
ରାଉରକେଲା : ହାତୀଙ୍କ ସୁରକ୍ଷା ପାଇଁ ହେଉଛି ମାଳ ମାଳ ଯୋଜନା। କିନ୍ତୁ ଅନେକ ସମୟରେ ରେଳବାଇ ଓ ବନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ ଟ୍ରେନ୍ ଧକ୍କାରେ ହାତୀଙ୍କର ଜୀବନ ଯାଉଛି। ଗତକାଲି ବିଳମ୍ବିତ ରାତିରେ ରାଉରକେଲାଠାରୁ ପ୍ରାୟ ୩୦ କିମି ଦୂରରେ ଦକ୍ଷିଣପୂର୍ବ ରେଳବାଇ ହାୱଡା-ମୁମ୍ବାଇ ରେଳମାର୍ଗର ମହିପାଣି ଷ୍ଟେସନ ନିକଟରେ ସମାନ ଘଟଣାର ପୁନରାବୃତ୍ତି ଘଟିଛି। ରାତି ପ୍ରାୟ ଦେଢ଼ଟାରେ ହାତୀପଲ ରେଳଲାଇନ ପାର ହେଉଥିବା ବେଳେ ପାର୍ସଲ ଟ୍ରେନ୍ ଧକ୍କାରେ ଦୁଇଟି ମାଈ ହାତୀଙ୍କର ମୃତ୍ୟୁ ହୋଇଛି। ପଲରେ ଥିବା ଅନ୍ୟ ୪ ହାତୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ହାତୀପଲର ଉପସ୍ଥିତି ବାବଦରେ ଦିଆଯାଇଥିବା ସତର୍କ ସୂଚନା ପରେ ମଧ୍ୟ ଟ୍ରେନ୍ଟି ଅତ୍ୟଧିକ ବେଗରେ ଯାଉଥିବାରୁ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଲା ବୋଲି କୁହାଯାଉଛି।

ଗତ କିଛିଦିନ ତଳେ ମହିପାଣି ନିକଟ ଜକ୍ତି ସଂରକ୍ଷିତ ଜଙ୍ଗଲରେ ୧୫ ଟିକିଆ ହାତୀପଲ ରହୁଥିଲେ। ରାତିରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ବସ୍ତିମୁହାଁ ହେଉଥିଲେ। ଅଧିକାଂଶ ସମୟରେ ହାତୀପଲ ହାୱଡା- ମୁମ୍ବାଇ ରେଳଲାଇନ ପାରି ହେଉଥିବାରୁ ବନ କର୍ମଚାରୀମାନେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏଥିପାଇଁ ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ବନ ବିଭାଗର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଗତକାଲି ରାତିରେ ୧୫ଟି ଟିକିଆ ହାତୀ ପଲ ରେଳଲାଇନ ଆଡକୁ ଆସୁଥିବା କଣ୍ଟ୍ରୋଲ୍ ରୁମ୍ରେ ଡ୍ୟୁଟି କରୁଥିବା କର୍ମଚାରୀ ଜାଣି ପାରିଥିଲେ। ଏ ସଂକ୍ରାନ୍ତରେ ରେଳବାଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କସନ୍ ମେମୋ ମଧ୍ୟ ଦେଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ହାତୀପଲ ରେଳ ଲାଇନ ପାରି ହେବାର ସମ୍ଭାବନା ନେଇ ପୁଣିଥରେ ଜଣାଇଥିଲେ। ରାତି ପ୍ରାୟ ଦେଢ଼ଟାରେ ୧୫ ଟିକିଆ ହାତୀପଲ ଦୁଇ ଭାଗରେ ବିଭକ୍ତ ହୋଇ ଟ୍ରେନ୍ ଲାଇନ୍ ଆଡକୁ ଆସୁଥିଲେ। ଗୋଟିଏ ପଲରେ ୬ ଓ ଅନ୍ୟ ପଲରେ ୯ଟି ହାତୀ ରହିଥିଲେ। ୬ଟିକିଆ ହାତୀପଲ ଆଗରେ ଚାଲୁଥିଲେ। ଏହାପଛରେ ଥିଲେ ୯ ଟିକିଆ ହାତୀପଲ। ପାର୍ସଲ ଟ୍ରେନ୍ ଯିବା ପୂର୍ବରୁ ୬ ଟିକିଆ ହାତୀପଲରୁ ୩ ହାତୀ ରେଳଲାଇନ ପାରି ହୋଇଯାଇଥିଲେ। ଅନ୍ୟ ଗୋଟିଏ ହାତୀ ଟ୍ରେନ୍ ଆସୁଥିବା ଶବ୍ଦ ଶୁଣି ଅଟକି ଯାଇଥିଲା। ହେଲେ ଅନ୍ୟ ଦୁଇ ମାଈ ହାତୀ ରେଳଲାଇନ ମଝିରେ ରହିଯାଇଥିଲେ। ନାସିକ୍ରୁ ଶାଲିମର୍ ଯାଉଥିବା ପାର୍ସଲ ଟ୍ରେନ୍ ହାତୀଟିକୁ ଧକ୍କା ଦେଇଥିଲା। ଗୋଟିଏ ହାତୀ ରେଳଲାଇନ ପାର୍ଶ୍ବକୁ ଛିଟିକି ପଡିଥିଲା। ଅନ୍ୟ ହାତୀ ଟ୍ରେନ୍ ଲାଇନରେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲା। ଫଳରେ ହାତୀର ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ହାତୀ ଦୁଇଟିକୁ ଧକ୍କା ଦେବା ପରେ ଟ୍ରେନ୍ ଦୁଇଟି ବଗି ଟ୍ରାକ୍ରୁ ତଳକୁ ଖସି ପଡିଥିଲା। ଦୁଇ ହାତୀଙ୍କୁ ଧକ୍କା ଦେବା ପରେ ପାର୍ସଲ ଟ୍ରେନ୍ର ଦୁଇଟି ବଗି ଲାଇନ୍ଚ୍ୟୁତ୍ ହୋଇଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ପହଞ୍ଚି ରେଳବାଇ ଓ ବିଶ୍ରା ରେଞ୍ଜରକୁ ସୂଚନା ଦେଇଥିଲେ।
ଗୁରୁବାର ସକାଳେ ଆର୍ସିସିଏଫ୍ ଭଞ୍ଜ କିଶୋର ସ୍ବାଇଁ, ଏସିଏଫ୍ ଦିଲୀପ ସାହୁ, ବନ୍ଧମୁଣ୍ଡା ଏଆର୍ଏମ୍ ନିଶାନ୍ତ କୁମାର, ବିଶ୍ରା ରେଞ୍ଜର ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଦକ୍ଷିଣପୂର୍ବ ରେଳବାଇର ଟେକ୍ନିକାଲ୍ ଟିମ୍, କର୍ମଚାରୀ ପହଞ୍ଚି ଲାଇନଚ୍ୟୁତ ପାର୍ସଲ ଟ୍ରେନ୍ର ବଗିକୁ ଟ୍ରାକ୍ ଆଣିବା ପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ହାୱଡା- ମୁମ୍ବାଇ ରେଳମାର୍ଗରେ ରେଳଯାତ୍ରା ସ୍ବାଭାବିକ ହୋଇଥିଲା। ଆର୍ସିସିଏଫ୍ ଶ୍ରୀ ସ୍ବାଇଁଙ୍କ ଉପସ୍ଥିତିରେ ଦୁଇ ମୃତ ହାତୀର ବ୍ୟବଚ୍ଛେଦ ପରେ ଘଟଣାସ୍ଥଳରେ ପୋତି ଦିଆଯାଇଛି। କେଉଁ ପରିସ୍ଥିତିରେ ଏମିତି ଦୁର୍ଘଟଣା ଘଟିଲା ଆଗାମୀ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ରେଳବାଇର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ରେଳର ବେଗ ଘଣ୍ଟା ପ୍ରତି ୧୦୦ କି.ମି.ର ଅଧିକ ଥିବାରୁ ଏଭଳି ଘଟଣା ଘଟିଲା ବନ ବିଭାଗ ପ୍ରାଥିମିକ ତଦନ୍ତରୁ ଅନୁମାନ କରୁଛି।
The post ଟ୍ରେନ୍ ନେଲା ୨ ହାତୀଙ୍କ ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/3cH1o7z
0 Comments