ନବରଙ୍ଗପୁର : ଚାରାରୋପଣରେ ଦୁର୍ନୀତି ନେଇ ବର୍ତ୍ତମାନ ଯାଜପୁର ଜିଲ୍ଲା ଚର୍ଚ୍ଚାରେ ରହିଥିଲାବେଳେ ଏହା ପଛକୁ ଯୋଡ଼ି ହୋଇଯାଇଛି ନବରଙ୍ଗପୁର ଜିଲ୍ଲା। ଏହି ଜିଲ୍ଲାରେ ଚାରାରୋପଣ ନଁାରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଦେଖିବାକୁ ମିଳିଛି। ଗତ ଦୁଇବର୍ଷ ତଳେ ପ୍ରାୟ ୫ହେକ୍ଟର ଜମିରେ ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଅଟକଳରେ ଚାରାରୋପଣ କରାଯାଇଥିଲାବେଳେ ଏବେ ସେହି ଜମିରେ ଗୋଟିଏ ବି ଗଛ ଦେଖିବାକୁ ମିଳୁନି। ଆଶ୍ଚର୍ଯ୍ୟର କଥା ଏହି କି ଯେ ଉକ୍ତ ଜମିରେ ବର୍ତ୍ତମାନ କାନ୍ଦୁଲ ଚାଷ ହୋଇଛି। ଫଳରେ, ଚାରାରୋପଣରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଜଳଜଳ ଦିଶୁଛି।

ସୂଚନା ଅନୁସାରେ, ତେନ୍ତୁଳିଖୁଣ୍ଟି ବ୍ଲକ୍ ପୂଜାରୀଗୁଡ଼ା ଗାଁର ମୁଖ୍ୟ ରାସ୍ତା କଡ଼ରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ୨ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ୫ହେକ୍ଟର ପଡ଼ିଆ ଜମିରେ ଘଞ୍ଚ ଆମ୍ବଗଛ ବଗିଚା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୋହନ ପୂଜାରୀ, କିଶୋର ପୂଜାରୀ, କମଳ ପୂଜାରୀ, ‌ବେଲାଳ ସେନ ନାୟକ, ଗିରିଧର ମାଝୀ, ହରେକୃଷ୍ଣ ମାଝୀ, ଜଗନ୍ନାଥ ପୂଜାରୀ, କେତ ମାଝୀ, ଜଗନ୍ନାଥ ସିଂ, ଦିନୁ ପୂଜାରୀ ଆଦି ଚାଷୀଙ୍କ ଜମିରେ ପ୍ରାୟ ୧ହଜାର ଚାରା ଲାଗିଥିଲା। ଚାଷୀମାନଙ୍କ କହିବା ଅନୁଯାୟୀ, ‘ ଉଦ୍ୟାନ ବିଭାଗ ଆସି କେବଳ ଗଛ ଦେଇ ଚାଲିଗଲା। ଆମେ ଗତ ୨୦୧୮ ମସିହା ଅଗଷ୍ଟ ମାସରେ ନିଜେ ଗାତ ଖୋଳିବା ସହ ଚାରାରୋପଣ କରିଥିଲୁ। ତା’ ପରଠାରୁ କୌଣସି କର୍ମଚାରୀଙ୍କ ଦେଖାମିଳିଲାନାହିଁ। ଏପରିକି ଗଛ ବଞ୍ଚିବା ପାଇଁ ସାର, ସବୁଜ ନେଟ୍ ଓ କୀଟନାଶକ ଔଷଧ ମଧ୍ୟ ଦିଆଗଲାନାହିଁ।’ ଏ ସଂକ୍ରାନ୍ତରେ ବାରମ୍ବାର ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ କିଛି ଚାଷୀଙ୍କୁ ସବୁଜ ଛାୟା ନେଟ୍ ଦିଆଯାଇଥିଲା। ତାହା ବି ସମସ୍ତ ଚାଷୀଙ୍କୁ ମିଳିନାହିଁ। ସେହି ସମୟରେ କିଛି ଶ୍ରମିକଙ୍କୁ ମଜୁରୀ ମିଳିଥିଲା କିନ୍ତୁ ବଗିଚାର ରକ୍ଷଣାବେକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ।

ଅନଲାଇନରୁ ମିଳିଥିବା ତଥ୍ୟ ଅନୁଯାୟୀ ଆମ୍ବଗଛ ଚାରାରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ୨୦୭ଜଣ ଶ୍ରମିକ କାମ କରି ୬୩୦ ଶ୍ରମ ଦିବସ ସୃଷ୍ଟି ହୋଇଛି। ଏଥିପାଇଁ ଶ୍ରମିକ ମାନଙ୍କୁ ୧ଲକ୍ଷ ୧୩ହଜାର ଟଙ୍କା ପ୍ରଦାନ କରାଗଲା ଭଳି ଦର୍ଶାଯାଇଛି। କିନ୍ତୁ ଚାଷୀଙ୍କୁ ମିଳିନଥିବା ଅଭିଯୋଗ କରିଛନ୍ତି। ସେହିଭଳି ଆମ୍ବଗଛ ବଗିଚା ସୃଷ୍ଟି ପାଇଁ ସାର, ସବୁଜ ଛାୟା ନେଟ୍, କୀଟନାଶକ ଔଷଧ ଆଦି ପାଇଁ ପ୍ରାୟ ୧ଲକ୍ଷ ୧୪ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଯଦି ସରକାରଙ୍କ ନିୟମ ଅନୁଯାୟୀ ବିଭାଗୀୟ କର୍ମଚାରୀ ଗଛ ଲଗାଇବାପରେ ମିଳିବାକୁ ଥିବା ସମସ୍ତ ଜିନିଷ ପତ୍ର ଦେବା ସହ ରକ୍ଷଣାବେକ୍ଷଣ ପାଇଁ ଉପଯୁକ୍ତ ପରାମର୍ଶ ଦେଇଥାନ୍ତେ ତେବେ ଆମ୍ବଗଛ ବଗିଚା ନିଶ୍ଚୟ ସୃଷ୍ଟି ହୋଇଥାନ୍ତା ବୋଲି ଚାଷୀମାନେ କହିଛନ୍ତି।
ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା ଟାଙ୍ଗରା ପଡ଼ିଆ ଜମିରେ ଘଞ୍ଚ ଆମ୍ବଗଛ ପ୍ରତିଷ୍ଠା କରିବା। ସେଥିପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରାୟ ୧ହଜାର ଆମ୍ବ ଗଛ ଲାଗିଥିଲା। ଏହି ଗଛର ରକ୍ଷଣାବେକ୍ଷଣ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରିବାର ବ୍ୟବସ୍ଥା ବି ରହିଥିଲା। ତେବେ ଆମ୍ବ ଚାରାରୋପଣ ହେବା ପରେ ଏହାର ରକ୍ଷଣାବେକ୍ଷଣ କରାଯାଇ ନଥିବାରୁ ଏହି ଯୋଜନାର ମୂକସାକ୍ଷୀ ଭାବେ କେବଳ ଫଳକଟିଏ ରହିଛି।

The post ଘଞ୍ଚ ଆମ୍ବଗଛ ପ୍ରତିଷ୍ଠା ଯୋଜନା : ଫଳକ ଅଛି, ଗଛ ଗାଏବ first appeared on Sambad.



from ଜିଲ୍ଲା – Sambad https://ift.tt/3qbR0c1