
୯୩ଟି ଶ୍ରୀମୁଖ ପଦ୍ମ, ୬ଟି ଝୋବା ଓ ୨ଟି ତଡ଼କି
ଆନୁମାନିକ ମୂଲ୍ୟ ୨୫ କୋଟି
ଦାନ ଦେଲେ ମୁମ୍ବାଇ ଭକ୍ତ
ପୁରୀ : ପବିତ୍ର ବସନ୍ତ ପଞ୍ଚମୀରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ୮ କେଜିର ସୁନା ଓ ରୁପା ଅଳଙ୍କାର ଦାନ କରିଛନ୍ତି ମୁମ୍ବାଇର ଜନୈକ ଭକ୍ତ। ଏହି ଅଳଙ୍କାର ଭିତରେ ୯୩ଟି ଶ୍ରୀମୁଖ ପଦ୍ମ, ୬ଟି ଝୋବା ଓ ୨ଟି ତଡ଼କି ରହିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ପୂର୍ବରୁ ମୁମ୍ବାଇର ଏହି ଦାତା ମହାପ୍ରଭୁଙ୍କୁ ସୁନା ଦାନସୂତ୍ରରେ ଦେବାକୁ ମନସ୍ଥ କରିଥିଲେ। ଆଲୋଚନା ପର୍ଯ୍ୟାଲୋଚନା ପରେ ଦାତାଙ୍କୁ ସୁନା ଅଳଙ୍କାର ଦେବାକୁ କୁହାଯାଇଥିଲା। ମାସେ ଧରି ସୁନା ଅଳଙ୍କାର ପ୍ରସ୍ତୁତି କାମ ଚାଲିଥିଲା। ଏହାଭିତରେ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଅନ୍ୟ ବରିଷ୍ଠ ସେବାୟତମାନେ ଅଳଙ୍କାର କାମ ଦେଖି ଫେରିଥିଲେ। ଶେଷରେ ମୁମ୍ବାଇରେ ଏହି ସୁନା ଅଳଙ୍କାର ପ୍ରସ୍ତୁତ କରି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମା’ ସୁଭଦ୍ରାଙ୍କ ୨ଟି ତଡ଼କି ଓ ୨ଟି ଝୋବା ରହିଛି। ଏସବୁ ଅଳଙ୍କାରରେ ୪ କେଜି ୮୫୮ ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୁପା ବ୍ୟବହାର କରାଯାଇଛି।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଦାତାଙ୍କ ପ୍ରତିନିଧି ଭାବେ ଜନୈକ ବ୍ୟକ୍ତି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କୁ ଭେଟି ଏହି ସୁନା ଅଳଙ୍କାର ଦାନ କରିଛନ୍ତି। ଏହି ଅବସରରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହାପୂର୍ବରୁ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ନୂତନ ପ୍ରଭା ତିଆରି ପାଇଁ ୨୧ କେଜି ରୁପା ଦାନ କରିଥିଲେ। ସେହିଭଳି ଭୁବନେଶ୍ବରର ଭକ୍ତ ପଦ୍ମଚରଣ ପାତ୍ର କିଛିଦିନ ତଳେ ସୁନାର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଥିଲେ।
The post ମହାପ୍ରଭୁଙ୍କୁ ୫ କେଜି ସୁନା ଦାନ first appeared on Sambad.
from ଜିଲ୍ଲା – Sambad https://ift.tt/37lc6gI
0 Comments