
ଭୁବନେଶ୍ବର,/ଘୁ.ଉଦୟଗିରି : ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ କ୍ରମାଗତ ଭାବେ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେଉଛି। ଫଳରେ ଗତ ୨ ଦିନ ହେଲା ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ଆଜି ଫୁଲବାଣୀର ରାତ୍ରି ତାପମାତ୍ରା ପୁଣି ଥରେ ୫ ଡିଗ୍ରି ତଳକୁ ଖସି ୪.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା ପବନର ପ୍ରବାହ ମୁଖ୍ୟତଃ ଆଭ୍ୟନ୍ତର ଓଡ଼ିଶାରେ ଅଧିକ ରହିଥିବାରୁ ସେଠାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଯଥା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ଶୀତ ଲହରି ପ୍ରବାହ ଯୋଗୁଁ ଅତ୍ୟଧିକ ଥଣ୍ଡା ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨ରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଏହାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ପାରଦସ୍ତର ଊର୍ଧ୍ବଗାମୀ ହେବ। ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଶୀତର ପ୍ରକୋପ ଅପେକ୍ଷାକୃତ କମିବ।
ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିଥିବାରୁ ଶୀତ ପ୍ରକୋପ ଅଧିକ ରହିଥିଲା। ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୪.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ୧୦ ଡିଗ୍ରି ତଳକୁ ଦାରିଙ୍ଗବାଡ଼ି ୭.୫ ଡିଗ୍ରି, ବଲାଙ୍ଗୀର ୭.୮ ଡିଗ୍ରି, ଝାରସୁଗୁଡ଼ା, କେନ୍ଦୁଝର, ବୌଦ୍ଧରେ ୮.୨ ଡିଗ୍ରି, ସୋନପୁର ୯.୫ ଡିଗ୍ରି ଓ ଅନୁଗୁଳ, ଭବାନୀପାଟଣାରେ ୯.୬ ଡିଗ୍ରି ଲେଖାଏଁ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୧୩.୦ ଡିଗ୍ରି ରହିଛି। ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ଏଥିସହ ରାଜ୍ୟରେ ଆଗ ଭଳି ଶୀତ ଲହରି ପ୍ରବାହ ଜାରି ରହିଛି।
The post ୫ ଡିଗ୍ରି ତଳେ ଫୁଲବାଣୀ, ଆଉ ୩ ଦିନ ଶୀତ ଲହରି first appeared on Sambad.
from ଜିଲ୍ଲା – Sambad https://ift.tt/3tiuCQa
0 Comments