
କୋରେଇ : ରାଜନୀତି ଏବେ ବହୁ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇଥିବାବେଳେ ଜଣେ ବ୍ଲକ୍ ଅଧ୍ୟକ୍ଷାଙ୍କ ପରିବାର ଭଙ୍ଗାଦଦରା ପଲିଥିନଟଙ୍ଗା ଚାଳିଆ ଘରେ ରହୁଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା କୋରେଇ ପଞ୍ଚାୟତ ସମିତିର ଅଧ୍ୟକ୍ଷା ମାଳତୀ ଟୁଡ଼ୁଙ୍କ ପରିବାର ଏପରି ଅସହାୟ ଅବସ୍ଥାରେ ରହିଛନ୍ତି। ୪ ବର୍ଷ ତଳୁ ରାଜନୀତିକୁ ଆସି ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦବିରେ ବସିଥିବା ଏହି ମହିଳା ଜଣକ ଏବେ ବି ମୂଲମଜୁରି ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଭଳି ବଡ଼ ପଦବିରେ ଥିଲେ ବି ଏହି ଗରିବ ମହିଳାଜଣକ କୌଣସି ସରକାରୀ ଯୋଜନାର ଫାଇଦା ଉଠାଇ ନାହାନ୍ତି।
୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ କୋରେଇ ବ୍ଲକ୍ର ଅମୃତିଆ ପଞ୍ଚାୟତରୁ ଶ୍ରୀମତୀ ଟୁଡ଼ୁ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଏହି ଆଦିବାସୀ ମହିଳାଜଣକ ସେତେବେଳେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷା ପାଇଁ ଦାବିଦାର ହୋଇଥିଲେ। ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ମାତ୍ ଦେଇ କଂଗ୍ରେସ ଦଳ ସମର୍ଥନରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୋଇପାରିଥିଲେ। ପରେ ସେ ବିଜେପିରେ ଯୋଗଦେଇଥିଲେ। ଅଦ୍ୟାବଧି ୪ ବର୍ଷ ଧରି ନିଜ ପଦରେ ରହି ସାରିଲେଣି। ତଥାପି, ଶ୍ରୀମତୀ ଟୁଡ଼ୁ ନିଜ ପରିବାର ପ୍ରତିପୋଷଣ ପାଇଁ କାମଧନ୍ଦା କରୁଛନ୍ତି। ଏକ ଭଙ୍ଗା ଚାଳିଆରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଓ ଦୁଇପୁଅଙ୍କ ସହ ପଡ଼ି ରହିଥିଲେ ମଧ୍ୟ କୌଣସି ସରକାରୀ ସହାୟତା ପାଇଁ ମନ ବଳାଇନାହାନ୍ତି। ପରିବାର ଚଳାଇବା ପାଇଁ ଅଧିକାଂଶ ସମୟରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ରଙ୍କ ସହ ମୂଲମଜୁରି ମଧ୍ୟ ଲାଗୁଛନ୍ତି। ସ୍ବାମୀ, ସ୍ତ୍ରୀ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳାଇବା ସହ ଦୁଇ ପୁଅଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି। ବଡ଼ପୁଅ ବାଲେଶ୍ବର ଏଫ୍ଏମ୍ କଲେଜରେ +୨ ପଢୁଥିବା ବେଳେ ସାନପୁଅ ନିକଟସ୍ଥ ଶିଶୁମନ୍ଦିରରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି।
ଏସ୍ଇସିସି ତାଲିକାରେ ନାଁ ଥିଲେ ମଧ୍ୟ ସେ କେବେ ଆବାସ ଯୋଜନାରେ ଘରଟିଏ ପାଇଁ ଚେଷ୍ଟା କରିନାହାନ୍ତି। କେବଳ ଖାଦ୍ୟସୁରକ୍ଷା ଯୋଜନାରେ ଏହି ପରିବାରର କାର୍ଡ ଖଣ୍ଡିଏ ରହିଛି। ଅନ୍ୟ କୌଣସି ସରକାରୀ ସୁବିଧା ସୁଯୋଗ ହାତେଇବା ପାଇଁ ସେ କେବେ ଚେଷ୍ଟା କରିନାହାନ୍ତି। ସ୍ବାମୀ, ସ୍ତ୍ରୀଙ୍କ ମୂଲମଜୁରି ଓ ଅଧ୍ୟକ୍ଷା ପଦବି ପାଇଁ ମିଳୁଥିବା ମାସିକ ୧୫ଶହ ଟଙ୍କାରେ ପରିବାର ଚଳୁଛି। ତେବେ ଚାଳଛପର ଘର ଖଣ୍ଡକ ଭାଙ୍ଗି ଯାଇଥିବାରୁ ସେ ଆବାସ ଯୋଜନାରେ ଘରଟିଏ ପାଇଁ ବିଡିଓଙ୍କୁ ନିବେଦନ କରିବେ ବୋଲି କହିଛନ୍ତି।
The post ପଲିଥିନ୍ଟଙ୍ଗା ଚାଳିଆରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପରିବାର first appeared on Sambad.
from ଜିଲ୍ଲା – Sambad https://ift.tt/2MiXgQt
0 Comments