
ବାରିପଦା/ଉଦଳା-୧ : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ଉଦଳା ରେଞ୍ଜ ଅଙ୍ଗାରପଦା ଅଞ୍ଚଳରେ ଆଜି ଏକକାଳୀନ ୪୪.୯ କେଜି ଓଜନର ଦୁଇଟି ହାତୀଦାନ୍ତ ଉଦ୍ଧାର ହୋଇଛି। ଦୁଇଟି ଯାକ ଦାନ୍ତ ଗୋଟିଏ ହାତୀର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ। ଗୋଟିଏ ଦାନ୍ତର ଲମ୍ବ ୫ ଫୁଟ ୨ ଇଞ୍ଚ୍ ହୋଇଥିବା ବେଳେ ଅନ୍ୟଟି ୫ ଫୁଟ୍ ୬ ଇଞ୍ଚ। ଏକକାଳୀନ ଏତେ ଲମ୍ବା ଓ ମୋଟେଇ ଥିବା ହାତୀଦାନ୍ତ ଉଦ୍ଧାର ହେବା ରାଜ୍ୟରେ ଦ୍ବିତୀୟ ବଡ଼ ଘଟଣା ବୋଲି କୁହାଯାଉଛି। ଆଜି ଉଦ୍ଧାର ହୋଇଥିବା ଦାନ୍ତ ପ୍ରାୟ ୨୦-୨୫ ବୟସ୍କ ଦନ୍ତାର ବୋଲି ଜଣାପଡ଼ିଛି। ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ଏଥିରେ ଆହୁରି ଅନେକ ସମ୍ପୃକ୍ତ ଥିବା କୁହାଯାଉଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଉଦଳା ଥାନା ଅଙ୍ଗାରପଦା ଅଞ୍ଚଳର ଫାଗୁ ପ୍ରସାଦ ହାଁସଦା(୪୬) ଓ ଅନନ୍ତପୁର ବଡ଼ଖମାଣ ଅଞ୍ଚଳର ପିଥ ସୋରେନ(୪୫)। ଅଭିଯୁକ୍ତମାନେ ଉକ୍ତ ଦୁଇ ଦାନ୍ତକୁ ୮ ଖଣ୍ଡ କରି କାଟି ମାଟିତଳେ ପୋତି ରଖିଥିଲେ। ଏପଟେ ଗତ ଜାନୁଆରି ମାସ ୬ ତାରିଖରେ କଳମଗଡ଼ିଆ ଜଙ୍ଗଲରେ ଏକ ହାତୀକୁ ମାରି ଏହାର ମୁଣ୍ଡ କାଟିନେବା ସହିତ ଦାନ୍ତ ଲୁଟି ନେଇଥିଲେ ଦୁର୍ବୃତ୍ତ। ଉକ୍ତ ଲୁଟ୍ ହାତୀ ଦାନ୍ତକୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ରେଞ୍ଜ୍ରୁ ବଛାବଛା ଅଧିକାରୀଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇ ସାରାଜିଲ୍ଲା ଉପରେ ନଜର ରଖାଯାଇଥିଲା। ଏହି ସମୟରେ ଆଜି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହାତୀଦାନ୍ତ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣିବାକୁ ପାଇଥିଲା ଏହି ଟିମ୍। କିଛି ବନ ବିଭାଗର କର୍ମଚାରୀ କ୍ରେତା ସାଜି ଅଭିଯୁକ୍ତମାନଙ୍କ ସହିତ ହାତୀଦାନ୍ତ କିଣିବା ପାଇଁ ଡିଲ୍ କରୁଥିବାବେଳେ ପୂର୍ବ ଯୋଜନା ଅନୁସାରେ ଅନ୍ୟ ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରି ନେଇଥିଲେ ଓ ୮ ଖଣ୍ଡ ଦାନ୍ତ ଜବତ କରିଥିଲେ। ବାରିପଦା ବନାଞ୍ଚଳ ଡିଏଫ୍ଓ ସନ୍ତୋଷ କୁମାର ଯୋଶୀଙ୍କ ତତ୍ତ୍ବାବଧାନରେ ଏହି ଚଢ଼ଉ ହୋଇଥିଲା।
ମୃତ ହାତୀ ମୁଣ୍ଡରେ ଏକ ବଡ଼ ଗାତ ଥିବା ଜଣେ ଅଭିଯୁକ୍ତ ସୂଚନା ଦେଇଛି। ଏଥିରୁ ସ୍ପଷ୍ଟ ଯେ ଦନ୍ତାକୁ ଗୁଳି କରି ହତ୍ୟା କରାଯାଇଥିଲା। ଦାନ୍ତର ନମୁନା କେମିକାଲ ପରୀକ୍ଷା ପାଇଁ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବା ନେଇ ଡିଏଫ୍ଓ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି।
The post ୪୫ କେଜି ଓଜନର ହାତୀଦାନ୍ତ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/3aNkyaB
0 Comments