ଭଦ୍ରକ/ରାଣୀତାଲ : ଧାନ ବିକି ନ ପାରି ଜଣେ ଯୁବଚାଷୀ ଶନିବାର ବିଷ ପିଇ ପଞ୍ଚାୟତ ଅଫିସ ଆଗରେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ସେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପାଞ୍ଚପଡ଼ା ଗ୍ରାମର ରାମକୃଷ୍ଣ ପଣ୍ତା (୩୬)।

ସୂଚନା ମୁତାବକ, ପାଞ୍ଚପଡ଼ା ଗ୍ରାମର ରାଧାକାନ୍ତ ପଣ୍ତାଙ୍କ ବଡ଼ପୁଅ ରାମକୃଷ୍ଣ ୩୨୦ କୁଇଣ୍ଟାଲ ଧାନବିକ୍ରି କରିବାକୁ ଟୋକନ୍‌ ପାଇଥିଲେ। ଧାନଖର୍ଦ୍ଦି ଦାୟିତ୍ବ ନେଇଥିବା ବନ୍ଧଗାଁ ପଞ୍ଚାୟତର ରାମେଶ୍ବର ସ୍ବୟଂ ସହାୟକ ଗୋଷ୍ଠୀକୁ ବହୁଥର ନେହୁରା ହେବା ପରେ ରାମକୃଷ୍ଣ ମଣ୍ଡିରେ ୧୨୦ କୁଇଣ୍ଟାଲ ଧାନ ଦେଇଥିଲେ। ମାତ୍ର ସେଥିମଧ୍ୟରୁ ୫୦ କୁଇଣ୍ଟାଲ ଧାନ ଖର୍ଦ୍ଦି କରିଥିଲା ସ୍ବୟଂ ସହାୟକ ଗୋଷ୍ଠୀ। ସେପଟେ ରାମକୃଷ୍ଣଙ୍କ ପରେ ଧାନ ଦେଇଥିବା ଲୋକେ ଟଙ୍କା ପାଇସାରିଥିବା ବେଳେ ବାରମ୍ବାର ଦୌଡ଼ି ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା। ଓଲଟା ଜାଣିଶୁଣି ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ତାଙ୍କୁ ହଇରାଣ କରିଥିଲେ। ରାମକୃଷ୍ଣଙ୍କର ଆହୁରି ୨୭୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଥିବା ବେଳେ ଟାର୍ଗେଟ୍‌ ଆଳରେ ଆଜିକାଲି କହି ଟୋକନ୍‌ର ସମୟସୀମା ବି ଶେଷ ହୋଇଗଲା। ଧାନ ବିକି ନ ପାରିବାରୁ ଉଧାର ଟଙ୍କା କିପରି ଶୁଝିବେ ସେହି ଚିନ୍ତାରେ ଆଜି ପଞ୍ଚାୟତ ଅଫିସ ଆଗରେ ବିଷ ପିଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସୂଚନାଥାଉକି, ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀରେ ଅନିୟମିତତା ନେଇ ରାମକୃଷ୍ଣ ନିକଟରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ଅବଗତ କରିଥିଲେ। ଯାହାଫଳରେ ଜାଣିଶୁଣି ତାଙ୍କୁ ହଇରାଣ କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଖବର ପାଇ ଉପଜିଲ୍ଲାପାଳ ପିତାମ୍ବର ସାମଲ ଓ ଯୋଗାଣ ଅଧିକାରୀ ରଞ୍ଜନ ସେଠ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

The post ଧାନ ବିକି ପାରିଲେନି, ସରିଗଲା ଟୋକନ୍ ଅବଧି : ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ first appeared on Sambad.



from ଜିଲ୍ଲା – Sambad https://ift.tt/3aXMubZ