
ନୟାଗଡ଼ : ପୂର୍ବରୁ ପରୀ ହତ୍ୟା ଅଭିଯୋଗରେ ଗିରଫ ନାବାଳକର ସହମତି ନମିଳିବାରୁ ନାର୍କୋ ଆନାଲିସିସ୍ ଟେଷ୍ଟ୍, ବ୍ରେନ୍ ମ୍ୟାପିଂ ନିମନ୍ତେ କୋର୍ଟ ଅନୁମତି ଦେଇନଥିଲେ। ଏହି ପରିପ୍ରେକ୍ଷୀରେ ପରୀ ହତ୍ୟା ସମ୍ପର୍କରେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ୍ର ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଲେୟର୍ ଭଏସ୍ ଆନାଲିସିସ୍ (ଏଲ୍ଭିଏ) ଟେଷ୍ଟ ନିମନ୍ତେ ଆବେଦନ କରିଥିଲା। ଏଲ୍ଭିଏ ନିମନ୍ତେ ଅଭିଯୁକ୍ତର ସହମତି ଆବଶ୍ୟକତା ନଥିବାରୁ ଏଥିରୁ ଫାଇଦା ମିଳିବ ବୋଲି ଏସ୍ଆଇଟି ଭାବିଥିଲା। ହେଲେ ଶେଷରେ ଏସ୍ଆଇଟିକୁ ନିରାଶ ହେବାକୁ ପଡ଼ିଛି। ଏସ୍ଆଇଟି ଚାର୍ଜସିଟ୍ ଦାଖଲ କରିସାରିଥିବାରୁ ଅଭିଯୁକ୍ତର ଏଲ୍ଭିଏ ଟେଷ୍ଟ ନିମନ୍ତେ ନେବା ଲାଗି ନୟାଗଡ଼ ଚିଲଡ୍ରେନ୍ କୋର୍ଟ ବିଚାରପତି ଇତିଶ୍ରୀ ମହାପାତ୍ର ଅନୁମତି ଦେଇନଥିଲେ। ବାଧ୍ୟହୋଇ ଏଭଳି ଆବେଦନରୁ ଏସ୍ଆଇଟି ଶେଷରେ ଓହରିଯାଇଛି।
ଆଇନଜୀବୀ ରଣଜିତ୍ ଦାଶଙ୍କ ସୂଚନା ମୁତାବକ, ଏସ୍ଆଇଟିର ଦୂରଦୃଷ୍ଟିହୀନତା ପାଇଁ ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏଥିନିମନ୍ତେ ଅନୁମତି ଦେଇନାହାନ୍ତି। ଜଜ୍ଙ୍କ ଅସନ୍ତୋଷ ଦେଖି ଶେଷରେ ବାଧ୍ୟ ହୋଇ ଏସ୍ଆଇଟି ଏଲ୍ଭିଏ ଆବେଦନରୁ ଓହରି ଯାଇଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ ଚାର୍ଜସିଟ୍ ଦାଖଲ ପରେ ଅଭିଯୁକ୍ତକୁ ପୁଲିସ ହେଉ ବା ଅନ୍ୟ ଯେ କୌଣସି ତଦନ୍ତକାରୀ ସଂସ୍ଥା ଆଉ ନିଜ ହେପାଜତକୁ ନେଇପାରିବନାହିଁ। ପରୀ ହତ୍ୟା ମାମଲାରେ ଏସ୍ଆଇଟି ଗତ ୧୫ ତାରିଖରେ ଚାର୍ଜସିଟ୍ ଦେଇସାରିଛି। ଚାର୍ଜସିଟ୍ ଦାଖଲର ଯଥେଷ୍ଟ ପୂର୍ବରୁ ଏସ୍ଆଇଟି ଏଲ୍ଭିଏ ନିମନ୍ତେ ଆବେଦନ କରିଥିଲା। ତେଣୁ ଚାର୍ଜସିଟ୍ରେ ଏଲ୍ଭିଏ ନିମନ୍ତେ ଆବେଦନ କରାଯାଇଥିବା କଥା ଏସ୍ଆଇଟି ଉଲ୍ଲେଖ କରିବାର ଆବଶ୍ୟକତା ରହିଥିଲା। ନଚେତ୍ ଏଥିନିମନ୍ତେ ସ୍ବତନ୍ତ୍ର ପିଟିସନ୍ ଦାଖଲ କରିଥା’ନ୍ତା। ଏସ୍ଆଇଟି ସେଭଳି କିଛି