ବର୍ଷକୁ ମିଳୁଛି ୨୬୦୦ ‌କେଜି ଚାଉଳ ଚୁନା
ଦୈନିକ ନୀତିକାନ୍ତି ବାବଦକୁ ମିଳୁଛି ଖେଇ
ପାଆନ୍ତି ମହାପ୍ରଭୁଙ୍କ ପଖାଳ ଭୋଗ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ହେଉଛନ୍ତି ଗଜପତି ମହାରାଜ। ଗଜପତି ମହାରାଜ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ମଧ୍ୟ। ଏଥିପାଇଁ ଗଜପତି ମହାରାଜଙ୍କ ମାସିକ ଭତ୍ତା ସାଙ୍ଗକୁ ଖେଇ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସୂଚନା ଅଧିକାର ବଦଳରେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ସୂଚନା ମୁତାବକ, ଗଜପତି ମହାରାଜ ପରିଚାଳନା କମିଟିର ସ୍ଥାୟୀ ସଭାପତି ଥିବାରୁ ମାସିକ ୩୦ ହଜାର ଟଙ୍କାର ଭତ୍ତା ପାଉଛନ୍ତି। ହିସାବ କଲେ ପରିଚାଳନା କମିଟି ସ୍ଥାୟୀ ସଭାପତି ଭାବେ ଗଜପତି ମହାରାଜ ବାର୍ଷିକ ୩ ଲକ୍ଷ ୬୦ ହଜାର ଭତ୍ତା ପାଉଛନ୍ତି।

ସେହିଭଳି ଶ୍ରୀମନ୍ଦିର କୋଠଭୋଗ ଗୋଦାମରୁ ଦ୍ରବ୍ୟ ଆକାରରେ ଗଜପତି ମହାରାଜଙ୍କୁ ପ୍ରତିଦିନ ୭ କେଜି ୩୫୦ ଗ୍ରାମ ଚୁନା ଚାଉଳ ପ୍ରଦାନ କରାଯାଉଛି। ହିସାବ କଲେ ବର୍ଷକୁ ପ୍ରାୟ ୨ ହଜାର ୬ଶହ କେଜି ଚୁନା ଚାଉଳ ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଉଛି। ବର୍ଷ ଉପରେ ନଜର ପକାଇଲେ, ୨୦୧୦ ମସିହା ଏପ୍ରିଲ ଠାରୁ ୨୦୧୧ ମାର୍ଚ ପର୍ଯ୍ୟନ୍ତ ୩୬୫ ଦିନରେ ୨ହଜାର ୬୮୨ କେଜି ୭୫୦ ଗ୍ରାମ ଚୁନା ଚାଉଳ ଗଜପତି ମହାରାଜ ପାଇଛନ୍ତି। ସେହିଭଳି ୨୦୧୯-୨୦ରେ ୩୬୬ ଦିନରେ ୨ ହଜାର ୬୯୦ କେଜି ୧୦୦ ଗ୍ରାମ ଚାଉଳ ପାଇଛନ୍ତି। ଏପରି ୧୦ ବର୍ଷରେ ପ୍ରାୟ ୨୬ ହଜାର ୮୪୯ କେଜି ଚାଉଳ ଚୁନା ଗଜପତି ମହାରାଜଙ୍କୁ ମିଳିଛି।

ସେହିଭଳି ଦୈନନ୍ଦିନ ନୀତି ବାବଦକୁ ବି ଗଜପତି ମହରାଜଙ୍କୁ ବିଭିନ୍ନ ଖେଇ (ମହାପ୍ରସାଦ) ବି ମିଳୁଛି। ସକାଳ ଧୂପରେ ବଡ଼କାନି ତିନୋଟି, ଏଣ୍ଡୁରି ୧୪ଟି, କାକତୁଆ ଝିଲି ୪ଟି, ଅଦା ପାଚେଲି, ତିନି କୁଡ଼ୁଆ ଖେଚୁଡ଼ି, ତିନି କୁଡ଼ୁଆ କାନିକା, ମେଣ୍ଡାମୁଣ୍ଡିଆ, ଭଜା, ଶାଗ, ବୁନ୍ଦିଆ ଆଦି ଖେଇ ବାବଦକୁ ମିଳେ। ମଧ୍ୟାହ୍ନ ଧୂପରେ ପୁଳି ପିଠା, ମାଠ ପୁଳି, ବଡ଼ ଅମାଲୁ, ପଖାଳ (୧୦ ଓରା), ମୁଗ, ମରିଚି ପାଣି, କ୍ଷୀରି, ପଣା, ସାକରା ଆଦି ଖେଇ ବାବଦକୁ ମିଳେ। ସଂଧ୍ୟାଧୂପରେ ମାଠ ପୁଳି, ଟାକୁଆ, ଫେଣି, ପଖାଳ (୫ ଓରା) ଆଦି ମିଳେ।

ଲକ୍ଷ୍ମୀଙ୍କ ଭୋଗରୁ ବଡ଼ କାକରା, ଖଳି ରୁଟି ଓ ସୁଜି ଗଜା ମିଳେ। ବଡ଼ସିଂହାର ବେଶରୁ କଦଳୀ ବଡ଼ା, ଦକ୍ଷିଣି ଘର ଭୋଗରୁ ମଝାଲ କାକରା, ପହସି କିଆ, ମହନ ଭୋଗ ଖେଇ ବାବଦରେ ଗଜପତି ମହାରାଜଙ୍କୁ ମିଳେ। କିନ୍ତୁ ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ କହିଛନ୍ତି, ଯେଉଁ ତଥ୍ୟ ପ୍ରଦାନ କରାଯାଇଛି, ତାହା ହିନ୍ଦୁ ବର୍ଷ ଅବା ସୁନିଆରୁ ହିସାବ କରି ଦେବା କଥା। କିନ୍ତୁ ଇଂରାଜୀ ବର୍ଷର ହିସାବ କରାଯାଇ ଏହା ପ୍ରଦାନ କରାଯାଉଥିବାରୁ ଏଥିରେ ପରିବର୍ତ୍ତନ ଅଣାଯାଉ ବୋଲି ସେ ମତ ରଖିଛନ୍ତି।

The post ଗଜପତିଙ୍କ ବାର୍ଷିକ ଭତ୍ତା ୩.୬ ଲକ୍ଷ first appeared on Sambad.



from ଜିଲ୍ଲା – Sambad https://ift.tt/3k52V9j