
କେନ୍ଦୁଝର : ଜାଲ୍ ଦସ୍ତାବିଜ ଦେଇ ଟେଣ୍ଡର ହାତେଇଥିଲେ। ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶନ ପରେ ଚେଇଁ ଉଠିଛି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ। ଜଣକ ପରେ ଜଣେ ଠିକାଦାରଙ୍କ ବିରୋଧରେ କେନ୍ଦୁଝର ଟାଉନ୍ ଥାନାରେ ମାମଲା ରୁଜୁ କରୁଛି। ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ , ସୁରେନ୍ଦ୍ର ଭୂୟାଁଙ୍କ ପରେ ତିନି ନମ୍ବରରେ ପାଳି ପଡ଼ିପଡ଼ିଛି ରବୀନ୍ଦ୍ର ସାହୁଙ୍କର। ଟେଣ୍ଡର ହାତେଇବା ପାଇଁ ନକଲି ବାଲାନସ୍ ସିଟ୍, ପ୍ରଫିଟ ଲସ୍ ଷ୍ଟେଟମେଣ୍ଟ ଦେଇଥିବା ନେଇ ‘ସମ୍ବାଦ’ ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ତଦନ୍ତ କରି ଜାଲିଆତି ସଂପର୍କରେ ଜାଣିବାକୁ ପାଇ ଆଜି କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଏହି ଠକେଇ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ ଯେ, ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ରବୀନ୍ଦ୍ର କୁମାର ସାହୁ ଚାରୋଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ପାଇଁ ଆବେଦନ କରିଥିଲେ। ଏଥିରେ ରହିଛି ଟିକାରା ଠାରୁ ସାନ ମଶିଣାବିଲା ପର୍ଯ୍ୟନ୍ତ ରାସ୍ତା ପ୍ୟାକେଜ ନଂ-ଓଆର-୧୭-୫୯୦, ଝାଲକଣି ଠାରୁ ଜିରାଙ୍ଗ ରାସ୍ତା ପ୍ୟାକେଜ ନଂ-ଓଆର-୧୭-୬୪୪, ହାଟଡିହି ଠାରୁ ରୁଗୁଡି ସାହି ପର୍ଯ୍ୟନ୍ତ ରାସ୍ତା ପ୍ୟାକେଜ୍ ନଂ-ଓଆର-୧୭-୬୪୨ । ଏହି ରାସ୍ତା କାମ ପାଇଁ ଟେଣ୍ଡର ଯୋଗ୍ୟତା ହାସଲ ପାଇଁ ଯେଉଁ ବାଲାନସ୍ ସିଟ୍ ଏବଂ ପ୍ରଫିଟ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ଦାଖଲ କରାଯାଇଥିଲା ତାହା ଜାଲ୍ ଥିଲା।
ରବୀନ୍ଦ୍ର କୁମାର ସାହୁଙ୍କ ବାଲାନସ୍ ସିଟ୍ରେ ୨୦୧୫-୧୬ ମସିହା ପାଇଁ ୭ କୋଟି ୯୮ ଲକ୍ଷ ୨୫ ହଜାର ୩୫୩ ଟଙ୍କାର କାରବାର ହୋଇଥିବା ଦର୍ଶାଇଥିବାବେଳେ ୨୦୧୬-୧୭ ମସିହାରେ ୧୫ କୋଟି ୬୭ ଲକ୍ଷ ୮୯ ହଜାର ୬୪୦ ଟଙ୍କା, ୨୦୧୭-୧୮ ମସିହାରେ ୧୬ କୋଟି ୬୫ ଲକ୍ଷ ୯୮ ହଜାର ୬୮୦ ଟଙ୍କା, ୨୦୧୮-୧୯ ମସିହାରେ ୧୪ କୋଟି ୫୦ ଲକ୍ଷ ୮୭ ହଜାର ୯୦୦ ଟଙ୍କା, ୨୦୧୯-୨୦ ମସିହାରେ ୧୬କୋଟି ୬୫ ଲକ୍ଷ ୯୮ ହଜାର ୬୮୦ ଟଙ୍କା କାରବାର ହୋଇଥିବା ଦର୍ଶାଯାଇ ଥିଲେ। ଏହି ବାଲାନସ୍ ସିଟ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ସାମଲ ଆସୋସିଏଟ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବରେ ଏହା ଏକ ଜାଲ୍ ବାଲାନସ୍ ସିଟ୍ ବୋଲି ସ୍ପଷ୍ଟ କରିଥିଲେ ସାମଲ ଆସୋସିଏଟ୍। ସେହିପରି ଟେଣ୍ଡର ପାଇଁ ହୋଇଥିବା ଆବେଦନରେ ଯେଉଁ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ଦାଖଲ ହୋଇଛି ତହା ମଧ୍ୟ ଜାଲ୍ ବୋଲି ଜଣାପଡ଼ିଛି। ଦାଖଲ ହୋଇଥିବା ଷ୍ଟେଟମେଣ୍ଟରେ ସାମଲ ଆସୋସିଏଟ୍ର ସ୍ବାକ୍ଷର ରହିଛି। ମାତ୍ର ବାସ୍ତବରେ ସାମଲ ଆସୋସିଏଟ୍ ପକ୍ଷରୁ ଏହା ପ୍ରସ୍ତୁତ କରାଯାଇ ନ ଥିଲା। ସବୁଠୁ ବଡ଼ କଥା ହେଉଛି ରବୀନ୍ଦ୍ର କୁମାର ସାହୁ ଦାଖଲ କରିଥିବା ବାଲାନସ୍ ସିଟ୍ ଏବଂ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟମେଣ୍ଟରେ ୟୁଡିଆଏନ ନମ୍ବର(ୟୁନିକ୍ ଡକୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର) ନ ଥିଲା। ଏ ସଂପର୍କରେ ଗତ ୩୦ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା।
ଏହାପୂର୍ବରୁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ , ସୁରେନ୍ଦ୍ର ଭୂୟାଁ ଟେଣ୍ଡର ହାତେଇବା ପାଇଁ ସମାନ ପ୍ରକାର ଚଞ୍ଚକତା କରି ଧରାପଡ଼ିଥିଲେ। ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ରବୀନ୍ଦ୍ର ସାହୁଙ୍କ ଦସ୍ତାବିଜ ନକଲି ବୋଲି ଜଣାପଡିବା ପରେ ଅଯୋଗ୍ୟ ଘୋଷଣା କରିବା ସହିତ ଲାଇସେନ୍ସ ବାତିଲ ପାଇଁ କାରଣ ଦର୍ଶାଅ ନୋଟିସ୍ କରିଥିଲା। ଏହାପରେ ଆଜି ଟାଉନ ଥାନାରେ ମାମଲା ରୁଜୁ ହୋଇଛି।
ସେହିପରି ମହାବୀର ଇନଫ୍ରା ଡେଭଲପର ପ୍ରା:ଲି ଏବଂ ଧବଳେଶ୍ବର ପଟ୍ଟନାୟକ ପ୍ରମୁଖ ଠିକା ସଂସ୍ଥା ‘କଣ୍ଟ୍ରାକ୍ଟ ସାଟିଫିକେଟ’ ସଂପର୍କିତ ତଥ୍ୟ ଲୁଚାଇ ଥିବା ବେଳେ ଦାଖଲ କରିଥିବା ମେସିନ କିଣା ବିଲ୍ ନକଲି ବୋଲି ସମ୍ବାଦରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ବର୍ତ୍ତମାନ ଏ ସଂପର୍କରେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
The post ଧରାପଡ଼ିଲା ଜାଲିଆତି, ଏବେ କାଠଗଡ଼ାକୁ ଟଣାହେବେ : ଆଉ ଜଣେ ଠିକାଦାରଙ୍କ ବିରୋଧରେ ମାମଲା first appeared on Sambad.
from ଜିଲ୍ଲା – Sambad https://ift.tt/3cDGt5r
0 Comments