ପାରଳାଖେମୁଣ୍ତି : ଆନ୍ଧ୍ର ପଞ୍ଚାୟତ ନିର୍ବାଚନ‌ରେ ସୀମାନ୍ତ ଓଡ଼ିଶାର ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗ୍ରାମର ଦୁଇଜଣ ୱାର୍ଡ଼ ସଭ୍ୟ ଭାବେ ମଇଦାନକୁ ଓହ୍ଲାଇଥିଲେ। ଗଜପତି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଏବଂ ପଞ୍ଚାୟତବାସୀଙ୍କ ବୁଝାସୁଝା ପରେ ଜଣେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଛନ୍ତି। ତାଙ୍କ ବିପକ୍ଷରେ ଥିବା ପ୍ରାର୍ଥୀ ଏବେ ବି ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିହୋଇଛି। ଜିଲ୍ଲା ପ୍ରଶାସନ ତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବା ସହ ସୁରକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ମୁତାବକ, ମାଣିକପାଟଣା ଗ୍ରାମର ଲକ୍ଷ୍ମୀ ଶବର ଵାଏସ୍‌ଆର୍‌ସିପି ସମର୍ଥିତ ଵାର୍ଡ଼ ସଭ୍ୟା ପଦରେ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି)ରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଶୁକୁଲା ଶବରଙ୍କ ପତ୍ନୀ ଦ୍ରୌପଦୀ। ତେବେ, ଲକ୍ଷ୍ମୀଙ୍କ ସ୍ବାମୀ ବାଲାୟା ଶବର ଅାନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ସହ ଏ ସମ୍ପର୍କରେ ସେ ପ୍ରେସ୍‌ ବିବୃତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ, ହେଲେ ଦ୍ରୌପଦୀ ଶବରଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ତେବେ, ଦ୍ରୌପଦୀ ଟିଡିପି ସମର୍ଥିତ ହୋଇଥିବାରୁ ଶାସକ ଵାଏସ୍‌ଆର୍‌ସିପି ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏପରିକି, ତାଙ୍କ ମୋଟରସାଇକଲ୍‌ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ଏହିଭଳି ସ୍ଥିତି ସମ୍ପର୍କରେ ମତାମତ ପ୍ରଦାନ କରି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସ˚ଗ୍ରାମ ପଣ୍ତା କହିଛନ୍ତି, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ଦ୍ରୌପଦୀ ଶବରଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଆଯିବ। ଉପଜିଲ୍ଲାପାଳ ଶ୍ରୀ ପଣ୍ଡା, ରାୟଗଡ଼ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସହ ଗଙ୍ଗାବାଡ଼ରେ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।

ଅନ୍ୟପକ୍ଷ‌ରେ, ଏହାକୁ ନେଇ ବିଭନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୋହନା ବିଧାୟକ ତଥା କ˚ଗ୍ରେସ ଜିଲ୍ଲା ସଭାପତି ଦାଶରଥି ଗମାଙ୍ଗ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଗଙ୍ଗାବାଡ଼ ପଞ୍ଚାୟତ ଯିବେ ଓ ସ୍ଥିତି ଅନୁଧ୍ୟାନ କରିବେ। ଦୁଇଟି ରାଜ୍ୟର ସରକାରୀ ଯୋଜନା ହାତେଇବା ଏକ ଅପରାଧ। ରାୟଗଡ଼ ପଞ୍ଚାୟତର ପୂର୍ବତନ ସମିତି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ କହିଛନ୍ତି, ପ୍ରଶାସନର ଆନ୍ତରିକତାର ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ସୀମାନ୍ତ ଅଞ୍ଚଳରେ ନିର୍ଦ୍ଧିଷ୍ଟ ଭାବେ କିଛି ଲୋକେ ଏପରି ଭୁଲ କରୁଛନ୍ତି। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭବିଷ୍ୟତରେ ସମସ୍ତଙ୍କ ପାଇଁ ଏହା ଏକ ଉଦାହରଣ ହେବ। ସେହିଭଳି ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ କହିଛନ୍ତି, ଏ ସମ୍ପର୍କରେ ଉଭୟ ରାଜ୍ୟ ସରକାର ସଠିକ ତଥ୍ୟ ସ˚ଗ୍ରହ କରି ସ୍ଥାୟୀ ପଦକ୍ଷେପ ନେଲେ ଭବିଷ୍ୟତରେ ଏପରି ଭୁଲ୍‌ ହେବନାହିଁ।

The post ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ : ଜଣେ ଓହରିଲେ, ଆଉ ଜଣଙ୍କୁ ଆକ୍ରମଣ first appeared on Sambad.



from ଜିଲ୍ଲା – Sambad https://ift.tt/3ju7fig