
ରାଜକନିକା: ଜଣେ ଅସହାୟ ମହିଳାଙ୍କ ଘରେ ପଶି ଦୁର୍ବବ୍ୟହାର କରିବା, ମାଡ଼ ମାରିବା ଓ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ ନ କରି ସୁରକ୍ଷା ଦେବା ଅଭିଯୋଗ ଆଣି ମହିଳା ଜଣକ ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ତା’ ପରେ ବି ନ୍ୟାୟ ନ ମିଳିବାରୁ ଆଜି ମହିଳା ଜଣକ ରାଜକନିକା ଥାନା ଆଗରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ସମୟରେ ଥାନା କର୍ମଚାରୀମାନେ ତାଙ୍କୁ କାବୁ କରି ନିଆଁ ଲିଭାଇବା ସହ ଦିଆସିଲି ଓ କିରାସିନି ବୋତଲ ଛଡ଼ାଇ ନେଇଥିଲେ। ଏଭଳି ଏକ ଘଟଣା ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ସୁରେନ୍ଦ୍ର ସାହାଣୀଙ୍କ ପତ୍ନୀ ମାନିନୀ ଗତ ୯ ତାରିଖ ରାତିରେ ଘରେ ଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ସେହି ଗ୍ରାମର ଧନୁର୍ଜ୍ଜୟ ନାୟକ ଓ ମହିଳାଙ୍କ ଦିଅର ଅମରେନ୍ଦ୍ର ସାହାଣୀ ଘର ଭିତରେ ଜୋର ଜବରଦସ୍ତ ପଶି ଅସଦାଚରଣ କରିବା ସହ ତାଙ୍କୁ ମାଡ଼ ମାରିଥିଲେ।
ସେମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏ ନେଇ ୧୦ ତାରିଖ ସକାଳେ ମାନିନୀ କଣ୍ତିଆ ଫାଣ୍ତିରେ ଅଭିଯୋଗ କରିଥିଲେ। ହେଲେ ଫାଣ୍ତି ଅଧିକାରୀ ତାଙ୍କ କଥା ଶୁଣାଯିବ ନାହିଁ କହି ରୋକ୍ଠୋକ୍ ମନା କରି ରାଜକନିକା ଥାନାକୁ ପଠାଇ ଦେଇଥିଲେ। ମହିଳାଜଣକ ୨୦ କି.ମି. ଦୂର ରାଜକନିକା ଥାନାକୁ ଯାଇ ଅଭିଯୋଗ କରିବା ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଫଳରେ ସେ ୨୨ ତାରିଖ ଦିନ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆତ୍ମାହତ୍ୟା କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ। ଘଟଣା ଘଟିବାର ୨୨ ଦିନ ପରେ ବି ପୁଲିସ ପ୍ରଶାସନ ଅଭିଯୁକ୍ତଙ୍କୁ ଥାନାକୁ ଡକାଇବା ପରିବର୍ତ୍ତେ ବାରମ୍ବାର ମହିଳାଙ୍କୁ ଥାନାକୁ ଡାକି ନିରାଶ କରି ଫେରାଇ ଦେଇଥିଲା। ଏଭଳି ସ୍ଥିତିରେ ଅନ୍ୟ ଉପାୟ ନ ପାଇ ଦେହରେ କିରାସିନି ଢାଳି ମହିଳା ଜଣକ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିବା କହିଛନ୍ତି। ଅନ୍ୟପଟେ କିନ୍ତୁ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ରାଜକନିକା ଥାନା ଅଧିକାରୀ ସଂଜୀବ୍ କୁମାର ରଣଭଇଁସା କହିଛନ୍ତି। ଅଭିଯୋଗର ତଦନ୍ତ କରି ତୁରନ୍ତ ମହିଳାଙ୍କୁ ନ୍ୟାୟ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
The post ପୁଲିସ ନ ଶୁଣିବା ପ୍ରତିବାଦରେ ଚରମ ପଦକ୍ଷେପ; ଥାନା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ first appeared on Sambad.
from ଜିଲ୍ଲା – Sambad https://ift.tt/2YFVKuo
0 Comments