କଟକ: କରୋନା ଟିକାକରଣରେ ବି କେନ୍ଦ୍ର-ରାଜ୍ୟ ବିବାଦ? କେନ୍ଦ୍ର ସରକାରଙ୍କ କର୍ମଚାରୀ ବୋଲି କହି ଇଏସ୍‌ଆଇ ହସ୍ପିଟାଲରେ କାର୍ଯ୍ୟରତ ୩୦ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆ ନଯିବା ଘଟଣା ଏବେ ଉଦ୍‌ବେଗର କାରଣ ହୋଇଛି। ଏଭଳି ନିଷ୍ପତ୍ତି ଆଉ ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟ‌ାୟରେ ସ୍ବ‌ାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଟିକା ଦିଆଗଲାଣି। କିନ୍ତୁ ପ୍ରଥମେ ଟିକା ନେବାର ଅଧିକାର ରଖୁଥିବା ୩୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଥିବା ପଞ୍ଜୀକରଣରେ ସେମାନଙ୍କୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। କଟକର ଖପୁରିଆ, ଜଗତପୁର ଓ ରାଜାବଗିଚାରେ ଥିବା ଇଏସଆଇ ଡିସପେନସାରିରେ ପ୍ରାୟ ୩୦ ଜଣ ସ୍ବାସ୍ଥ୍ୟ କର୍ମୀ କାମ କରୁଛନ୍ତି। କରୋନା ସମୟରେ ସମସ୍ତ ମେଡିକାଲରେ ଆଉଟଡୋର ସେବା ବନ୍ଦ ଥିବାବେଳେ ସହରର ତିନି ଡିସପନେସାରି ଖୋଲାଥିଲା। ‌ରୋଗୀଙ୍କୁ ଜରୁରୀକାଳୀନ ପରାମର୍ଶ ଦିଆଯାଉଥିଲା। ଜୀବନକୁ ବାଜି ଲଗାଇ ଏହି କରୋନା ଯୋଦ୍ଧାମ‌‌ାନେ ଡ୍ୟୁଟି କରିଥିଲେ। ଟିକା ଆସିବାପରେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ଜାନୁଆରି ୯ ତାରିଖ ପ୍ରଥମ ପର୍ଯ୍ୟାୟର ‌ଶେଷ ତାରିଖ ଥିଲା। ମାତ୍ର ସେମାନଙ୍କୁ ଟିକା ମିଳିନଥିଲା। ଏ ନେଇ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଥିଲେ ବି କିଛି ସୁଫଳ ମିଳିନାହିଁ। ସେମାନଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଦର୍ଶାଇ ଏଥିରୁ ବାଦ୍‌ ଦିଆଯାଇଥିବା ଦର୍ଶାଯାଇଛି।

ଏ ସଂପର୍କରେ ଇଏସଆଇ ହସ୍ପିଟାଲର ଡାକ୍ତର ସୂର୍ଯ୍ୟନାରାୟଣ ପାଢୀଙ୍କ କହିବ‌ା କଥା, ତିନି ଡିସପେନସାରିରେ କାମ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଦର୍ଶାଇ ଟିକା ଦିଆଯାଇନାହିଁ। ଚୌଦ୍ବାର ଇଏସଆଇ ମେଡିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପାଇଁ ସାମିଲ କରାଯାଇଥିବାବେଳେ କଟକର ତିନି ଡିସପେନସାରୀ କର୍ମଚାରୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏ ସଂପର୍କରେ ସେମାନେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

The post କରୋନା ଟିକାକରଣରେ ‌ବି କେନ୍ଦ୍ର-ରାଜ୍ୟ ବିବାଦ! ଇଏସ୍‌ଆଇ ହସ୍ପିଟାଲର ୩୦ ଜଣ ଟିକାରୁ ବଞ୍ଚିତ first appeared on Sambad.



from ଜିଲ୍ଲା – Sambad https://ift.tt/3cUxQne