
ମାଣତ୍ରି: ହୁତୁ ହୋଇ ଜଳୁଥିବା ଘର ଭିତରୁ ୫ ବର୍ଷର ପୁଅକୁ ଉଦ୍ଧାର କରିବା ପରେ ମାଆ ଏବେ ଗୁରୁତର। ଜୀବନ ସହ ସଂଘର୍ଷ କରୁଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଦେଉଳିଆ ପଞ୍ଚାୟତ ବଇଁଚା ଗ୍ରାମରେ ଗତକାଲି ରାତିରେ ଘଟିଥିବା ଏହି ଘଟଣା ପୁଅ ପାଇଁ ଜୀବନକୁ ବାଜି ଲଗାଇଥିବା ଜଣେ ମା’କୁ ସାମ୍ନାକୁ ଆଣିଛି।
ପ୍ରାୟ ସାଢ଼େ ୧୦ଟା ସମୟ। ବଇଁଚା ଗ୍ରାମର ଗଣେଶ ସିଂ (୩୨)ଙ୍କ ଛାଳ ଛପର ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହି ସମୟରେ ଗଣେଶ ଓ ପତ୍ନୀ ଫୁଲ(୨୫) ଘରଠାରୁ କିଛି ଦୂରରେ ନିଆଁ ପୁଉଁଥିଲେ। ଘରଟି ଜଳିଉଠିବା ଦେଖି ଭିତରେ ଶୋଇଥିବା ୫ ବର୍ଷର ପୁଅକୁ ଉଦ୍ଧାର କରିବାକୁ ନିଆଁ ବଳୟ ଭିତରକୁ ଲମ୍ଫ ଦେଇଥିଲେ ଫୁଲ। ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଥିଲେ ବି ନିଜେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାରିପଦା ପିଆର୍ଏମ୍ରେ ଭର୍ତ୍ତି କରାଯାଇଛି। ଏବେ ଗୁରୁତର ଅବସ୍ଥାରେ ବଞ୍ଚିବାକୁ ସଂଘର୍ଷ କରୁଥିବା ମା’ କିନ୍ତୁ ନିଜ ସନ୍ତାନର ସୁରକ୍ଷା ପାଇଁ ମୃତ୍ୟୁକୁ ବି ସାମ୍ନା କରିପାରନ୍ତି ବୋଲି ପ୍ରମାଣିତ କରିଛନ୍ତି।
ଏପଟେ ବଡ଼ସାହିରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ବି ସେତେବେଳକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏବେ ପିନ୍ଧାଲୁଗା ଖଣ୍ଡେ ବ୍ୟତୀତ ଗଣେଶଙ୍କ ପାଖରେ କିଛିନାହିଁ।
The post ପୁଅକୁ ବଞ୍ଚାଇବାକୁ ନିଆଁକୁ ଡେଇଁପଡ଼ିଲା ମା’ first appeared on Sambad.
from ଜିଲ୍ଲା – Sambad https://ift.tt/3qcE71y
0 Comments