କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଦୁର୍ନୀତି ଘଟଣାରେ ଆଜି ଆଉ ଜଣେ ଠିକାଦାରଙ୍କୁ ଗିରଫ କରିଛି ଘସିପୁରା ଥାନା ପୁଲିସ। ସମ୍ପୃକ୍ତ ଠିକାଦାର ଜଣଙ୍କ ହେଉଛନ୍ତି ସୁରେନ୍ଦ୍ର ଭୂୟାଁ। ସେ ଟେଣ୍ଡର ଆବେଦନ ବେଳେ ନକଲି ବାଲାନ୍ସ ସିଟ୍‌ ଏବଂ ପ୍ରଫିଟ ଓ ଲସ୍‌ ଷ୍ଟେଟମେଣ୍ଟ ଦାଖଲ କରିଥିଲେ। ଏ ସମ୍ପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଥମେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ସୁରେନ୍ଦ୍ର ଭୂୟାଁଙ୍କ ଗିରଫ ପୂର୍ବରୁ ଠିକାଦାର ଦେବେନ୍ଦ୍ର ଜେନା ଗିରଫ ହୋଇଥିଲେ। ଏବେସୁଦ୍ଧା ମାମଲା ସଂଖ୍ୟା ୮ରେ ପହଞ୍ଚିଥିବାବେଳେ ଦୁଇ ଜଣ ସ୍ବତନ୍ତ୍ର କ୍ଲାସ୍‌ ଠିକାଦାର ଗିରଫ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୋପୀନାଥପୁର-‌ଗୋନାସିକା (ଓଆର ୧୭-୬୨୪) ରାସ୍ତାପାଇଁ ନକଲି ଦସ୍ତାବିଜ୍‌ ଦାଖଲ କରିଥିଲେ ସ୍ବତନ୍ତ୍ର କ୍ଲାସ୍‌ ଠିକାଦାର ସୁରେନ୍ଦ୍ର ଭୂୟାଁ। ଏ ସଂପର୍କରେ ଖବର ମିଳିବା ପରେ ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ୨୦୧୯ ମସିହାରେ ଶ୍ରୀ ଭୂୟାଁ ନିଜର ପ୍ରଫିଟ୍ ଓ ଲସ୍ ବିବରଣୀରେ ନିଜର କାରବାର ୧୫ କୋଟି ୮୦ ଲକ୍ଷ ୩୬ ହଜାର ୯୮୦ ବୋଲି ଦର୍ଶାଇବା ସହ ୨୦୨୦ ମସିହା ପାଇଁ ନିଜର ପ୍ରଫିଟ୍ ଆଣ୍ଡ ଲସ୍ ବିବରଣୀରେ ନିଜ କାରବାର ୧୬ କୋଟି ୪୧ ଲକ୍ଷ ୧୫ ହଜାର ୯୫୦ ବୋଲି ଦର୍ଶାଇଥିଲେ। ଏଥିରେ ୟୁଡିଆଇଏନ୍ ନମ୍ବର ନଥିଲା। ସେହିପରି ସାମଲ ଆସୋସିଏଟ୍‌ ପକ୍ଷରୁ ଏହି ବାଲାନ୍ସ‌ ସିଟ୍‌ ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶାଯାଇଥିଲା। କିନ୍ତୁ ସାମଲ ଆସୋସିଏଟ୍‌ ଏହା ଏକ ନକଲି ବାଲାନ୍ସ‌ ସିଟ୍‌ ବୋଲି ସ୍ପଷ୍ଟ କରିଥିଲେ।

ଏ ସମ୍ପର୍କରେ ‘ସମ୍ବାଦ’ରେ ଜାନୁଆରି ୧୬ ତ‌ାରିଖରେ ବିସ୍ତୃତ ଖବର ‘ରାସ୍ତା କାମ ହାତେଇବାକୁ ନକଲି ଦସ୍ତାବିଜ୍‌’ ଶୀର୍ଷକ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତନାଘନା ହୋଇଥିଲା। ପରେ ସୁରେନ୍ଦ୍ରଙ୍କୁ ରାସ୍ତା କାମ ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା ଏବଂ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା।

The post ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତା, ଆଉ ଜଣେ ଠିକାଦାର ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3bzKG84