‘ନାୟକ ସାର୍‌ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’
ସେନାରେ ଭର୍ତ୍ତି ପାଇଁ ମାଗଣାରେ ତାଲିମ୍‌ ଦେଉଛନ୍ତି

ନାଉଗାଁ : ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ର ମହାଗୁରୁ ବାଟାଲଅନ୍‌ର ଯୁବକ ସିଲୁ ନାୟକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ଚାକିରି ଛାଡ଼ି ସେନାରେ ଭର୍ତ୍ତି ପାଇଁ ୨୮ ବର୍ଷୀୟ ଯୁବକ ସିଲୁ ଚାକିରି ଆଶାୟୀ ଯୁବକଙ୍କୁ ମାଗଣାରେ ତାଲିମ୍‌ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ନିଃସ୍ବାର୍ଥପର ମଣିଷ ବୋଲି ଅଭିହିତ କରିବା ସହିତ ‘ନାୟକ ସାର୍‌ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’ ବୋଲି ମଧ୍ୟ ଶୁଭକାମନା ଜଣାଇଛନ୍ତି।

୨୦୧୬ ମସିହାରେ ସିଲୁ ଶିକ୍ଷିତ ବେକାର ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଓ ପୁଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା କରିଥିଲେ ‘ମହାବୀର ବାଟାଲି୍ଅନ୍‌’। ଅାଖପାଖ ଗ୍ରାମର ବେକାର ଶିକ୍ଷିତ ଯୁବକମାନଙ୍କୁ ସେନାବାହିନୀର ଶାରୀରିକ ପରୀକ୍ଷାରେ ଯୋଗ୍ୟ କରିବା ଉଦ୍ଦେଶ୍ୟରେ ସେବେଠାରୁ ତାଲିମ୍‌ ଦେଇଆସୁଛନ୍ତି। ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନାହାନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ‌ହେଉଛି, ବର୍ତ୍ତମାନ ସୁଦ୍ଧା ଏହି ଅନୁଷ୍ଠାନରୁ ପ୍ରାୟ ୭୦ରୁ ଅଧିକ ଯୁବକ ସେନା, ପୁଲିସ୍‌ ବିଭାଗରେ ଯୋଗଦେଇ ସାରିଲେଣି । ତାଙ୍କର ଏହି ନିଃସ୍ବାର୍ଥପର ସେବା ନାଉଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଗତ ଜାନୁଆରି ୨୦ତାରିଖରେ ‘ସମ୍ବାଦ’ରେ ହିଁ ପ୍ରଥମ ଏ ନେଇ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଆଜି ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ପରେ ସିଲୁ ପ୍ରତିକ୍ରିୟାରେ କହିଛନ୍ତି, ‘ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଓ ନିଃସ୍ବାର୍ଥପର ସେବା କରି ଦେଶ ପାଇଁ କିଛି କରିବା ସଂକଳ୍ପ ନେଇଛି। ମୋ ପରିଶ୍ରମ ଫଳ ନଶ୍ଚେ ମିଳିବ। ଏହି ବାଟାଲିଅନ୍‌ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ଆବଶ୍ୟକ। ମୋତେ ସେ ଦିଗରେ ସାହଯ୍ୟ ସହଯୋଗ ମିଳିଲେ ଆଗାମୀ ଦିନରେ ଅନେକ ଯୁବକ ପ୍ରଶିକ୍ଷଣ ପାଇ ସାମରିକବାହିନୀରେ ସାମିଲ ହେବାକୁ ସମର୍ଥ ହୋଇପାରିବି।’

ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ଖବର ପ୍ରଚାରିତ ହେବା ପରେ ନାଉଗାଁ ସମେତ ଜିଲ୍ଲାବ୍ୟାପୀ ତାଙ୍କୁ ଶୁଭେଚ୍ଛା ମିଳୁଛି। ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ତଥା ବିଜେପିର ବରିଷ୍ଠ ନେତା ପ୍ରତାପ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ରୋହିଆସ୍ଥିତ ମହାଗୁରୁ ବାଟାଲିଅନରେ ପହଞ୍ଚି ସିଲୁ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରତିନିଧିଦଳରେ ସଞ୍ଜୟ ମହାନ୍ତି, ମୋହିତ ମହାନ୍ତି, ଶିବବ୍ରତ ଦାସ, ନିରୂପମା ସ୍ବାଇଁ, ନୃସିଂହ ସାହୁ, ସାରଦା ଅଚାର୍ଯ୍ୟ ପ୍ରମୁଖ ଭାରତୀୟ ଜନତା ପାର୍ଟିର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

The post ‘ ମନ୍‌ କି ବାତ୍‌’ରେ ନାଉଗାଁର ସିଲୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା first appeared on Sambad.



from ଜିଲ୍ଲା – Sambad https://ift.tt/37YPovg