କଟକ: କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍ପିଟାଲ)ରେ ମାସକୁ ହାରାହାରି ପ୍ରସବ ସଂଖ୍ୟା ହେଉଛି ଦେଢ ଶହରୁ ବି କମ୍। କିନ୍ତୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୧ ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି। କଟକକୁ ଲାଗି ରହିଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାରେ ମାସକୁ ହାରାହାରି ପ୍ରସବ ସଂଖ୍ୟା ହେଉଛି ୨୫୦ରୁ ୩୦୦। କିନ୍ତୁ ସେଠି ମାତ୍ର ଜଣେ/ ଦୁଇ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କାମ ଚାଲିଛି। ଏଭଳି ଅସାମଞ୍ଜସ୍ୟ, ଅସମତୁଲ ସ୍ଥିତି ରାଜ୍ୟର ସ୍ବାସ୍ଥ୍ୟ ସେବାକୁ ବିପର୍ଯ୍ୟସ୍ତ କରିବାର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି। ଯେଉଁଠି ଆବଶ୍ୟକ ନାହିଁ, ସେଠି ଡାକ୍ତର ହାଉଯାଉ। ଯେଉଁଠି ଆବଶ୍ୟକତା ଅଛି, ସେଠି ଡାକ୍ତର ଅଭାବ। ଡାକ୍ତରମାନେ ଗ୍ରାମାଞ୍ଚଳରେ କାମ କରିବାକୁ ଆଗ୍ରହ ପ୍ରକାଶ ନ କରିବା, ଏମିତିକି ବଦଳି ହେଲେ ଚାକିରି ଛାଡ଼ି ଦେବାକୁ ବି ନ ପଛାଇବା ଏବଂ ପୋଷ୍ଟିଂ ପାଇଁ ଲବି କରିବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି କରୁଛି। କିନ୍ତୁ ଯେ କୌଣସି ସମୟରେ ଏବେ ଡାକ୍ତର ସରକାରୀ ଚାକିରି ଛାଡ଼ି ଦେବାକୁ ପଛାଉ ନଥିବାରୁ ଅନେକ ସମୟରେ ସରକାର ବି ଅସହାୟତା ପ୍ରକାଶ କରୁଥିବା କୁହାଯାଉଛି।

କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ( ସିଟି ହସ୍ପିଟାଲ)ରେ ଗାଇନିକ୍ ବିଭାଗରେ ମୋଟ ୧୧ ଜଣ ଡାକ୍ତର କାମ କରୁଛନ୍ତି। ସେଥିରୁ ଜଣେ ଅତିରିକ୍ତ ନିର୍ଦ୍ଦେଶକ( କ୍ଲାସ-୧) ଡାକ୍ତର ରହିଛନ୍ତି। ସେହିଭଳି ୪ଜଣ ଅତିରିକ୍ତ ନର୍ଦ୍ଦେଶକ( କ୍ଲାସ-୨), ଜଣେ ଜୁନିଅର କ୍ଲାସ-୧, ଦୁଇ ଜଣ ଚୁକ୍ତି ଭିତ୍ତିକ ନିଯୁକ୍ତି (କଣ୍ଟ୍ରାକଚୁଆଲ) ଡାକ୍ତର କାମ କରୁଛନ୍ତି। ସେହିଭଳି ପିଜି ଡିପ୍ଲୋମା କରୁଥିବା ଦୁଇ ଜଣ ଡାକ୍ତର, କେନ୍ଦ୍ରାପଡାରୁ ପିଜି ଡିପ୍ଲୋମା କରୁଥିବା ଡାକ୍ତର ଏଠାରେ ଡେପୁଟେସନରେ କାମ କରୁଛନ୍ତି। ଅଲଟ୍ରାସାଉଣ୍ଡ ପାଇଁ ଦୁଇ ଜଣ ରେଡିଓଲୋଜିଷ୍ଟ ଅଲଟ୍ରାସାଉଣ୍ଡ କରୁଛନ୍ତି। ବିଭାଗରେ ୧୧ ଜଣ ଡାକ୍ତର ଥିବା ବେଳେ ସିଟି ହସ୍ପିଟାଲରେ ୨୦୨୦, ଜାନୁଆରି ମାସରେ ମୋଟ ୧୭୯ଟି ପ୍ରସବ ହୋଇଛି। ସେଥିରୁ ୪୮ଟି ସିଜରିଆନ୍‌ ପ୍ରସବ କରାଯାଇଛି। ସେହି ବର୍ଷ ଫେବ୍ରୁଆରି ମାସରେ ୧୧୫ (୩୯ ସିଜିରିଆନ୍), ମାର୍ଚ୍ଚରେ ୧୬୩ (୫୦ ସିଜରିଆନ୍), ଏପ୍ରିଲରେ ୧୬୪ (୪୧ ସିଜରିଆନ୍), ମେ’ ରେ ରେ ୧୫୭( ୪୩ ସିଜରିଆନ୍), ଜୁନରେ ୧୧୦ ( ୩୧ ସିଜରିଆନ୍), ଜୁଲାଇରେ ସର୍ବନିମ୍ନ ୫୨ (୨ ସିଜରିଆନ୍), ଅଗଷ୍ଟରେ ୭୦ (୧୩ ସିଜରିଆନ୍) ଓ ସେପ୍ଟମ୍ବର ମାସରେ ୧୭୭ରୁ ମୋଟ ୧୩ ସିଜରିଆନ୍ କରାଯାଇଛି। ହାରାହାରି ହିସାବ କଲେ ଜଣେ ଡାକ୍ତର ମାସକୁ ୫ରୁ ୭ ପ୍ରସବ କରିବାର ସୁଯୋଗ ବି ନାହିଁ। କଟକରେ ଏସ୍‌ସିବି ଥିବାରୁ ସିଟି ହସ୍ପିଟାଲ ଉପରେ ଚାପ କମ ରହିଛି। ମାତ୍ର କିଛି ଡାକ୍ତରଙ୍କୁ କଟକରେ ଥଇଥାନ କରିବା ଉଦ୍ଦେଶ୍ୟରେ ସାମଗ୍ରିକ ଭାବେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାକୁ ଅ‌ଣଦେଖା କରାଯାଉଥିବା ଅଭିଯୋଗ‌ ହୋଇଛି।

ଅନ୍ୟପଟେ ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ ଯେତିକି ଡାକ୍ତର ଆବଶ୍ୟକ ଅଛନ୍ତି, ସେତିକି ଅଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଏଠି ଅନ୍ୟ କାମ ଯଥା ଜରୁରୀକାଳୀନ ଚିକିତ୍ସା, ଓପିଡି, କୋଭିଡ ଡ୍ୟୁଟି ମଧ୍ୟ କରୁଛନ୍ତି। ତେବେ ଏ ସଂପର୍କରେ ଅଧିକ ତର୍ଜମା କରାଯିବ ବୋଲି ସେ ମତ ରଖିଛନ୍ତି।

The post ଇଏ କି ପ୍ରକାର ବ୍ୟବସ୍ଥା? ମାସକୁ ଦେଢ଼ ଶହ ପ୍ରସବ ପାଇଁ ୧୧ ଡାକ୍ତର; ୨ଶହ ପାଇଁ ଜଣେ! first appeared on Sambad.



from ଜିଲ୍ଲା – Sambad https://ift.tt/3757V8P