
କଟକ: ‘ମ୍ୟାଡମ କେତେ ଦିନ ଭିତରେ ଆମ କାମ ହୋଇଯିବ? ବହୁତ ଅସୁବିଧାରେ ଅଛୁ, ଦିଦି ତମେ ଆମ ଦୁଃଖ ଟିକେ ବୁଝ, ଆମ ମା’ର ଅବସ୍ଥା ଭଲ ନାହିଁ, ଘର ଦ୍ବାର ନାହିଁ ଦୟା କରି ଆମ କାମଟା ଟିକେ କରିଦିଅ।’ ମହାନଗର ନିଗମରେ କାମ କରାଇବାକୁ ଜଣେ ବ୍ୟକ୍ତି ନିଗମର କର୍ମଚାରୀଙ୍କ ପାଖରେ ଏପରି ନେହୁରା ହେଉଥିବା ବେଳେ କାମ କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ସିଏମସିର ଏଷ୍ଟାବିଲ୍ସମେଣ୍ଟ ବିଭାଗର ଜଣେ କର୍ମଚାରୀଙ୍କୁ ଫାଇଲ୍ କାମ କରାଇ ଦେବାକୁ ଜଣେ ବ୍ୟକ୍ତି ୪ ହଜାର ଟଙ୍କା ଲାଞ୍ଚ ଦେଉଥିବାର ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣଙ୍କର ମୁହଁ ଦେଖାଯାଉ ନଥିବା ବେଳେ ସିଏମସି କର୍ମଚାରୀ ଓ ଦଲାଲଙ୍କ ମୁହଁ ସ୍ପଷ୍ଟ ଭାବେ ଦେଖାଯାଉଛି। ଏଷ୍ଟାବ୍ଲିସମେଣ୍ଟ ବିଭାଗରେ କୌଣସି ଏକ କାମ ପାଇଁ ବିଭାଗର ମହିଳା କର୍ମଚାରୀ ଜଣକ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ େମାଟ ୭ ହଜାର ଟଙ୍କା ହେଲା ବୋଲି ଭିଡିଓରେ କହୁଛନ୍ତି।
ଲୋକ ଜଣକ କାମ କରିବାକୁ ମହିଳା କର୍ମଚାରୀଙ୍କୁ ନେହୁରା ହେଉଥିବା ସମୟରେ ‘ସେ ଫାଇଲ୍ କରାଇ ଦେବେ, ତୁମର କହିବାର କିଛିନାହିଁ, ଆମେ ମେନ୍ ଲୋକଙ୍କୁ ଧରିଛୁ’ ବୋଲି ଦଲାଲ ଜଣକ କହୁଛନ୍ତି। ‘ମୁଁ କହିବି ତୁମେ ବ୍ୟସ୍ତ ହୁଅନାହିଁ’ ବୋଲି ମହିଳା କର୍ମଚାରୀ ଜଣକ କାମ ପାଇଁ ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କୁ କହୁଛନ୍ତି। ସିଏମସି ବିଜୁଭବନ ନିକଟରେ ଥିବା କଲ୍ୟାଣ ମଣ୍ଡପ ପରିସରରେ ଏପରି ଲାଞ୍ଚ କାରବାର କରାଯାଉ ଥିବା ବେଳେ ଏହାକୁ ଭିଡିଓ କରାଯାଇଛି। ପୂର୍ବରୁ ନିଗମ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ କାରବାରକୁ ନେଇ ଅନେକ ଅଭିଯୋଗ ଆସୁଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
The post ସିଏମସି କର୍ମଚାରୀଙ୍କ ଲାଞ୍ଚ ନେବା ଭିଡିଓ ଭାଇରାଲ୍; କାମ କରି ଦେବାକୁ ନେଇଛନ୍ତି ୭ ହଜାର ଟଙ୍କା ଲାଞ୍ଚ first appeared on Sambad.
from ଜିଲ୍ଲା – Sambad https://ift.tt/3ku2oho
0 Comments