
ରାୟଗଡ଼ା : ଭାରି ଖୁସିରେ ଗାଁ ଦାଣ୍ଡରେ ଖେଳୁଥିଲେ। ଖେଳ ଭଲ ଜମିବାରୁ ଲୁଚକାଳି ଖେଳିବାକୁ ମନବଳାଇଲେ। ଗାଁ ଦାଣ୍ଡରୁ ସ୍କୁଲ ପାଖରେ ଥିବା ପାଳ କୁଡିଆ ନିକଟକୁ ଗଲେ। ଲୁଚକାଳି ଖେଳିବା ପାଇଁ କୁଡ଼ିଆଟି ଉଚିତ୍ ସ୍ଥାନ ମନେକରି ତା’ ଭିତରେ ଲୁଚିଗଲେ। ହେଲେ, ଏହି ଲୁଚକାଳି ଖେଳ କାଳ ହେବ ବୋଲି କିଏ ଜାଣିଥିଲା ? କିଏ ଜାଣିଥିଲା, ପାଳ କୁଡିଆରେ ଅଗ୍ନିକାଣ୍ଡ ଘଟିବ? ସେହି ଅଗ୍ନିକାଣ୍ଡରେ ରାୟଗଡା ଜିଲା କାଶୀପୁର ବ୍ଲକ ଲାକରିସ ଗାଁର ୨ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି। ଦୁହେଁ ହେଲେ, କୁମାରୀ ମାଝି (୩) ଓ ଦିବ୍ୟା ମାଝି (୪)। ଦୁହିଁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟାଖେଳି ଯାଇଛି। କାଶୀପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଗୁରୁବାର ପୂର୍ବାହ୍ନ ୧୧ଟାରେ ଲାକରିସ ଗ୍ରାମର ମାନିଙ୍ଗ ମାଝିଙ୍କ ଝିଅ କୁମାରୀ ମାଝି ଓ ଦୁର୍ଯ୍ୟୋଧନ ମାଝିଙ୍କ ଝିଅ ଦିବ୍ୟା ମାଝି ଗାଁ ଦାଣ୍ଡରେ ଖେଳୁଥିଲେ। କିଛି ସମୟ ଖେଳିବା ପରେ ଉଭୟେ ସ୍କୁଲ ପାଖରେ ଥିବା ଗୋଟିଏ ପାଳ କୁଡ଼ିଆ ନିକଟକୁ ଲୁଚକାଳି ଖେଳିବାକୁ ଯାଇଥିଲେ। ଫସଲ ଜଗିବାକୁ ଗାଁର ଚାଷୀ ଏହି ପାଳ କୁଡ଼ିଆ କରିଥିଲେ। କୁମାରୀ ଓ ଦିବ୍ୟା ଉକ୍ତ କୁଡ଼ିଆରେ ଖେଳୁଥିବା ବେଳେ ଦୁର୍ଭାଗ୍ୟବଶତଃ ନିଆଁ ଲାଗି ଯାଇଥିଲା। କୁଡ଼ିଆର ଚତୁଃପାର୍ଶ୍ବରେ ପାଳ ଥିବାରୁ ସଙ୍ଗେ ସଙ୍ଗେ ନିଆଁର ପ୍ରକୋପ ବଢ଼ି ଯାଇଥିଲା। ଫଳରେ ଉଭୟେ କୁଡ଼ିଆ ଭିତରୁ ବାହାରିନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କିଛି ସମୟ ପରେ ଆଖପାଖରେ ଥିବା ଲୋକ ନିଆଁ ଦେଖିବାରୁ ଲିଭାଇବାକୁ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ ସବୁ କିଛି ସରି ଯାଇଥିଲା। ଦୁଇ ଶିଶୁଙ୍କ ଶରୀରର କିଛି ଅଂଶକୁ ଦେଖି ଲୋକେ ଚିହ୍ନଟ କରିଥିଲେ। କାଶୀପୁର ଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
The post ପାଳ କୁଡ଼ିଆରେ ଅଗ୍ନିକାଣ୍ଡ : ଜଳିଗଲେ ୨ ଶିଶୁ first appeared on Sambad.
from ଜିଲ୍ଲା – Sambad https://ift.tt/3ts2k5H
0 Comments