
ରାଉରକେଲା: ଆର୍ଏସ୍ପିରେ ଦୁର୍ଘଟଣାର ଶିକାର ହୋଇ ସାନଭାଇର ଅକାଳ ବିୟୋଗ ଘଟିଲା। ଆର୍ଏସ୍ପି କର୍ତୃପକ୍ଷ କିମ୍ବା ଠିକା ସଂସ୍ଥା କେହି ଧରାଛୁଆଁ ଦେଲେନି। ଉପଯୁକ୍ତ କ୍ଷତିପୂରଣ ଦିଆଯାଉନଥିବାରୁ ୯ ଦିନ ହେଲା ଶବ ମର୍ଗ ହାଉସ୍ରେ ପଡ଼ିରହିଛି। ସାନଭାଇ ହିଁ ପରିବାରର ଏକମାତ୍ର ଆୟର ମାଧ୍ୟମ ଥିଲେ। ସେ ଯାହା ଆୟ କରୁଥିଲେ, ସେଥିରେ ପରିବାର ସଦସ୍ୟ ବଞ୍ଚୁଥିଲେ। ଏଣୁ ହଠାତ୍ ମୃତ୍ୟୁ ସମସ୍ତଙ୍କୁ ମାନସିକଭାବେ ବେଶ୍ ଦୁର୍ବଳ କରିଦେଇଥିଲା। ବଡ଼ଭାଇ ଘୋର ଆର୍ଥିକ ଦୁଶ୍ଚିନ୍ତା ଭିତରକୁ ଠେଲି ହୋଇଯାଇଥିଲେ। ସାନଭାଇର ମୃତ୍ୟୁ ଖବର ଶୁଣିବା ଦିନଠାରୁ ଠିକ୍ଭାବେ ଖିଆପିଆ କରୁନଥିଲେ। ସବୁବେଳେ ସାନଭାଇକୁ ଝୁରୁଥିଲେ। ଘରେ ବସି ଦିନରାତି କାନ୍ଦୁଥିଲେ। ଏସବୁ ଭିତରେ ଗତକାଲି ହଠାତ୍ ବଡ଼ଭାଇର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। ଚିକିତ୍ସା ପାଇଁ ହସ୍ପିଟାଲ ନେବା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆସନ୍ତାକାଲି ସାନ ଭାଇର ଶୁଦ୍ଧିକ୍ରିୟା। ଏଯାଏଁ ମର୍ଗ ହାଉସ୍ରୁ ସାନଭାଇର ଶବ ଉଠିନଥିବାବେଳେ ବଡ଼ଭାଇର ମୃତ୍ୟୁ ପରିବାର ସଦସ୍ୟାଙ୍କୁ ନର୍କ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ କରିଦେଇଛି।
ଲାଠିକଟା ବ୍ଲକ ଅନ୍ତର୍ଗତ ହାତିବାରୀ ପଞ୍ଚାୟତ ନୟାଡେରାର ରାଇସନ ମାରାଣ୍ଡି(୫୨) ୨୦୦୫ ମସିହାରୁ ଆର୍ଏସ୍ପିରେ ୱେଲ୍ଡରଭାବେ କାର୍ଯ୍ୟରତ। ସେ ଠିକା ସଂସ୍ଥା ‘ପୁଷ୍ପା ଏଣ୍ଟରପ୍ରାଇଜେସ୍’ ଅଧୀନରେ କାମ କରୁଥିଲେ। ରାଇସନଙ୍କ ପରିବାର କହିଲେ ମା’ ସାଲ୍ଗେ ମାରାଣ୍ଡି(୮୫), ସ୍ତ୍ରୀ ମାଲ୍ହୋ(୩୬), ଦୁଇ ନାବାଳକ ପୁଅ ଟିକାରାମ(୧୨) ଓ ଲକ୍ଷ୍ମଣ(୩) ଓ ଏକମାତ୍ର ଝିଅ(୫)। ଏମାନଙ୍କ ସହ ରହୁଥିଲେ ବଡ଼ଭାଇ ଛୋଟୁ ମାରାଣ୍ଡି(୭୦), ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅ ଏବଂ ଦୁଇ ଭଉଣୀ ନକୀମଣି(୪୦) ଓ କର୍ମୀ(୩୭)। ସମସ୍ତଙ୍କ ଭରଣପୋଷ ରାଇସନ ହିଁ ବୁଝିଥିଲେ। ଗତ ୧୧ ତାରିଖ ଆର୍ଏସ୍ପି ସି’ ସିଫ୍ଟରେ ରାଇସନ ଡ୍ୟୁଟି ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ନିୟମାନୁଯାୟୀ ତାଙ୍କୁ ଆମ୍ବୁଲାନ୍ସରେ ଆଇଜିଏଚ୍କୁ ଅଣାଯିବା କଥା, ମାତ୍ର ଠିକା ସଂସ୍ଥା କର୍ତୃପକ୍ଷ ଚଞ୍ଚକତାକରି ନିଜସ୍ବ ଗାଡ଼ିରେ ଆଇଜିଏଚ୍ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ତା’ପରଦିନ, ଅର୍ଥାତ୍ ୧୨ ତାରିଖ ସକାଳ ପ୍ରାୟ ସାଢ଼େ ୬ଟାରେ ପରିବାରକୁ ଫୋନ୍କରି ରାଇସନଙ୍କ ଦୁର୍ଘଟଣା ବିଷୟରେ ଅବଗତ କରିଥିଲେ।
