ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନ ଅନ୍ତର୍ଗତ ସମ୍ବଲପୁର-ହୀରାକୁଦ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଏହି ଦୁଇ ଷ୍ଟେସନ୍‌ ମଧ୍ୟରେ ଥିବା ଦ୍ବିତୀୟ ମହାନଦୀ ପୋଲ ନିର୍ମାଣ ଇତି ମଧ୍ୟରେ ଶେଷ ହୋଇଛି ଓ ରେଳ ଦୌଡ଼ିବା ପାଇଁ ଏହି ଲାଇନ୍‌ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଆସନ୍ତା ୧୬ ତାରିଖରେ ରେଳବାଇ ନିରାପତ୍ତା ଆୟୁକ୍ତ ଏଏମ୍‌ ଚୌଧୁରୀ ଉଭୟ ନବନିର୍ମିତ ଦ୍ବିତୀୟ ଲାଇନ୍‌ ଓ ବିଦ୍ୟୁତୀକରଣ କାର୍ଯ୍ୟର ନିରୀକ୍ଷଣ କରିବେ। ତାଙ୍କ ଉପସ୍ଥିତିରେ ସକାଳ ୮ଟାରୁ ସଂଧ୍ୟା ୪ଟା ମଧ୍ୟରେ ସ୍ପିଡ୍ ଟ୍ରାଏଲ୍‌ କରାଯିବ। ସେହିପରି ୧୭ ତାରିଖ ଦିନ ସମ୍ବଲପୁର-ରାୟପୁର ସେକ୍‌ସନର କଣ୍ଟାବାଞ୍ଜିରୁ ତୁରେକେଲା ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟର ନିରୀକ୍ଷଣ ସହ ସ୍ପିଡ୍ ଟ୍ରାଏଲ୍‌ କରାଯିବ। ଉପରୋକ୍ତ ଦିନ ଓ ସମୟ ମଧ୍ୟରେ ଜନସାଧାରଣ ରେଳଲାଇନ୍‌ ଦେଇ ଯିବା ଆସିବା ନ କରିବାକୁ ରେଳବାଇ ପକ୍ଷରୁ କହାଯାଇଛି।

ଉଲ୍ଲେଖଯୋଗ୍ୟ, ବହୁ ବର୍ଷ ହେଲା ଚାଲିଥିବା ୧୮୨ କିଲୋମିଟର୍‌ ବିଶିଷ୍ଟ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନର ଦୋହରୀକରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୁରୁଣା ଲାଇନ୍‌ର ବିଦ୍ୟୁତୀକରଣ ଶେଷ ହୋଇଥିବା ବେଳେ ନୂଆ ଲାଇନ୍‌ ତିଆରି ସହ ତା’ର ବିଦ୍ୟୁତୀକରଣ କାର୍ଯ୍ୟ ସମାନ୍ତରାଳ ଭାବେ ଚାଲିଛି। ଏହି ପ୍ରକଳ୍ପ ଶେଷ କରିବା ପାଇଁ ଚଳିତ ବର୍ଷ ରେଳ ବଜେଟ୍‌ରେ ୨୦୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଗତ ବର୍ଷ ଏଥି ପାଇଁ ୩୮୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ବି କରୋନା କାରଣରୁ କାମ ଧିମାଇ ଯିବାରୁ ଶେଷ ହୋଇପାରି ନଥିଲା। ସମ୍ବଲପୁରରୁ ହୀରାକୁଦ ୭.୩ କିଲୋମିଟର୍‌ ଲାଇନ୍ ପ୍ରସ୍ତୁତ ହେବା ସହ ଏହି ସେକ୍‌ସନ‌୍‌ରେ ବର୍ତ୍ତମାନ ସମ୍ବଲପୁରରୁ ଦେଓବାହାଲ୍‌, ବରପାଲିରୁ ସିକିର୍‌ ଷ୍ଟେସନ୍‌ ପର୍ଯ୍ୟନ୍ତ ସିଂହଭାଗ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଦେଓବାହାଲରୁ ବରପାଲି ୩୧ କିଲୋମିଟର୍‌ ଓ ସିକିର୍‌ରୁ ଟିଟିଲାଗଡ଼ ୧୦ କିଲୋମିଟର୍‌କୁ ମିଶାଇ ମୋଟ ୪୧ କିଲୋମିଟର୍‌ କମିସନିଂ ବାକି ରହିଛି। ଦେଓବାହାଲ୍‌ରୁ ବରଗଡ଼ ମଧ୍ୟରେ ଦନ୍ତା ନଦୀ ଓ ବରଗଡ଼ରୁ ବରପାଲି ମଧ୍ୟରେ ଜୀରା ନଦୀ ପୋଲ ନିର୍ମାଣ ପାଇଁ ଦୋହରୀକରଣ କାର୍ଯ୍ୟ ବିଳମ୍ବିତ ହୋଇଥିବା ବେଳେ ଆଗାମୀ ଆର୍ଥିକ ବର୍ଷରେ ଏହା ସଂପୂର୍ଣ୍ଣ ହୋଇଯିବ ବୋଲି ଆଶା କରାଯାଉଛି।

The post ସମ୍ବଲପୁର-ହୀରାକୁଦ ନୂଆ ଲାଇନ୍‌ରେ ଦୌଡ଼ିବ ଟ୍ରେନ୍ : ଚଳିତ ବ‌ର୍ଷ ସରିବ ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ! first appeared on Sambad.



from ଜିଲ୍ଲା – Sambad https://ift.tt/3qnLcvY