କଟକ: କଟକ ମହାନଗର ନିଗମ(ସିଏମସି)ରେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଜାଣିଶୁଣି ରେକର୍ଡ ପରିଚାଳନ‌ାରେ ବିଭ୍ରାଟ କରାଯାଇଛି। ଫଳରେ ସିଏମସି ପ୍ରତିବର୍ଷ ପ୍ରଚୁର କ୍ଷତି ସହୁଛି। ଅଡିଟ ବେଳେ କର୍ତୃପକ୍ଷ ପ୍ରକୃତ ତଥ୍ୟ ଦେଇପାରୁନଥିବାରୁ ଅଡିଟର ‌କ୍ଷୁବ୍ଧ ହୋଇଛନ୍ତି। ଅନେକ କ୍ଷେତ୍ରରେ ସିଏମସିକୁ ଅନ୍ଧାର‌ରେ ରଖାଯାଉଛି। ଠିକ୍ ଢଙ୍ଗରେ ରେକର୍ଡ ପରିଚାଳନା କରାଯାଉନଥିବାରୁ ‌ସିଏମସି କୋଟି କୋଟି ଟଙ୍କାର ରାଜସ୍ବ ମଧ୍ୟ ହରାଉଛି। ବାରମ୍ବାର କହିବା ପରେ ମଧ୍ୟ ଅଡିଟ ବେଳେ ‌ତଥ୍ୟ ଦିଆଯାଉନାହିଁ। ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ( ଓଏମସି ରୁଲ-୨୦୧୨) ମୁତାବକ, ସିଏମସି ସମସ୍ତ ରେକର୍ଡ ପରିଚାଳନା କରିବାର ନିୟମ ରହିଛି। ନିୟମ ଆଧାରରେ ସିଏମସିର କେତେ ସଂପତ୍ତି ରହିଛି, ତା’ର ସ୍ଥିତ କ’ଣ ‌‌ସେ ସଂପର୍କିତ ରେକର୍ଡ ପରିଚାଳନା ଜରୁରୀ। ସେହିଭଳି ସିଏମସିର ଆସେଟ( ଉପକରଣ) ରେଜିଷ୍ଟର, ଲୋନ ରେଜି‌ଷ୍ଟର, ୱାର୍କ ରେଜି‌ଷ୍ଟର ଓ ଲ୍ୟାଣ୍ଡ ରେଜିଷ୍ଟର ପରିଚାଳନା ଜରୁରୀ ଥିବା ବେଳେ ଏ ଦିଗ ପ୍ରତି ଆଖି ବୁଜି ଦିଆଯାଇଛି। ଅଡିଟ ରିପୋର୍ଟରେ ଏ ସଂପର୍କିତ ଅନିୟମିତତାକୁ ନେଇ ଅଡିଟର ସ୍ପଷ୍ଟ କରିଛନ୍ତି।