ମୃତ୍ୟୁ ସୂଚନା ଦେଇ ଆଉ ଧରାଛୁଆଁ ଦେଇନଥିଲା ଠିକା ସଂସ୍ଥା। ଏମିତିକି ଆର୍ଏସ୍ପି କର୍ତୃପକ୍ଷଙ୍କର ମଧ୍ୟ ଦେଖାଦର୍ଶନ ମିଳିନଥିଲା। କିଭଳି ଦୁର୍ଘଟଣା ଘଟିଲା, ସେ ବିଷୟରେ ବି ପରିବାରକୁ କେହି କୌଣସି ସୂଚନା ଦେଇନଥିଲେ। ରାଇସନଙ୍କ ମୃତ୍ୟୁ ସଂପୂର୍ଣ୍ଣ ରହସ୍ୟ ଭିତରେ ରଖାଯାଇଥିବା ଅଭିଯୋଗ କରିଥିଲେ ପରିବାରବର୍ଗ। ଅନୁକମ୍ପାମୂଳକ ନିଯୁକ୍ତି ସହ ଉପଯୁକ୍ତ କ୍ଷତିପୂରଣ ଦାବିରେ ପରିବାର ଲୋକ ଗତ ୯ ଦିନ ହେଲା ଆଇଜିଏଚ୍ ମର୍ଗହାଉସ୍ ସମ୍ମୁଖରେ ଧାରଣା ଦେଉଛନ୍ତି। ତେବେ ଠିକା ସଂସ୍ଥା କିମ୍ବା ଆର୍ଏସ୍ପି କର୍ତୃପକ୍ଷଙ୍କ ପାଦ ଏଯାଏଁ ପଡ଼ିନି। ସବୁଠୁ ବିଡ଼ମ୍ବନା ହେଲା, କୌଣସି ଶ୍ରମିକ ସଙ୍ଗଠନ ବି ପରିବାରଲୋକଙ୍କ ଦୁଃଖ ବୁଝିବାକୁ ଆସୁନାହାନ୍ତି।
କେବଳ ରାଉରକେଲା ଇସ୍ପାତ କର୍ମଚାରୀ ସଂଘ(ଆର୍ଆଇକେଏସ୍) ଏହି ଦାବିକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଛି। ଏଯାଏଁ ରାଇସନଙ୍କ ଶବ ମର୍ଗ ହାଉସ୍ରୁ ବାହାରିପାରିନି। ଅପରପକ୍ଷରେ ଛୋଟ ଭାଇର ଅକାଳ ବିୟୋଗ ଶୁଣି ବଡ଼ଭାଇ ଛୋଟୁ ମାରାଣ୍ଡିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଗତ ୯ ଦିନ ହେଲା ସେ ଠିକ୍ଭାବେ ଖିଆପିଆ କରୁନଥିଲେ। ସବୁବେଳେ ଦୁଶ୍ଚିନ୍ତାରେ ବୁଡ଼ିରହିଥିଲେ। ତେବେ ଏହି ଦୁଶ୍ଚିନ୍ତା ତାଙ୍କୁ ମୃତ୍ୟୁମୁଖକୁ ଠେଲିଦେଇଥିଲା। ଗତକାଲି ସନ୍ଧ୍ୟାରେ ଛୋଟୁଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହସପିଟାଲ ଅଭିମୁଖେ ଅଣାଯାଉଥିଲା। ମାତ୍ର ହସ୍ପିଟାଲକୁ ପହଞ୍ଚିବାପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁଇ ପୁଅଙ୍କ ମୃତ୍ୟୁ ଯୋଗୁଁ ବୃଦ୍ଧା ମା’ର ଅବସ୍ଥା ବି ଶୋଚନୀୟ ହେଲାଣି। ଆର୍ଏସ୍ପି-ଠିକା ସଂସ୍ଥା ନିଜ ଜିଦ୍ରେ ଅଟଳ ନ ରହି ମାନବିକତା ଦେଖାଇବାକୁ ଦାବି ହେଉଛି।
The post ସାନ ଭାଇର ଶବ ଉଠିନି, ବଡ଼ଭାଇର ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3qGxqVF
0 Comments