
ପୁରୀ : ସ୍ବର୍ଗଦ୍ବାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଫିଲ୍ଡ ୱାର୍କର ଭାବେ କାର୍ଯ୍ୟରତ ରଞ୍ଜିତ କୁମାର ରାଉତ (୫୬)ଙ୍କର ମୃତ୍ୟୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗତକାଲି ରଞ୍ଜିତ କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ନେଇଥିଲେ। ତେବେ ସନ୍ଧ୍ୟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପାଟି ଓ ନାକରୁ ଫେଣ ବାହାରିବା ସହ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ପୁରୀ ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ଆଜି ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏସ୍ସିବିକୁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ସରିଥିଲେ ହେଁ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।
ଗୌଡ଼ବାଡ଼ ସାହିର ବାସିନ୍ଦା ରଞ୍ଜିତଙ୍କର ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଥିଲା। ସେ ହୃଦରୋଗୀ ମଧ୍ୟ ଥିଲେ। ତେଣୁ କେଉଁ କାରଣରୁ ତାଙ୍କର ହଠାତ୍ ମୃତ୍ୟୁ ହେଲା, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଅନ୍ୟ ପକ୍ଷରେ ରଞ୍ଜିତଙ୍କ ପତ୍ନୀ, ପୁଅ ଓ ଝିଅ ସମ୍ପୂର୍ଣ୍ଣ ଭାବେ ରଞ୍ଜିତଙ୍କ ଉପରେ ନିର୍ଭରଶୀଳ ଥିବାରୁ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି। ରଞ୍ଜିତ କୋଭିଡ୍ ଯୋଦ୍ଧା ହୋଇଥିବାରୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ପରିବାରବର୍ଗ ଦାବି କରିଛନ୍ତି।
The post କୋଭିଡ୍ ଯୋଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ, ଟିକାର ଦ୍ବିତୀୟ ଡୋଜ୍ ନେବା ପରେ ଅସୁସ୍ଥ ଥିଲେ first appeared on Sambad.
from ଜିଲ୍ଲା – Sambad https://ift.tt/3aGdqwB
0 Comments