ଡମପଡ଼ା: କଟକ ଜିଲ୍ଲାର ବାଙ୍କୀ-ଡମପଡ଼ା ବ୍ଲକ୍‌ ଅଧୀନ ରଗଡ଼ି ପଞ୍ଚାୟତ କୋଟଦ୍ୱାର ମୌଜାରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ  ଘଟି ପ୍ରାୟ ୧୩ ଏକର ଗଜା ଆଖୁ ଫସଲ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଙ୍କୀରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ ୮ଜଣ ଚାଷୀଙ୍କ ଆଖୁ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଅଚାନକ କୋଟଦ୍ବାର ଗ୍ରାମ ନିକଟ ଆଖୁ ବିଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଜଣାପଡ଼ିବା ପରେ ଗ୍ରାମବାସୀ ଓ ଚାଷୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହିତ ବାହିନୀ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ପ୍ରାୟ ୨ଘଣ୍ଟା ଆପ୍ରାଣ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରେମାନନ୍ଦ ଦଳେଇ, ବିଚିତ୍ର ବିଶ୍ୱାଳ, ରାଜେନ୍ଦ୍ର ବିଶ୍ୱାଳ, ବାବାଜୀ ଦେଉରୀ ଓ ଶ୍ୟାମସୁନ୍ଦର ରଣାଙ୍କ ୨ ଏକର ଲେଖାଏଁ ଏବଂ ପବିତ୍ର ବିଶ୍ୱାଳ, ଗାଙ୍ଗୁଆ ଦେଉରୀ ଓ ଧରଣୀଧର ବିଶ୍ୱାଳ ୧ ଏକର ଲେଖାଏଁ ମୋଟ ୧୩ ଏକର ଜମିରେ ଗଜା ଆଖୁ ନଷ୍ଟ ହୋଇଯାଇଥିବା ବାଙ୍କୀ ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ କୁମାର ଓଝା ସୂଚନା ଦେଇଛନ୍ତି।

ଅଗ୍ନିଶମ ବିଭାଗ ହାବିଲଦାର ଅଭିରାମ ପଣ୍ଡା, ଜିତେନ୍ଦ୍ର ପ୍ରଧାନ, ସତ୍ୟବ୍ରତ ସ୍ୱାଇଁ, ସୌମ୍ୟରଂଜନ ପଣ୍ଡା, ସରୋଜ କୁମାର ସାମଲ, ବିଭା ହାଁସଦା, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅପରପକ୍ଷରେ ଅଗ୍ନିକାଣ୍ଡ ଯୋଗୁଁ ବିପନ୍ନ ଚାଷୀମାନେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଆଖୁ କିଆରି ଜଳି ଯିବା ପରେ ସେମାନେ ପରିବାର କିପରି ଭରଣପୋଷଣ କରିବେ ଏବଂ ମହାଜନଙ୍କ କରଜ କିଭଳି ସୁଝିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।

The post ରଗଡ଼ି କୋଟଦ୍ବାର ମୌଜାରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୩ ଏକର ଗଜା ଆଖୁ ବିଲ first appeared on Sambad.



from ଜିଲ୍ଲା – Sambad https://ift.tt/3uDDocg