କଟକ : ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଂଗରେ ହାଇକୋର୍ଟ ଶୁଣାଣି କରି ଏକ ତିନି ଜଣିଆ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ରେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ସେଣ୍ଟର ଫର ଇକୋଲୋଜିକାଲ ସାଇନ୍ସର ପ୍ରଫେସର ଡକ୍ଟର କାର୍ତ୍ତିକ ଶଙ୍କର, ପରିବେଶ ନିର୍ଦ୍ଦେଶକ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସିଇଓ ସୁଶାନ୍ତ ନନ୍ଦ ଓ ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲଙ୍କୁ ସଦସ୍ୟ ଭାବେ ହାଇକୋର୍ଟ ନିଯୁକ୍ତି ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହୋଇଥିଲା।

ନିର୍ଦ୍ଦେଶ ଅନୁଯାୟୀ, ଟିମ୍‌ର ସଦସ୍ୟମାନେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥାନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଋଷିକୂଲ୍ୟା ସମୁଦ୍ରକୂଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଏ ନେଇ ହାଇକୋର୍ଟରେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଟିମ୍ ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳର ମାଛଧରାଳି ଓ ଅନ୍ୟମାନଙ୍କ ସହିତ ଆଲୋଚନା କରିପାର‌ବେ। ପୂର୍ବରୁ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଂଗରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି କି ନାହିଁ ଓ ସରକାର ଏହି ମାମଲାରେ ଦାଖଲ କରିଥିବା ତଥ୍ୟ ସଂକ୍ରାନ୍ତରେ ଟିମ୍ ସଦସ୍ୟ ଅନୁଧ୍ୟାନ କରିବେ। ଏଥିସହିତ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଂଗରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ, ସେ ନେଇ ଗଠିତ ଟିମ୍ ପରାମର୍ଶ ପ୍ରଦାନ କରିବେ।

The post ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ : ତିନି ଜଣିଆ ଟିମ୍ ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ first appeared on Sambad.



from ଜିଲ୍ଲା – Sambad https://ift.tt/3q25Voa