କରିନାହିଁ। ଯେଉଁଥିପାଇଁ ଏସ୍ଆଇଟି ଏଲ୍ଭିଏ ଟେଷ୍ଟ ନିମନ୍ତେ ନିରାଶ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବର ୨୦ ତାରିଖରେ ପରୀ ହତ୍ୟା ମାମଲାର ନାବାଳକ ଅଭିଯୁକ୍ତକୁ ଏସ୍ଆଇଟି ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ ନୟାଗଡ଼ ପକ୍ ସୋ କୋର୍ଟରେ ହାଜର କରିଥିଲା। ତେବେ ପାଖାପାଖି ଦୁଇ ସପ୍ତାହ ପରେ ଅଭିଯୁକ୍ତଙ୍କୁ ତାଙ୍କ ଓକିଲ ନାବାଳକ ବୋଲି ପ୍ରମାଣିତ କରିବା ପରେ ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେଜେବି) କୁ ସ୍ଥାନାନ୍ତରିତ ହୋଇଥିଲା। ଏହାପରେ ଅଭିଯୁକ୍ତ ନାବାଳକ ହେଲେ ମଧ୍ୟ ତାକୁ ୧୬ ବର୍ଷରୁ ଅଧିକ, ସେ ମାନସିକ ଓ ଶାରୀରିକ ଭାବେ ହତ୍ୟା ଓ ଦୁଷ୍କର୍ମ କରିବାକୁ ସକ୍ଷମ ବୋଲି ଏସ୍ଆଇଟି ପ୍ରମାଣ ଦାଖଲ କରିଥିଲା।
ଏହାପରେ ଗତ ଜାନୁଆରି ୨୦ ତାରିଖ ଦିନ ମାମଲା ଜେଜେବିରୁ ଚିଲଡ୍ରେନ୍ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଏଲ୍ଭିଏ ଆବେଦନ ନେଇ ଏସ୍ଆଇଟି ପ୍ରଥମେ ଜେଜେବିରେ ଆବେଦନ କରିଥିଲା। ଏଲ୍ଭିଏ ଶୁଣାଣି ହେବାକୁ ଧାର୍ଯ୍ୟ ଦିନ , ଅଭିଯୁକ୍ତ ହତ୍ୟା ଓ ଦୁଷ୍କର୍ମ କରିବାକୁ ସକ୍ଷମ ବୋଲି ପ୍ରମାଣିତ ହୋଇଥିଲା। ଫଳରେ ଜେଜେବି ଏଲ୍ଭିଏ ସମେତ ଏହି ମାମଲାର ବିଚାର କରିବାକୁ ଚିଲଡ୍ରେନ୍ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ଗତ ୫ ତାରିଖ ଏହାପରେ ୧୨ ତାରିଖରେ ଏଲ୍ଭିଏ ଆବେଦନ ଶୁଣାଣି ନେଇ ଧାର୍ଯ୍ୟ ହୋଇଥିଲେ। କୌଣସି କାରଣବଶତଃ ସଂପୃକ୍ତ ତାରିଖରେ ଶୁଣାଣି ହୋଇପାରନଥିଲା। ଫେବ୍ରୁଆରି ୧୯ ତାରିଖକୁ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ଏସ୍ଆଇଟିକୁ ଶେଷରେ ନିରାଶ ହେବାକୁ ପଡ଼ିଛି।
The post ପରୀ ହତ୍ୟା ମାମଲାରେ ଏସ୍ଆଇଟି ନିରାଶ : ଏଲ୍ଭିଏ ଟେଷ୍ଟ୍ ଆବେଦନକୁ ଅଦାଲତଙ୍କ ଖାରଜ first appeared on Sambad.
from ଜିଲ୍ଲା – Sambad https://ift.tt/3pDqB5V
0 Comments