
ଖୋର୍ଦ୍ଧା : ଆଜିକାଲି ଦୁନିଆରେ ଭଲ ଲୋକ ମିଳିବା କଷ୍ଟକର ବୋଲି ଲୋକେ କୁହନ୍ତି। କିନ୍ତୁ ଡାକ୍ତର ବିମଳ ରଥଙ୍କୁ ଭେଟିବା ପରେ ଯେ କେହି ମଧ୍ୟ ଏହା ଭୁଲ ବୋଲି ମନେ କରିବ। ସ୍ବର୍ଗତ ବିମଳ ରଥ ନିଜ ଜୀବନକାଳ ମଧ୍ୟରେ କାହା ଉପରେ ରାଗିବା, କୌଣସି କଥାରେ ଅହଂକାର କରିବା କ୍ବଚିତ୍ ଦେଖାଯାଏ। କୌଣସି ଭଗବତ୍ ଅଂଶୀ ହିଁ ଏଭଳି ମଣିଷ ହୋଇପାରିବ ବୋଲି ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଜଣାଶୁଣା ସମାଜସେବୀ ଡାକ୍ତର ବିମଳ ରଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇ ଏହା କହିଛନ୍ତି।
ଦିବଂଗତ ଡାକ୍ତର ରଥଙ୍କ ସ୍ମୃତିଚାରଣ କରି ଶ୍ରୀ ପଟ୍ଟନାୟକ କହିଲେ, ତାଙ୍କର ସାମ୍ବାଦିକତା ଓ ରାଜନୈତିକ ଜୀବନରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିଛି। କିନ୍ତୁ ବିମଳ ରଥଙ୍କ ସଂସ୍ପର୍ଶରେ ଆସି ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଖୋର୍ଦ୍ଧାରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର କାର୍ଯ୍ୟକ୍ରମ ଏବଂ ଏଥିରେ ଡାକ୍ତର ରଥଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରି ସେ କହିଲେ, ଯେତେବେଳେ ସେ ଏହି ଅଞ୍ଚଳରେ କିଛି ନୂଆ କରିବାକୁ ଚାହୁଁଥିଲେ, ସେତେବେଳେ ଡାକ୍ତର ବିମଳଙ୍କ କଥା ହିଁ ମନେ ପଡ଼େ।
ଡା. ବିମଳ ରଥ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯୋଗ ଦେଇ ସ୍ବର୍ଗତ ରଥଙ୍କ ସହଧର୍ମିଣୀ କବିତାରାଣୀ ମିଶ୍ର କହିଲେ, ଜୀବନରେ ଯେତେ ଝଡ଼ ଆସୁ ପଛେ କେବେ ହାରିନଯିବା ପାଇଁ ସ୍ବର୍ଗତ ରଥ ସର୍ବଦା ପରାମର୍ଶ ଦେଉଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଦେବେନ୍ଦ୍ର ଶତପଥି ପ୍ରମୁଖ ଡାକ୍ତର ରଥଙ୍କ ନିସ୍ବାର୍ଥପର କର୍ମମୟ ଜୀବନ ଓ ଖୋର୍ଦ୍ଧାର ବିକାଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।
The post ବିମଳ ରଥ ଥିଲେ ଭଗବତ୍ ଅଂଶୀ: ସୌମ୍ୟ first appeared on Sambad.
from ଜିଲ୍ଲା – Sambad https://ift.tt/3aODmpU
0 Comments