ତଥ୍ୟ ମୁତାବକ, ସଂପତ୍ତି ‌ରେଜିଷ୍ଟ୍ରାରର ଠିକ୍ ପରିଚାଳନା କରାଯାଉନଥିବାରୁ ସିଏମସି ତା’ର ଆୟର ଏକ ବଡ ଉତ୍ସ ସଂପର୍କରେ ଅବଗତ ହୋଇପାରୁନାହିଁ। ଫଳରେ ଏ ବାବଦରେ ରାଜସ୍ବ ହରାଉଛି। ଅଡିଟ ବେଳେ ମଧ୍ୟ ସିଏମସି କର୍ତୃପକ୍ଷ ଏ ସଂପର୍କରେ ଠିକ୍ ତଥ୍ୟ ଦେଇନଥିବା ଉଲ୍ଲେଖ ରହିଛି। ଏହାର ପରିଚାଳନା କରାଯାଉନଥିବାରୁ ଏହା ରାଜସ୍ବ ହାନିର କାରଣ ହେବା ସହିତ ଦୁର୍ନୀତିର ଦ୍ବାର ଖୋଲିଦେଉଛି। ଦାୟିତ୍ବରେ ଥିବା ଅଧିକାରୀ ଏହାର ପରିଚାଳନା କରୁନଥିବାରୁ ଅନିୟମିତତା ସହଜ ହେଉଛି। ସେହିଭଳି ସିଏମସିର କେତେ ଆସେଟସ୍ ବା ଉପକରଣ ରହିଛି, ଏ ସଂପର୍କିତ ଆସେଟସ ରିଜେଷ୍ଟରକୁ ମଧ୍ୟ ପରିଚାଳନା କରାଯାଉନାହିଁ। ଏହାଦ୍ବାରା ସିଏମସିର କେତେ ଆସେଟସ ରହିଛି ସେ ହିସାବକୁ ଗୋଳମାଳ କରି ରଖାଯାଇଛି। ଫଳରେ ମିଛ ବିଲ, ଡବଲ ବୁକିଂକୁ (ଜନିଷ ଥାଇ ପୁନର୍ବାର କିଣିବା) ସହଜ ହେଉଛି। କର୍ତୃପକ୍ଷ ଏ ଦିଗ ପ୍ରତି ମଧ୍ୟ ଆଖିବୁଜି ଦେଇଛନ୍ତି। ସିଏମସିର ଆକାଉଣ୍ଟସକୁ ମଧ୍ୟ ଗୋଳମାଳ କରି ରଖାଯାଇଛି।

ଲୋନ ରେଜିଷ୍ଟର ପରିଚାଳନା କରାଯାଉନାହିଁ। ଫଳ‌ରେ ସିଏମସିର ମୂଳଧନ କେତେ, ସୁଧ କେତେ ତା’ର ମଧ୍ୟ ହିସାବ ମିଳୁନାହିଁ। ଫଳରେ ସିଏମସି ଠିକ ସମୟରେ ସୁଧ ଦେଇ ନପାରି ଜରିମାନା ଦେବାକୁ ବାଧ୍ୟ ହେଉଛି। ସବୁଠୁ ଗୁରୁତର ପ୍ରସଙ୍ଗ ସିଏମସିର ଲ୍ୟାଣ୍ଡ୍ ରେଜିଷ୍ଟର( ଜମି ‌ରେକର୍ଡ) ଆଦୌ ପରିଚାଳନା କରାଯାଉନାହିଁ। ଫଳରେ ଅସ୍ଥାବର ସଂପତ୍ତି( ଜମି) କ‌େତେ? କେଉଁଠି କେତେ ଜାଗା ରହିଛି ତା’ର ମଧ୍ୟ ହିସାବ ରଖାଯାଇନାହିଁ। ଏଭଳି ସ୍ଥିତିରେ ସିଏମସି ଅଞ୍ଚଳରେ ଜବରଦଖଲ ବଢି ବଢି ଚାଲିଛି। କର୍ତୃପକ୍ଷଙ୍କୁ ଅନ୍ଧାରରେ ରଖି ‌ସିଏମସିର କୋଟି କୋଟି ଟଙ୍କ‌ାର ରାଜସ୍ବ ହାନି କରାଯାଉଛି। ଲ୍ୟାଣ୍ଡ୍ ରେକର୍ଡର ଠିକ୍ ପରିଚାଳନା ହେଲେ ସିଏମସି ଅଧିକ ରାଜସ୍ବ ପାଇବ ବୋଲି ଅଡିଟର ମତ ରଖିଛନ୍ତି। ପ୍ରତିବର୍ଷ ଅଡିଟରେ ଏ ନେଇ ଆପତ୍ତି ଉଠୁଥିଲେ ବି ଏହାକୁ କେହି ଖାତିର କରୁ ନଥିବାରୁ ସ୍ଥିତି ଜଟିଳ ହୋଇ ଚାଲିଛି।

The post ଅଡିଟ୍‌ ଧରିଛି ଦୁର୍ନୀତି ଚେର; ରେକର୍ଡ ପରିଚାଳନାରେ ବିଭ୍ରାଟ, ସଂପତ୍ତି, ଜମି ଆସେଟ ରେକର୍ଡର ହିସାବ ନାହିଁ first appeared on Sambad.



from ଜିଲ୍ଲା – Sambad https://ift.tt/2NNddix