲୁ, ଏଥିପାଇଁ ୨ ଲକ୍ଷ ଟଙ୍କା ନେଇ ଚୁପ୍ ରୁହ। ମୋ ହାତରେ ନେତା ମନ୍ତ୍ରୀ ସବୁ ଅଛନ୍ତି। ତୁ ଆମର କିଛି କରିପାରିବୁନି’ ବୋଲି ଧମକ୍ ଦେବାକୁ ପଛାଇନଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପୁଡ଼ିଆ ଆଣିବାକୁ ଯାଇ ଫେରାର
ପୀଡ଼ିତା ଜଣକ ଜିତେଶ୍ର ମାମୁ ଦେଇଥିବା ପ୍ରସ୍ତାବରେ ରାଜି ନହେବାରୁ ତାଙ୍କ ପ୍ରତି ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଗତ ୨୩ ଜାନୁଆରି ଦିନ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଜିତେଶକୁ ନେଇ ପୀଡ଼ିତା ସମ୍ବଲପୁର ଆସିଥିଲେ। ୨୬ ଜାନୁଆରି ସନ୍ଧ୍ୟା ୫ଟା ସମୟରେ ପୁଡ଼ିଆ ଆଣିବା ବାହାନା କରି ଜିତେଶ କିନ୍ତୁ ମୁଦିପଡ଼ାରୁ ଫେରାର୍ ହୋଇଯାଇଥିଲା। ଯିବା ବେଳେ ପୀଡ଼ିତାଙ୍କ ମୋବାଇଲ୍ ଫୋନ୍, ଏଟିଏମ୍ କାର୍ଡ, ପାନ୍ କାର୍ଡ, ୩ଟି ସୁନା ମୁଦି, ଗୋଟିଏ ସୁନା ହାର ଓ କାନଫୁଲ ସହିତ ଅନ୍ୟ ଅଳଙ୍କାର ବି ନେଇ ଚାଲିଯାଇଥିଲା। ଏ ନେଇ ମହିଳା ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ ଆଇପିସିର ଧାରା ୪୯୮(ଏ), ୨୯୪, ୫୦୬, ଏବଂ ଡିପି ଆକ୍ଟର ଧାରା ୪ ଅନୁସାରେ ଏକ ମାମଲା ରୁଜୁ କରିଛି। ମାମଲା ରୁଜୁ ହୋଇଥିଲେହେଁ କାର୍ଯ୍ୟାନୁଷ୍ଠାନ ନିଆଯିବାରେ ବିଳମ୍ବ ହେବାରୁ ପୀଡ଼ିତା ରାୟଗଡ଼ ଯାଇ ଘଟଣା ସଂକ୍ରାନ୍ତରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୁଲିସ ପୀଡ଼ିତାଙ୍କ ଏତଲା ରଖିନଥିଲା। ପାଲଟା ଧମକଚମକ ଦେଇ ସମ୍ବଲପୁର ପଠାଇ ଦେଇଥିଲା।
ଅନ୍ତରଂଗ ମୁହୂର୍ତ୍ତର ଫଟୋ ପଠାଇ ବ୍ଲାକ୍ମେଲିଂ
ଥାନାର ଦ୍ବାରସ୍ଥ ହୋଇଥିବା ଜାଣିବା ପରେ ଜିତେଶ୍ ପୀଡ଼ିତାଙ୍କ ସଂପର୍କୀୟମାନଙ୍କ ପାଖକୁ ସେମାନଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ ପଠାଇ ଥାନାକୁ ଆସି ଆଉ ଅଭିଯୋଗ କଲେ ଫଟୋ ସବୁ ଭାଇରାଲ କରିଦେବାକୁ ଧକମ୍ ଦେଇଥିବା ଜଣାପଡ଼ିଛି। ପୀଡ଼ିତା ଏ ସଂପର୍କରେ ଅବଗତ ହେବା ପରେ ଆଜି ବିଚଳିତ ହୋଇପଡ଼ିଥିଲେ। ଗୋଟିଏ ପଟେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅନ୍ୟପଟେ ଅଭିଯୁକ୍ତ ଫଟୋଗୁଡ଼ିକ ଭାଇରାଲ କରିବାର ଚେତାବନୀ ଦେବାରୁ ସେ ଆତ୍ମହତ୍ୟା କରିବା ଭଳି କଠୋର ପଦେକ୍ଷପ ନେବାକୁ ନିଷ୍ପତ୍ତି ନେଇଥିଲେ। ଆଜି ପୂର୍ବାହ୍ନ ୧୦ଟାରେ ଘରେ ଥିବା ଫିନାଇଲ୍ ପିଇ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥଲେ। ପୀଡ଼ିତା ମହିଳା ଥାନାରେ ପୂର୍ବରୁ ଜିତେଶ ବିରୋଧର ଏତଲା ଦେଇଥିବାରୁ ଆଜି ସେ ଆତ୍ମହତ୍ୟା ଉଦ୍ୟମ କରିବାରୁ ପରିବାର ଲୋକେ ସଂଗେ ସଂଗେ ମହିଳା ଥାନାକୁ ଫୋନ୍ କରି ଜଣାଇଲେ। କିନ୍ତୁ, ସନ୍ଧ୍ୟା ସୁଦ୍ଧା ଡାକ୍ତରଖାନାକୁ ମହିଳା ଥାନାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ପହଂଚି ନଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ମହିଳା ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଅଭିଯୁକ୍ତ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବାରୁ ସେଠାକୁ ଯିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଉପରିସ୍ଥ ଅଧିକାରୀଙ୍କଠାରୁ ଏ ସଂକ୍ରାନ୍ତରେ ଅନୁମତି ମଗାଯାଇଛି। ଆଜି ଅନ୍ୟ ଏକ ମାମଲାରେ ସମସ୍ତେ ବ୍ୟସ୍ତ ଥିବାରୁ ବୟାନ ନେବା ପାଇଁ ଡାକ୍ତରଖାନାକୁ କେହି ଯାଇପାରିନଥିଲେ। ‘ସଖୀ’ କେନ୍ଦ୍ରର କର୍ମଚରୀମାନଙ୍କୁ ଏ ଦିଗରେ ବୁଝାବୁଝା କରିବା ପାଇଁ କହିଥିବା ଥାନା ଅଧିକାରୀ କହିଛନ୍ତି।
The post ଲଭ୍, ସେକ୍ସ, ଧୋକା.... : ପ୍ରତାରିତ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ first appeared on Sambad.
from ଜିଲ୍ଲା – Sambad https://ift.tt/3b1edqU
0 Comments