କଟକ : କରୋନା ପ୍ରତିଷେଧକ ଟିକା ପ୍ରଦାନ କ୍ଷେତ୍ରରେ କେଉଁ ବର୍ଗର ବ୍ୟକ୍ତିବିଶେଷଙ୍କୁ ପ୍ରାଥମିକତା ଦିଆଯିବ, ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ନ୍ୟାୟପାଳିକାର ସଦସ୍ୟଙ୍କୁ ପ୍ରାଥମିକତା ଦେବା ପାଇଁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଟିକା ସୀମିତ ପରିମାଣରେ ଉପଲବ୍ଧ। ଏଭଳି ସ୍ଥିତିରେ ଟିକାକରଣ ପ୍ରସଂଗରେ ନ୍ୟାୟପାଳିକା ସଦସ୍ୟଙ୍କୁ ପ୍ରାଥମିକତା ପ୍ରସଂଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଜରୁରୀ ଅବାଶ୍ୟକତା ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଟିକାକରଣ ‌ପ୍ରସଂଗରେ କେଉଁ ବର୍ଗକୁ ପ୍ରାଥମିକତା ଦିଆଯିବ, ସେ ନେଇ ନିଷ୍ପତ୍ତି ନେବେ। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ କରୋନା ସ୍ଥିତି‌କୁ ଦୃଷ୍ଟିରେ ରଖି ପୂର୍ବରୁ ନିର୍ମାଣ ଉଚ୍ଛେଦ, ସଂପତ୍ତି ନିଲାମ ଓ ଅନ୍ୟାନ୍ୟ ପ୍ରସଂଗରେ ୨୦୨୦, ମେ’ ୫ରୁ ବଳବତ୍ତର ଥିବା ଅଙ୍କୁଶ ସଂପର୍କିତ ଅନ୍ତରୀଣ ଆଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ବିଗତ ଦୁଇ ମାସ ହେବ କରୋନା ମହାମାରୀ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ପରିସ୍ଥିତିରେ ସୁଧାର ଆସିଛି। ସ୍ବାଭାବିକ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ହାଇକୋର୍ଟ ସହିତ ଟ୍ରିବୁନାଲରେ ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡ୍‌ରେ ଫେବ୍ରୁଆରି ୧୫ରୁ ଶୁଣାଣି ଆରମ୍ଭ ହୋଇଛି। ପରିସ୍ଥିତିରେ ଏଭଳି ଉନ୍ନତିକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିବା ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାରେ ପୂର୍ବରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ଆଇନଜୀବୀ ବିଜୟ କୁମାର ରଗଡ଼ଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶେଷଥର ଗତ ଜାନୁଆରି ୨୭ରେ ହାଇକୋର୍ଟ ୨୦୨୦, ମେ ୫ର ଅନ୍ତରୀଣ ନିର୍ଦ୍ଦେଶର ଅବଧି ୨୦୨୧, ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ରାଜ୍ୟରେ କରୋନା ମହାମାରୀ ପ୍ରଭାବ ବିସ୍ତାର କରିବା ପରେ ୨୦୨୦, ମାର୍ଚ୍ଚ ୬ରେ ଆଇନଜୀବୀ ବିଜୟ କୁମାର ରଗଡ଼ ପକ୍ଷରୁ ରୁଜୁ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

The post କରୋନା ଟିକା ପ୍ରଦାନରେ କାହାକୁ ପ୍ରାଥମିକତା ଦିଆଯିବ? ସରକାର ନେବେ ନିଷ୍ପତ୍ତି: ହାଇକୋର୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/37u22Sy