ଧର୍ମଶାଳା: ଯାଜପୁରର ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଗୋକର୍ଣ୍ଣେଶ୍ବର ମଝିପଡ଼ା ଭାୟା ବୁଦ୍ଧଲିଙ୍ଗ ନଦୀବନ୍ଧ ରାସ୍ତାର ମାନ ଯାଞ୍ଚ କରିଛି ଭିଜିଲାନ୍ସର କ୍ବାଲିଟି କଣ୍ଟ୍ରୋ‌ଲ‌ ଟିମ୍। କଟକ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ହରନାରାୟଣ ପତିଙ୍କ ତତ୍ତ୍ବାବଧାନରେ ଆସିଥିବା ୧୨ଜଣିଆ ଯାଞ୍ଚ କମିଟିରେ ମାନ ନିର୍ଦ୍ଧାରଣ ଆଞ୍ଚଳିକ ଅଧିକାରୀ ମନୋଜ କୁମାର ବେହେରା ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ଅଛନ୍ତି। ଏହି ଟିମ୍‌ ଭାଲୁଖାଇ ଗାଁ ନିକଟରେ ଏକାଧିକ ସ୍ଥାନରୁ ରାସ୍ତାରେ ବ୍ୟବହୃତ ମାଟି ଠାରୁ ଆରମ୍ଭ କରି ଚିପ୍ସ, ମେଟାଲ, ପିଚୁ ଆଦି ସାମଗ୍ରୀ ସ˚ଗ୍ରହ କରିଛି। ରାସ୍ତାର ମାନ ଯାଞ୍ଚ ପାଇଁ ଏହି ସାମଗ୍ରୀ ସ˚ଗ୍ରହ କାର୍ଯ୍ୟ ଦୁଇ ତିନିଦିନ ଧରି ଚାଲିବ ବୋଲି ଏହି ଟିମ୍‌ ସୂଚନା ଦେଇଛି।

୨୪ କୋଟି ୪୭ଲକ୍ଷ ଟଙ୍କାରେ ନିର୍ମିତ ଏହି ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଲୁଚାଇବା ପାଇଁ ଗତବର୍ଷ ବନ୍ୟା ସମୟ ଅଗଷ୍ଟ ୨୮ ତାରିଖ ରାତିରେ କୋତପୁର ପଞ୍ଚାୟତର ବୁଦ୍ଧଲିଙ୍ଗ ଓ ରମାପୁର ଛକ ମଝିରେ କେଲୁଅ ନଦୀବନ୍ଧକୁ ବିସ୍ଫୋରଣରେ ଉଡ଼ାଇ ଘାଇ ସୃଷ୍ଟି କରାଯାଇଥିଲା। ଏଥିରେ ହଜାରହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ଦୁର୍ବୃତ୍ତମାନେ ଡିନାମାଇଟ୍‌ ଲଗାଇ ଘାଇ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଜାରକା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ଦାସ ଏହାର ତଦନ୍ତ ପାଇଁ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଜିଲ୍ଲାପାଳ ର˚ଜନ କୁମାର ଦାସ ଏହା ମନୁଷ୍ୟକୃତ ଘାଇ ବୋଲି ସ୍ବୀକାର କରିଥିଲେ। ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିବାରୁ ୨ଜଣଙ୍କୁ ଗିରଫ କରାଯାଇଛି ବୋଲି ସେତେବେଳର ମୁଖ୍ୟ ଶାସନ ସଚିବ ଗଣମାଧୢମରେ ସୂଚନା ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରା ଯାଇନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ବହୁଚର୍ଚ୍ଚିତ ଘଟଣା ନେଇ ଲୋକାୟୁକ୍ତଙ୍କ ନିକଟରେ ସର୍ବେଶ୍ବର ବେହୁରା ମାମଲା ରୁଜୁ କରିଥିଲେ।

ଏଲ୍‌ୱାଇ୧୦୨୭/୨୦ ମାମଲାର ବିଚାର କରିବା ସହ ଲୋକାୟୁକ୍ତ ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତ ଜାନୁଆରି ୨୨ ତାରିଖରେ ଭିଜିଲାନ୍ସ ଟିମ୍‌ ଘାଇସ୍ଥଳ ପରିଦର୍ଶନ କରି ଫେରିଥିବା ବେଳେ ଆଜି ନଦୀବନ୍ଧ ରାସ୍ତାର ମାନ ଯାଞ୍ଚ କରିଛନ୍ତି। ତଦନ୍ତ ସମୟରେ ଉପସ୍ଥିତ ରହିବା ପାଇଁ ତାଙ୍କୁ ଭିଜିଲାନ୍ସ ନୋଟିସ୍‌ କରି ନ ଥିବାବେଳେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନରେନ‌ ଜେନା ଓ ଠିକା କର୍ତ୍ତୃପକ୍ଷ ଏଥିରେ ସାମିଲ‌ ହୋଇଥିବାରୁ ଶ୍ରୀ ବେହୁରା ତଦନ୍ତର ନିରପେକ୍ଷତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି।

The post କେଲୁଅ ନଦୀବନ୍ଧରେ ମନୁଷ୍ୟକୃତ ଘାଇ ପ୍ରସଙ୍ଗ: ରାସ୍ତାର ମାନ ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/2ZLenh6