ମହାକାଳପଡା: ଓଡିଶା ଜୀବିକା ମିଶନ କାର୍ଯ୍ୟକାରୀ ହେବା ପରେ ଅନେକ ମହିଳା ଘରର ଚାରିକାନ୍ଥ ଭିତରୁ ବାହାରି ସ୍ବାବଲମ୍ବନଶୀଳ ହୋଇ ପାରିଛନ୍ତି। ଏଭଳି ଜଣେ ମହିଳା ହେଉଛନ୍ତି ମହାକାଳପଡା ବ୍ଲକ ବଉଳକଣୀ ପଞ୍ଚାୟତ ପ୍ରଭାକରପୁର ଗ୍ରାମର ଲକ୍ଷ୍ମୀ ରାଉତ (୪୨)। ଦିନେ ରୋଷେଇବାସ କରି ପରିବାର ସଦସ୍ୟମାନଙ୍କୁ ଖାଦ୍ୟ ପରସିବାରେ ତାଙ୍କର ଭୂମିକା ଥିଲା ସୀମିତ। ସ୍ବାମୀଙ୍କ ସ୍ବଳ୍ପ ରୋଜଗାର ଯୋଗୁଁ ପରିବାର ଆର୍ଥିକ ଅନାଟନ ଦେଇ ଗତି କରୁଥିବା ବେଳେ ଲକ୍ଷ୍ମୀ ସ୍ବାବଲମ୍ବନଶୀଳ ହେବାକୁ ମନସ୍ଥ ହୋଇଥିଲେ।
ଗ୍ରାମର ମହିଳାମାନଙ୍କୁ ଏକାଠି କରି ‘ହୃଦୟ ସ୍ବୟଂ ସହାୟିକା ଗୋଷ୍ଠୀ’ ପ୍ରତିଷ୍ଠା କରିଥିଲେ। ପରେ ମହାକାଳପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ମିଶନ ଶକ୍ତି ସଂଯୋଜିକାଙ୍କୁ ଭେଟିବା ସହିତ ସେ କିପରି ସ୍ବାବଲମ୍ବୀ ହୋଇ ପାରିବେ ପରାମର୍ଶ ମାଗିଥିଲେ। ପରବର୍ତ୍ତୀ ଅବସ୍ଥାରେ ଓଡିଶା ଜୀବିକା ମିଶନର ଆର୍ଥିକ ସହାୟତାରେ ମହାସଂଘ ମାଧ୍ୟମରେ ଋଣ ଆଣି ଛପାଲିଗଡା ଠାରେ ଏକ ଛୋଟ ପାନ ଦୋକାନ କରିଥିଲେ। ସମୟ କ୍ରମେ ମହିଳାଙ୍କ ଦ୍ବାରା ବ୍ୟବହୃତ ପ୍ରସାଧନ ସାମଗ୍ରୀ ବିକ୍ରୟ ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଆଣିଥିବା ଋଣ ଅଢେଇ ଲକ୍ଷ ଟଙ୍କା ମଧ୍ୟରୁ ୨ ଲକ୍ଷ ୩୦ ହଜାର ଟଙ୍କା ଋଣ ପରିଶୋଧ କରି ସାରିଲେଣି। ଦୋକାନ ତାଙ୍କ ପରିବାରର ମୁଖ୍ୟ ରୋଜଗାରର ଉତ୍ସ।
ଦୋକାନରୁ ଲବ୍ଧ ଆୟରେ ସେ ପରିବାର ପ୍ରତିପୋଷଣ କରିବା ସହିତ ଦୁଇ ଝିଅ ଓ ଗୋଟିଏ ପୁଅକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବାରେ ସମର୍ଥ ହୋଇ ପାରିଛନ୍ତି। କେବଳ ସେତିକି ନୁହେଁ ସ୍ଥାନୀୟ ଅଂଚଳରେ ସେ ଅନ୍ୟାନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହି ଦୋକାନରୁ ସେ ମାସିକ ୧୨ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ବୋଲି ଲକ୍ଷ୍ମୀ ପ୍ରକାଶ କହିଛନ୍ତି।
The post ସ୍ବାବଲମ୍ବିନୀ ସଙ୍ଗୀତା; ଶତାଧିକ ମହିଳାଙ୍କୁ ଦେଇଛନ୍ତି ରୋଜଗାର first appeared on Sambad.
from ଜିଲ୍ଲା – Sambad https://ift.tt/2O6fntD
0 Comments