କଟକ : କଟକ ବଡ଼ଡାକ୍ତରଖାନା (ଏସ୍‌ସିବି)ରେ ଥ୍ରି-ଡି ଆନାଟୋମେଜ୍ ଟେବୁଲ, ଏସ୍‌ସିବି ବାଟିକା ଓ ଆଇ୍‌ ଲଭ୍‌ ଏସ୍‌ସିବି ସେଲ୍‌ଫି ଜୋନ୍‌କୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ଘାଟନ କରିଛନ୍ତି। ପାଖାପାଖି ୨କୋଟି ଟଙ୍କା ବ୍ୟୟରେ ଏହି ଆନାଟୋମେଜ୍‌ ଟେବୁଲ ମାଧ୍ୟମରେ ଏଣିକି ବିନା ମୃତଦେହରେ ଆନାଟୋମି ପାଠ ପଢିବେ ଡାକ୍ତରୀ ଛାତ୍ରଛାତ୍ରୀ। ମୃତଦେହ ନେଇ ଯେଉଁ ସମସ୍ୟା ରହୁଥିଲା ତାହା ଆଉ ରହିବନି।

ଏଥିସହ ଏସ୍‌ସିବି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଟିକା ଓ ସେଲ୍‌ଫି ଜୋନ୍‌କୁ ମନ୍ତ୍ରୀ ଶ୍ରୀ ଦାସ ଉଦଘାଟନ କରିଥିବା ବେଳେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି। କାଜୁଆଲିଟିରେ ଭିଡ, ବିଭିନ୍ନ ବିଭାଗର ବ୍ୟବସ୍ଥା, ସଫେଇ, ସୁରକ୍ଷା, ଟ୍ରାଫିକ୍‌ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।

ବୈଠକରେ କାଜୁଆଲିଟିର ଭିଡ଼ ନିୟନ୍ତ୍ରଣ ପାଇଁ ଏହାକୁ ସ୍ଥାନାନ୍ତର ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ କେଉଁଠିକୁ ସ୍ଥାନାନ୍ତର କରାଯିବ, ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଅନ୍ୟପଟେ ଲିଭର ପ୍ରତିରୋପଣ ବ୍ୟବସ୍ଥା, ଓପନ୍‌ ହାର୍ଟ ସର୍ଜରି, କାଜୁଆଲିଟିର ସୁଧାର ଉପରେ ଗୁରୁତ୍ବ ଦିଆଯାଇଥିଲା।

ଏହି ଉଚ୍ଚସ୍ତରୀୟ ବୈଠକରେ ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଯୁଗ୍ମ ଡିଏମ୍‌ଇଟି ଡାକ୍ତର ବ୍ରଜ ଦାସଙ୍କ ସମେତ ଏସ୍‌ସିବିର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ।।

The post ବିନା ମୃତଦେହରେ ପାଠ ପଢ଼ିପାରିବେ ଆନାଟୋମି ଛାତ୍ରଛାତ୍ରୀ first appeared on Sambad.



from ଜିଲ୍ଲା – Sambad https://ift.tt/3jciM5q