ପୁରୀ : ଗତ ଏକ ତାରିଖ ଦିନ ଏକ ବଙ୍ଗୀୟ ଦମ୍ପତ୍ତି ଟୁରିଷ୍ଟ ବସ୍‌ ଡ୍ରାଇଭରର ଆକ୍ରମଣର ଶିକାର ହେବାପରେ ପୁରୀ ପୁଲିସ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅତ୍ୟନ୍ତ ଗୁରୁତ୍ବ ଦେଇଛି। ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସ ଏକ ଟୁରିଷ୍ଟ ‘ହେଲ୍ପଲାଇନ୍‌’ ଫୋନ୍‌ ନମ୍ବର ଜାରି କରିଛି। ଏଣିକି ଯଦି କୌଣସି ପର୍ଯ୍ୟଟକ ପୁରୀରେ କିଛି ଅସୁବିଧାରେ ପଡ଼ନ୍ତି ତେବେ ‘୬୩୭୦୯୬୭୧୦୦’ ନମ୍ବରରେ ଫୋନ୍‌ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ଫୋନ୍‌ ନମ୍ବରଟି ୨୪ ଘଣ୍ଟା ସେବାରେ ରହିବ। ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ପର୍ଯ୍ୟଟକଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଏଥିନେଇ ଆଜି ପୁରୀ ଏସ୍‌ପି କେ. ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ଘରୋଇ ବସ୍‌ ମାଲିକ ସଂଘର ସଦସ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଏକ ବିଶ୍ବସ୍ତରୀୟ ସହର ହୋଇଥିବାରୁ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ତେଣୁ ଏଣିକି ଏହି ଫୋନ୍‌ ନମ୍ବରଟି ସମସ୍ତ ଘରୋଇ ବସ୍‌ରେ ଲଗାଯିବ। ଫଳରେ କୌଣସି ଅସୁବିଧା ହେଲେ ପର୍ଯ୍ୟଟକ ଏହି ନମ୍ବରକୁ ଫୋନ୍‌ କରିପାରିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ବୈଠକରେ ପୁରୀ ବସ୍‌ ମାଲିକ ସଂଘ, ରାମଚଣ୍ଡୀ ବସ୍‌ ମାଲିକ ସଂଘ, ଟାଉନ ବସ୍‌ ମାଲିକ ସଂଘ, ଟୁରିଷ୍ଟ ବସ୍‌ ଆସୋସିଏସନ ଏବଂ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏ ନେଇ ଘରୋଇ ବସ୍‌ ମାଲିକ ସଂଘର ସଭାପତି ଲୋକନାଥ ପାଣି କହିଛନ୍ତି, ପୁରୀରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ପୁଲିସ ପ୍ରଶାସନର ଉଦ୍ୟମ ସ୍ବାଗତଯୋଗ୍ୟ।

The post ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା : ଜାରିହେଲା ‘ଟୁରିଷ୍ଟ ହେଲ୍ପଲାଇନ୍‌’ first appeared on Sambad.



from ଜିଲ୍ଲା – Sambad https://ift.tt/3cLQH3J