ପୁରୀ : ଆଜି ମହାପ୍ରଭୁଙ୍କ ପଦ୍ମବେଶ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଆଜି ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ଏହି ବେଶ ଲାଗି ହେବାକୁ ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ।

ସଂଧ୍ୟା ଆଳତି ପରେ ଘଣ୍ଟି, ଦୁହୁଡ଼ି ସହ ମଠର ସାଧୁସନ୍ଥମାନେ ବେଶ ନେଇ ଶ୍ରୀମନ୍ଦିରକୁ ଯିବେ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ସମୟରେ ସିଂଘାରୀ ସେବକମାନେ ଏହି ବେଶ ଲାଗି କରିବେ। ବଡ଼ସିଂହାର ବେଶ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମହାପ୍ରଭୁ ପଦ୍ମବେଶରେ ଅବକାଶ ନୀତି ପର୍ଯ୍ୟନ୍ତ ରହିବା ‌ପରେ ବେଶ ଓଲାଗି ହେବ।

ଏଥିପାଇଁ ସକାଳୁ ମଙ୍ଗଳ ଆଳତି ପରେ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ିବାର ବ୍ୟବସ୍ଥା କରାଯାଇଛି। ପଦ୍ମବେଶରେ ମହାପ୍ରଭୁଙ୍କଠାରେ ଏକପଣ (୮୦ଟି) ପଦ୍ମଫୁଲ, ଏକପଣ ଡାଳି, ତିନୋଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀମୁଖ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଲାଗି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ତିନିଟି, ବଳଭଦ୍ରଙ୍କଠାରେ ତିନିଟି ଓ ମା’ ସୁଭଦ୍ରାଙ୍କଠାରେ ଗୋଟିଏ ଗଛ ଲାଗି ହେବ। ଏଥିସହ ମହାପ୍ରଭୁଙ୍କ ସ୍ବତନ୍ତ୍ର ଚାଉଳରେ ପ୍ରସ୍ତୁତ ଅମାଲୁ, କ୍ଷୀରି ଆଦି ଲାଗି ହେବ।

The post ପୁରୀ : ଆଜି ଶ୍ରୀଜିଉଙ୍କ ପଦ୍ମବେଶ first appeared on Sambad.



from ଜିଲ୍ଲା – Sambad https://ift.tt/3aispgh