
କଟକ : ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପକୁ ଆଜି ଝଟ୍କା ଲାଗିଛି। ୧୨ ଏକର ଜମି ଉପରେ ଏହି ବସ୍ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ପ୍ରାୟ ୨ ଏକର ୧୮ ଗୁଣ୍ଠ ଜମି ଉପରେ ଆଜି ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ଖାନନଗର ଶ୍ମଶାନ କାଳୀ ଠାକୁରାଣୀଙ୍କ ଏହି ଜମିକୁ ସରକାର ବେଆଇନ ଭାବେ ଦଖଲକୁ ନେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସଚିବ, ଆଇନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ଦେବୋତ୍ତର କମିସନର, ସିଏମ୍ସି, ପୁଲିସ କମିସନର, କଟକ ଡିସିପି, କଟକ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆର୍ଡିସି, କଟକ ସଦର ତହସିଲଦାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୩କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନରେ ଉଲ୍ଲେଖ କରାଯାଇଥିବା ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ମଶାନ କାଳୀଙ୍କ ଭକ୍ତ ରଂଜନ କୁମାର ସାହୁ ଓ ଅନ୍ୟ ତିନି ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଖାନନଗର ଠାରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପ୍ରକଳ୍ପ ଶିଳାନ୍ୟାସ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ଖାନନଗର ଶ୍ମଶାନ କାଳୀଙ୍କ ସଂପତ୍ତିରେ ପ୍ରଶାସନ ବେଆଇନ ଭାବେ ଉଚ୍ଛେଦ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା। ତହସିଲଦାର, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଶ୍ମଶାନ କାଳୀଙ୍କ ଏହି ଜମି ଉପରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ଆବେଦନକାରୀ ଜାଣିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ କିଛି କୁହାଯାଇ ନଥିଲା। ଉପସ୍ଥିତ ଅଧିକାରୀମାନେ କେବଳ କହିଥିଲେ ଏହା ଏକ ସରକାରୀ ପ୍ରକଳ୍ପ। କିନ୍ତୁ ଆବେଦନକାରୀଙ୍କୁ ଏସଂପର୍କିତ କୌଣସି ମଞ୍ଜୁରୀପ୍ରାପ୍ତ ଯୋଜନା ବା ନଥିପତ୍ର ଦେଖାଇ ଦିଆଯାଇ ନଥିଲା।
ଆବେଦନକାରୀ ଦର୍ଶାଇଛନ୍ତି ଯେ ଶତାଧିକ ବର୍ଷ ହେବ ଖାନନଗର ଠାରେ ରହିଛି ଶ୍ରୀ ଶ୍ରୀ ମା ଶ୍ମଶାନ କାଳୀ ଠାକୁରାଣୀ ବିଜେ ବିଶିନାବରଙ୍କ ପୀଠ। ଶ୍ମଶାନ କାଳୀ ଭାବେ ସମସ୍ତେ ଜାଣିଥିବା ଏହି ମନ୍ଦିରରେ ବୈକୁଣ୍ଠନାଥ ଆଚାର୍ଯ୍ୟ ସେବାପୂଜା କରୁଥିଲେ। ମୃତ୍ୟୁ ପରେ ତାଙ୍କ ପତ୍ନୀ ଖୁଲଣା ମାତା ଶ୍ମଶାନ କାଳୀଙ୍କ ସେବାପୂଜା କାର୍ଯ୍ୟ କରୁଥିଲେ। ଖୁଲଣା ମାତାଙ୍କୁ ଏହି ମନ୍ଦିର ହେରିଡିଟାରି ଟ୍ରଷ୍ଟି ଭାବେ ସ୍ବୀକୃତି ୧୯୯୫ରେ ମିଳିଥିଲା। ଶ୍ମଶାନ କାଳୀଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ପରିଚାଳନା ଦାୟିତ୍ବ ତାଙ୍କ ହାତରେ ରହିଥିଲା। ୨୦୧୭ ସେପ୍ଟେମ୍ବର ୧ରେ ପରଲୋକ ହେବା ପର୍ଯ୍ୟନ୍ତ ଖୁଲଣା ମାତା ଏହି ଦାୟିତ୍ବ ନିର୍ବାହ କରୁଥିଲେ। ୧୯୯୬ରେ ଶ୍ମଶାନ କାଳୀଙ୍କ ସଂପତ୍ତିର ଅଧିକାର, ସତ୍ବ ସଂକ୍ରାନ୍ତରେ ଡିକ୍ରି ପାଇଁ ଖୁଲଣା ମାତା କଟକ ଅତିରିକ୍ତ ଜିଲ୍ଲା ଜଜ୍ (ଫାଷ୍ଟ ଟ୍ରାକ୍)ଙ୍କ ନିକଟରେ ଆବେଦନ କରିଥିଲେ। ସଦର ତହସିଲ ଅନ୍ତର୍ଗତ ୟୁନିଟ ୩୭ ବାହାର ବିଶିନାବର ମୌଜାରେ ଥିବା ଏହି ଜମି ସଂକ୍ରାନ୍ତରେ ୨୦୦୬, ଅକ୍ଟୋବର ୩୦ରେ ପ୍ରକାଶ ପାଇଥିବା ରାୟରେ ଖୁଲଣା ମାତାଙ୍କ ସପକ୍ଷରେ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ସଂପତ୍ତିେର ତାଙ୍କ ଭୋଗ ଦଖଲରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବାକୁ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ଦୌରା ଜଜଙ୍କ ନିର୍ଦ୍ଦେଶ ବିରୋଧରେ ରୁଜୁ ମାମଲାକୁ ହାଇକୋର୍ଟ ୨୦୧୯ ନଭେମ୍ବର ୧୫ରେ ଖାରଜ କରିଥିଲେ। ୨୦୧୭ରେ ଖୁଲଣା ମାତାଙ୍କ ପରଲୋକ ପରେ ତାଙ୍କ ଦୁଇ ପୁଅ କାଳନ୍ଦୀ ଓ ବିଦୁଭୂଷଣ ପାଣିଗ୍ରାହୀ ଶ୍ମଶାନ କାଳୀଙ୍କ ସେବା ପୂଜା ସହିତ ସଂପତ୍ତି ପରିଚାଳନା ଦାୟିତ୍ବରେ ରହିଥିଲେ। କେତେକ ଅସାମାଜିକ ତତ୍ବ ଏହି ସଂପତ୍ତି ଉପରେ ଜବରଦଖଲ ଉଦ୍ୟମ କରିବାରୁ ଏ ନେଇ ବାଦାମବାଡ଼ି ଥାନାରେ ଓ ଡିସିପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ କଟକ ଡିସିପିଙ୍କୁ ୨୦୨୦, ଡିସେମ୍ବର ୪ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶ୍ମଶାନ କାଳୀଙ୍କ ହେରିଡିଟାରି ଟ୍ରଷ୍ଟି ଖୁଲଣା ମାତାଙ୍କ ଉତ୍ତରାଧିକାରୀ ଭାବେ ଏହି ଜମିର ମ୍ୟୁଟେସନ୍ ପାଇଁ କାଳନ୍ଦୀ ଓ ବିଦୁଭୂଷଣ ଆବେଦନ କରିଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ମଶାନ କାଳୀଙ୍କ ନାଁରେ ଏହି ଜମି ରେକର୍ଡ କରିବାକୁ ତହସିଲଦାରଙ୍କ ନିକଟରେ ଆବେଦନ ଏବେ ବିଚାରାଧୀନ ରହିଛି। ଏହି ସବୁ ଜମିରେ ଭଜନ ମଣ୍ଡପ, ଭୋଗ, ଦୀପ ଦୋକାନ ଓ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ଢାଞ୍ଚା ରହିଥିବା ବେଳେ ସଂପତ୍ତିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ସଂପର୍କିତ ସମସ୍ତ ରେକର୍ଡ ତଲବ କରାଯାଉ। ଶ୍ମଶାନ କାଳୀଙ୍କ ସଂପତ୍ତି ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ମାନସ ନାୟକ ସହାୟତା କରୁଛନ୍ତି।
The post ନେତାଜୀ ବସ୍ ଟର୍ମିନାଲ ଅଡ଼ୁଆ ବଢ଼ିଲା, ୨ ଏକର ୧୮ ଗୁଣ୍ଠ ଜମି ଉପରେ ସ୍ଥିତାବସ୍ଥା ଜାରି first appeared on Sambad.
from ଜିଲ୍ଲା – Sambad https://ift.tt/39F5bR8
0 Comments