ନୟାଗଡ଼: ନୟାଗଡ଼ ମ୍ୟୁନିସିପାଲିଟି ଆକାଉଣ୍ଟାଣ୍ଟ୍‌ ଅଜୟ କୁମାର ସାଥୁଆ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ନୟାଗଡ଼ ଭିଜିଲାନ୍‌ସ ଟିମ୍‌ ୨୦ ହଜାର ଟଙ୍କା ଜବତ କରିଛି। ଏଥିସହିତ ଇଟାମାଟିସ୍ଥିତ ବାସଭବନ ଓ ଅଫିସ୍‌ରେ ଚଢ଼ଉ କରିଛି। ଅଫିସ୍‌ରୁ ବିଭିନ୍ନ କାଗଜପତ୍ର ଓ ସିସିଟିଭି ହାର୍ଡ ଡିସ୍କ ଜବତ କରିଛି।

ଭିଜିଲାନ୍‌ସ ଡିଏସ୍‌ପି ଏସ୍‌କେ ଭୋଇ ଗଣମାଧ୍ୟମକୁ ପ୍ରଦାନ କରିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଶଗଡ଼ିଆସାହିର ସି-କ୍ଲାସ ଠିକାଦାର ଜଗବନ୍ଧୁ ସିଆ ମ୍ୟୁନିସିପାଲଟି ଅଧୀନରେ ପ୍ରାୟ ୧୦ଟି ଠିକା କାମ କରିଥିଲେ। ସେ ସମସ୍ତ ନିର୍ମାଣ କାମ ଶେଷ କରିଥିବା ବେଳେ, ବିଲ୍‌ ଅନୁଯାୟୀ ସମସ୍ତ ଟଙ୍କା ମଧ୍ୟ ପାଇଛନ୍ତି। କିନ୍ତୁ ସେ ସିକ୍ୟୁରିଟି ବାବଦରେ ଜମା କରିଥିବା ୯୦ ହଜାର ୯୫୩ ଟଙ୍କା ଆକାଉଣ୍ଟାଣ୍ଟ୍‌ ତାଙ୍କୁ ଟଙ୍କା ଫେରାଉ ନଥିଲେ। ଏ ନେଇ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଠିକାଦର ଜଗବନ୍ଧୁ ଏ ନେଇ ବାରମ୍ବାର ମ୍ୟୁନିସିପାଲିଟି ଅଫିସ୍‌ ଦୌଡ଼ି ନିରାଶ ‌ହୋଇଥିଲେ। ଶେଷରେ ବାଧ୍ୟ ହୋଇ ସେ ଭିଜିଲାନ୍‌ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ପ୍ରା‌ୟ ସକାଳ ୧୧ଟା ସମୟରେ ଅଜୟ ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଥିଲେ।

The post ଭିଜିଲାନ୍‌ସ ଜାଲରେ ମ୍ୟୁନିସିପାଲିଟି ଆକାଉଣ୍ଟାଣ୍ଟ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/2MImJmQ