
କଟକ : ମାଟ୍ରିକ୍ ପରୀକ୍ଷା ପାଇଁ ଘୋଷଣା ହୋଇଥିବା ମାର୍କ ଡିଷ୍ଟ୍ରିବ୍ୟୁସନ୍କୁ ନେଇ ଏବେ ଉପୁଜିଛି ଦ୍ବନ୍ଦ୍ବ। ଆଶଙ୍କାରେ ଅଛନ୍ତି ପରୀକ୍ଷାର୍ଥୀ ଓ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ସେମାନଙ୍କ ଅଭିଭାବକ ଓ ଶିକ୍ଷକ।
କରୋନା ସ୍ଥିତି ଯୋଗୁଁ ପ୍ରତି ବିଷୟର ମୋଟ ନମ୍ବରକୁ ୧୦୦ରୁ ୮୦କୁ ହ୍ରାସ କରାଗଲା। ପୂର୍ବରୁ ଉଠିଯାଇଥିବା ଓଏମ୍ଆର୍ ବ୍ୟବସ୍ଥାକୁ ପୁଣି ଲାଗୁ କରାଗଲା। କିନ୍ତୁ ଏସବୁ ସୂଚନା ପାଖାପାଖି ମାସେ ପୂର୍ବରୁ ଆସିଛି। ମୋଟ ନମ୍ବର ୮୦ ରୁ ୫୦ ନମ୍ବର ଅବ୍ଜେକ୍ଟିଭ୍ (ଓଏମ୍ଆର୍ ଫର୍ଦ୍ଦରେ ଦିଆଯିବ) ଓ ଅବଶିଷ୍ଟ ୩୦ ନମ୍ବର ସବ୍ଜେକ୍ଟିଭ୍ (ଲିଖିତ ଉତ୍ତର) ପଡ଼ିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଏ ବିଷୟରେ ବୋର୍ଡ ୱେବ୍ସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି। ଅବ୍ଜେକ୍ଟିଭ୍ ବିଭାଗରେ ୧ନମ୍ବର ବିଶିଷ୍ଟ ୫୦ଟି ପ୍ରଶ୍ନ ଆସିବ, ଯାହାର ଉତ୍ତରକୁ ଓଏମ୍ଆର୍ ସିଟ୍ରେ ଦିଆଯିବ। ଏହାକୁ ନେଇ ସନ୍ଦେହ ନାହିଁ। କିନ୍ତୁ ପ୍ରତି ବିଷୟର ସବ୍ଜେକ୍ଟିଭ୍ ୩୦ ନମ୍ବର ହିଁ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଇଂରାଜୀ ବିଷୟର ପ୍ରଶ୍ନ ନଂ-୧ରେ ପଦ୍ୟ ( ପୋଏମ୍)ରୁ ଗୋଟିଏ ୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବାର ସୂଚନା ରହିଛି। ମାଟ୍ରିକ୍ ପରୀକ୍ଷାର ୪୦ ବର୍ଷ ତଳର ଇତିହାସରେ ପୋଏମ୍ରୁ ୫ନମ୍ବର ବିଶିଷ୍ଟ ପ୍ରଶ୍ନ କେବେ ପଡ଼ିନାହିଁ। ପୁଣି ବୋର୍ଡ କର୍ତ୍ତୃପକ୍ଷ ଗତ ସପ୍ଲିମେଣ୍ଟାରି ପରୀକ୍ଷାରେ ଇଂରାଜୀ ପୋଏମ୍ରୁ ଗୋଟିଏ ୧୦ ନମ୍ବର ବିଶିଷ୍ଟ ପ୍ରଶ୍ନ ପକାଇଥିଲେ। ପୋଏମ୍ରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନରେ ପିଲାମାନେ କ’ଣ ଲେଖିବେ ବୋଲି ଜଣେ ବରିଷ୍ଠ ଶିକ୍ଷକ ପ୍ରଶ୍ନ କରିଛନ୍ତି। ବହିରେ ଏପରି ପ୍ରଶ୍ନ ନାହିଁ କି ଶିକ୍ଷକମାନେ ମଧ୍ୟ ଏପରି ପ୍ରଶ୍ନ ଅଭ୍ୟାସ କରାଉନଥିବା ସଂପୃକ୍ତ ଶିକ୍ଷକ କହିଛନ୍ତି। ଅନ୍ୟପକ୍ଷରେ ଇଂରାଜୀ ପତ୍ରଲିଖନ/ଦରଖାସ୍ତ ପାଇଁ ମାତ୍ର ୫ନମ୍ବର ରହିବା କେତେ ଯଥାର୍ଥ ବୋଲି ଶିକ୍ଷକ ଜଣକ ପ୍ରଶ୍ନ କରିଛନ୍ତି।
The post ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଶୈଳୀକୁ ନେଇ ଦ୍ବନ୍ଦ୍ବ first appeared on Sambad.
from ଜିଲ୍ଲା – Sambad https://ift.tt/2LepUlp
0 Comments