
ରୋଗୀ, କର୍ମଚାରୀ ସୁରକ୍ଷିତ
ହସ୍ପିଟାଲର ନଥିଲା ଅଗ୍ନିଶମ ସୁରକ୍ଷା ସାର୍ଟିଫିକେଟ୍
୫ ମାସରେ କଟକରେ ଦ୍ବିତୀୟ ଘରୋଇ ହସ୍ପିଟାଲ ଅଗ୍ନିକାଣ୍ଡ
କଟକ: କଟକ ତୁଳସୀପୁରସ୍ଥିତ ସନ୍ ହସ୍ପିଟାଲ୍ରେ ଆଜି ଭୟାବହ ଅଗ୍ନିକାଣ୍ତ ଘଟିଛି। ଅଗ୍ନିକାଣ୍ତରେ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ଅଫିସ ଓ ଟ୍ରେନି˚ ହଲ୍ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ହସ୍ପିଟାଲ ଉପର ମହଲାର ଖୁବ୍ଉଚ୍ଚକୁ ଧୂଆଁ ଉଠିଥିବାବେଳେ ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏମିତିକି ସିଡିଏ ପର୍ଯ୍ୟନ୍ତ ଏହି ଧୂଆଁ ଦେଖାଯାଇଥିଲା। ଉପର ମହଲାରେ ଲୁହାର ଏକ ଷ୍ଟ୍ରକ୍ଚର ଓଲଡି˚ କାମ ଚାଲିଥିବାବେଳେ ଅଗ୍ନିକାଣ୍ତ ଘଟିଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି। ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ସଂପର୍କରେ ଅଧିକ ତଦନ୍ତ ଚାଲିଛି। ନିଆଁ ଲାଗି ଯିବାପରେ ହସପିଟାଲ୍ର ତୃତୀୟ ମହଲାରେ ଥିବା ମୋଟ ୮ ଜଣ ରୋଗୀଙ୍କୁ ସହରର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ରୋଗୀ, ସଂପର୍କୀୟ ଅଥବା କର୍ମଚାରୀଙ୍କର କୌଣସି ବିଶେଷ କ୍ଷତି ହୋଇ ନଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସନ୍ ହସପିଟାଲ୍ର ସାମନା ପଟେ ଆଜି ଦିନ ପ୍ରାୟ ୧୧ଟା ୩୦ ବେଳେ ହଠାତ୍ ଧୂଆଁ ଉଠିଥିଲା। କିଛି ସମୟ ପରେ ନିଆଁ ପୂରା ପଞ୍ଚମ ମହଲାରେ ବ୍ୟାପି ଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ହସ୍ପିଟାଲର ତୃତୀୟ ମହଲାରେ ଥିବା ୮ ଜଣ ରୋଗୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବା ସହିତ ହସପିଟାଲ୍ର ସମସ୍ତ କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବକ୍ସିବଜାର ଅଗ୍ନିଶମ ବିଭାଗ ତୁରନ୍ତ ସେଠାରେ ପହଞ୍ଚିଥିଲା। ପରେପରେ ଚାଉଳିଆଗଞ୍ଜ, ସିଡିଏ, ଟାଙ୍ଗୀ-ଚୌଦ୍ବାର, ବାରଙ୍ଗର ଅଗ୍ନିଶମ କେନ୍ଦ୍ରରୁ ମୋଟ ୭ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ନିଆଁ ଲିଭାଇବାରେ ମୋଟ ୬୦ ଜଣ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଥିଲେ। ନିଆଁ ଲିଭିଥିଲେ ସୁଦ୍ଧା ହସ୍ପିଟାଲ୍ ଭିତରେ ଧୂଆଁ ଭର୍ତ୍ତି ହୋଇଯାଇଥିବାରୁ ସ୍ମୋକ୍ ଏକ୍ସଟ୍ରାକ୍ଟର ମାଧ୍ୟମରେ ଧୂଆଁ ବାହାରକୁ କଢ଼ା ଯାଇଥିଲା। ପ୍ରାୟ ୩ ଘଣ୍ଟା ଭିତରେ ନିଆଁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଥିଲା।

ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁ କହିଛନ୍ତି ଯେ ସନ୍ ହସପିଟାଲ୍ରେ ଅଗ୍ନି ନିରାପତ୍ତ ସାର୍ଟିଫିକେଟ୍ ନାହିଁ। ସାମ୍ନା ପଟ ପଞ୍ଚମ ମହଲାରେ ଓଲଡି˚ ଚାଲିଥିବାବେଳେ ଅଗ୍ନିକାଣ୍ତ ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। କିନ୍ତୁ ଅଗ୍ନିକାଣ୍ତର ପ୍ରକୃତ କାରଣ ଖୋଳତାଡ଼ କରିବା ପାଇଁ ସେଣ୍ଟ୍ରାଲ୍ ସର୍କଲ ଡେପୁଟି ଫାୟାର ଅଫିସର ଟି.କେ ବାବୁଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତାକାଲିଠାରୁ ଏ ନେଇ ସେ ତଦନ୍ତ କରିବେ ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି। ଅନ୍ୟପଟେ ସନ୍ ହସପିଟାଲର ଫାଇନାନ୍ସ ଅଫିସର ପ୍ରାଣବନ୍ଧୁ ମହାନ୍ତିଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୩୦ ବେଳେ ହସ୍ପିଟାଲର ସାମନା ପଟୁ ହଠାତ୍ ଧୂଆଁ ବାହାରିଥିଲା। କିଛି ସମୟ ଭିତରେ ଉପର ମହଲାରେ ନିଆଁ ମାଡ଼ି ଯାଇଥିଲା। କିନ୍ତୁ ସବୁ ରୋଗୀ ଓ କର୍ମଚାରୀଙ୍କୁ ସୁରକ୍ଷାର ସହିତ ବାହାରକୁ ଅଣାଯାଇଥିଲା। ଟ୍ରେନି˚ ହଲ୍ରେ ଥିବା ଏସିରେ ସର୍ଟ ସର୍କିଟ୍ ଯୋଗୁଁ ହୁଏତ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି। କେବଳ ଉପର ମହଲାରେ ନିଆଁ ବ୍ୟାପିଛି। ଅନ୍ୟ କୌଣସି ମହଲାରେ ନିଆଁ ବ୍ୟାପିନଥିବା ଶ୍ରୀ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଜଗତପୁରର ସଦ୍ଗୁରୁ ହସ୍ପିଟାଲରେ ସର୍ଟ ସର୍କିଟରୁ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସେହି ସମୟରେ ହସ୍ପିଟାଲରେ କୋଭିଡ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା। ଅଗ୍ନିକାଣ୍ଡ ପରେ ଅନେକ ରୋଗୀ ଗୁରୁତର ହୋଇପଡ଼ିଥିଲେ। ୫ ମାସ ଭିତରେ କଟକରେ ଘରୋଇ ହସ୍ପିଟାଲରେ ଏଭଳି ଦ୍ବିତୀୟ ଅଗ୍ନିକାଣ୍ଡ ଘଟିଛି।
The post ସନ୍ ହସ୍ପିଟାଲ୍ରେ ଅଗ୍ନିକାଣ୍ତ; ୭ ଦମକଳ ଗାଡ଼ି, ୬୦ କର୍ମଚାରୀ ୩ଘଣ୍ଟା ନୟାନ୍ତ first appeared on Sambad.
from ଜିଲ୍ଲା – Sambad https://ift.tt/3avhRJE
0 Comments