
ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ବାଲ୍ୟ ବିବାହ ରୋକିବ ସରକାରଙ୍କ ସ୍ବତନ୍ତ୍ର ଯୋଜନା ‘ଅଦ୍ବିକା’। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପରିଚାଳିତ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ଗାଁ ଓ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆରମ୍ଭ ହୋଇଛି ପଦକ୍ଷେପ। ଅଙ୍ଗନବାଡ଼ି ସ୍ତରରେ କିଶୋରୀ ମଣ୍ଡଳ ଗଠନ କରି ପ୍ରତି ଶନିବାର ୧୧ରୁ ୧୯ ବର୍ଷର ଝିଅଙ୍କୁ ନେଇ ସଚେତନତା କାର୍ୟ୍ୟକ୍ରମ ସହ ବାଲ୍ୟ ବିବାହର କୁପରିଣତି ସଂପର୍କରେ ଅବଗତ କରାଯାଉଛି। ଫଳରେ ଆଜି ସୁଦ୍ଧା ଜିଲ୍ଲାର ୪୨୫ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଛି। ୨୦୨୧ ଜାନୁଆରୀରୁ ଆରମ୍ଭ ହୋଇଥିବା ଅଦ୍ବିକା କାର୍ଯ୍ୟକ୍ରମ ମାଧ୍ୟମରେ ଏଯାବତ୍ ଜିଲ୍ଲାର ୪୨୫ ଗାଁର ଗ୍ରାମବାସୀ, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଗାଁକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଶପଥ ନେଇଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ଆଦିବାସୀଙ୍କ ପରମ୍ପରା ଅନୁଯାୟୀ କନିଆ ଝିକା ପ୍ରଥା ଜିଲ୍ଲାର ଅଧିକାଂଶ ଗ୍ରାମରେ ରହିଥିବାରୁ ବାଲ୍ୟ ବିବାହ ହାର ବଢ଼ିବାରେ ଲାଗିଛି। ଖୁବ୍ କମ ବୟସରେ କୁଆରୀ ଝିଅମାନେ ବିବାହ କରୁଥିବାରୁ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରୁନି। ଗ୍ରାମାଞ୍ଚଳ ସ୍କୁଲ୍ ଗୁଡ଼ିକରେ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏଥି ସହିତ କମ୍ ବୟସରେ ବିବାହ କରୁଥିବା କିଶୋରୀ ବାଳିକାମାନେ ଗର୍ଭଧାରଣ କରୁଥିବାରୁ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେଉଛି। ମାତୃ ଓ ଶିଶୁ ହାର ମଧ୍ୟ ବୃଦ୍ଧି ପାଉଛି। ଯାହା ଜିଲ୍ଲାର ବିକାଶରେ ପ୍ରମୁଖ ବାଧକ ସାଜିଛି। ୨୦୨୦ ମସିହାରେ ସରକାରୀ ଭାବେ ଜିଲ୍ଲାରେ ୯୭ ବାଲ୍ୟ ବିବାହ ହୋଇଥିବା ରେକର୍ଡ କରାଯାଇଛି। ବେସରକାରୀ ତଥ୍ୟ କିନ୍ତୁ ଅଲଗା। ବିଶେଷ କରି ଲକଡାଉନ୍ ସମୟରେ ଆଦିବାସୀ ଗାଁ ଗୁଡ଼ିକରେ ପ୍ରତ୍ୟେହ ବାଲ୍ୟ ବିବାହ ଚାଲିଥିବା ବିଭାଗୀୟ ଅଧିକାରୀ ସ୍ବୀକାର କରିଛନ୍ତି। ଲକଡାଉନ୍ ଯୋଗୁ ଯାନବାହନ ଚଳାଚଳ କରୁନଥିବାରୁ ଫୋନ୍ ଯୋଗେ ସରପଞ୍ଚ, ଅଙ୍ଗନବାଡ଼ିକର୍ମୀ ଓ ସୁପର ଭାଇଜରଙ୍କୁ ଅବଗତ କରି ବହୁ ବାଲ୍ୟ ବିବାହ ରୋକାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ରାୟଗଡ଼ା ବ୍ଲକର ୯୭, କୋଲନରାର ୨, କଲ୍ୟାଣସିଂହପୁରର ୨୯, ମୁନିଗୁଡ଼ାର ୧୫, ପଦ୍ମପୁରର ୧୮, ବିଷମକଟକର ୧୫୨, ଗୁଣପୁରର ୨, ଗୁଡ଼ାରିର ୧୦, ଚନ୍ଦ୍ରପୁରର ୨୪, ରାମନାଗୁଡ଼ାର ୭୬ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଛି। କାଶୀପୁରର ବ୍ଲକର ଗୋଟିଏ ଗାଁରେ ଏହି ଯୋଜନା ଆରମ୍ଭ ହୋଇନଥିବା ଜଣା ପଡିଛି।
୧୮ ବର୍ଷରୁ କମ୍ ଯୁବତୀ, ୨୧ ବର୍ଷରୁ କମ ଯୁବକଙ୍କୁ ବିବାହ ବନ୍ଧନରେ ବାନ୍ଧିଲେ ପରିବାର ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନ ରହିଛି। ଏହା ସତ୍ତ୍ବେ ଜିଲ୍ଲାରେ ବାଲ୍ୟ ବିବାହ ଥମିବାର ନାଁ ନେଉନି। ସରକାରଙ୍କ ସର୍ଭେ ରିପୋର୍ଟ ଅନୁଯାୟୀ, ରାୟଗଡ଼ା ଜିଲ୍ଲା ବାଲ୍ୟ ବିବାହ କ୍ଷେତ୍ରରେ ରାଜ୍ୟରେ ପଞ୍ଚମ ସ୍ଥାନରେ ରହିଛି। ୨୮.୪ ପ୍ରତିଶତ କିଶୋରୀ ୧୮ରୁ କମ ବୟସରେ ବିବାହ କରୁଥିବା ବେଳେ ୧୦.୯ ପ୍ରତିଶତ ମହିଳା ୧୫ରୁ ୧୯ ବର୍ଷ ଭିତରେ ଗର୍ଭବତୀ ହେଉଛନ୍ତି। ଯାହା କୁମାରୀ ମାଆର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଜିଲ୍ଲାର ଶିକ୍ଷା ହାର ୪୯.୭୬ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ଶିକ୍ଷାହାର ୩୯.୮୭ ପ୍ରତିଶତ ଏବଂ ଆଦିବାସୀ ସଂପ୍ରଦାୟ ଯୁବତୀ ଓ ମହିଳାଙ୍କ ଶିକ୍ଷାହାର ୨୪.୬ ପ୍ରତିଶତ ରହିଛି।
The post କନିଆ ଝିକାକୁ ରୋକିବ ‘ଅଦ୍ବିକା’; ୪୨୫ ଗାଁ ହେଲା ବାଲ୍ୟ ବିବାହ ମୁକ୍ତ first appeared on Sambad.
from ଜିଲ୍ଲା – Sambad https://ift.tt/379uVmK
0 Comments