କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ଆସିକା ଥାନା ଇଲାକାରେ ବେଆଇନ୍ ମଦ କାରବାର ଯେଭଳି କୁଟୀରଶିଳ୍ପ ଭଳି ମାଡ଼ିଚାଲିଛି, ଏହାକୁ ନେଇ ବଡ଼ଧରଣର ହିଂସା ଆଶଙ୍କା କରାଯାଉଥିଲା। ଏବେ ତାହା ସତରେ ପରିଣତ ହୋଇଛି। କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମଦ ବେପାରୀଙ୍କ ମୁଣ୍ଡ ଗଡ଼ିଛି। ମୃତକ ‌େହଲେ,ବାଉଁଶିଆ ଗ୍ରାମର ସୁରେନ୍ଦ୍ର ବିଶ୍ବାଳଙ୍କ ପୁଅ ସୁଶାନ୍ତ ବିଶ୍ବାଳ (୩୫)। ମୁଣ୍ଡ ଓ ଗୋଡ଼ରେ ଖଣ୍ଡାଚୋଟ ପକାଯାଇ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସୂଚନାନୁସାରେ, ସୁରେନ୍ଦ୍ର ଓ ମାମୁ ଶ୍ବଶୁରଙ୍କ ପୁଅ ତଥା ଶାଳକ ଧୋବା ରାଉତ ମିଶି ବାଉଁଶିଆ ଗ୍ରାମ ପାହାଡ଼ ପାଖ ଆମ୍ବତୋଟାରେ ଏକ କୁଡ଼ିଆରେ ବେଆଇନ୍ ଦେଶୀ ଓ ବିଦେଶୀ ମଦ ବେପାର କରୁଥିଲେ। ଗତକାଲି ରାତି ପ୍ରାୟ ୮ଟା ବେ‌ଳେ ୩ ଜଣ ଯୁବକ ହଠାତ୍ କୁଡ଼ିଆ ପାଖରେ ପହଞ୍ଚି ସୁଶାନ୍ତଙ୍କୁ ଡାକିଥିଲେ। ସୁଶାନ୍ତ ବାହାରକୁ ଆସିବା କ୍ଷଣି ତାଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଚମ୍ପଟ୍ ମାରିଥିଲେ। ଶାଳକ ଧୋବା ସଂଗେ ସଂଗେ ଏନେଇ ପରିବାରବର୍ଗଙ୍କୁ ସୂଚନା ଦେବା ପରେ ସମସ୍ତେ ପହଞ୍ଚି ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଆଜି ଭୋର୍ ୪ଟାରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା।

(ଫାଇଲ୍‌ ଫଟୋ)

ମୃତକ ସୁଶାନ୍ତଙ୍କ ବାପା ସୁରେନ୍ଦ୍ରଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ କେସ୍ ନମ୍ବର ୨୮/୨୧ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏହାସହ ଥାନାଧିକାରୀ ପ୍ରଭାତ କୁମାର ସାହୁ, ଏସ୍‌ଆଇ ଅର୍ଜୁନ କହଁର ଓ ଏଏସ୍‌ଆଇ ଓମପ୍ରକାଶ ପାତ୍ରଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଥିଲେ। କୁଡ଼ିଆ ପାଖରେ କିଛି ଖାଲି ମଦ ପାଉଚ୍ ଦେଖିବାକୁ ମିଳିଛି। କୌଣସି ମାରଣାସ୍ତ୍ର ବି ଜବତ ହୋଇନି। ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି। ଏହାସହ ବାଉଁଶିଆ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଶାଳକ ଧୋବାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ହତ୍ୟାକାଣ୍ଡ ପଛରେ ପୂର୍ବ ବିବାଦ ନା ମଦ ବେପାର କାରଣ ରହିଛି, ଏହାକୁ ନେଇ ଖୋଳତାଡ଼ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ ବୋଲି ପୁଲିସ କହିଛି। ମୃତକ ସୁଶାନ୍ତ ବିବାହିତ ଓ ତାଙ୍କର ଦୁଇ ପୁଅ ଅଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

The post ଗଞ୍ଜାମରେ ବେପାରୀଙ୍କ ମୁଣ୍ଡ ଗଡ଼ିଲା : ମଦ ପାଇଁ ହତ୍ୟା first appeared on Sambad.



from ଜିଲ୍ଲା – Sambad https://ift.tt/3cvDRqc