ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତରେ ମାଫିଆମାନଙ୍କ କଳା ସାମ୍ରାଜ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଏମାନଙ୍କୁ ବାରମ୍ବାର ଛତିଶଗଡ଼ ପ୍ରଶାସନ କାବୁ କରିବାରେ ସକ୍ଷମ ହେଉଥିବା ବେଳେ ଓଡ଼ିଶା ପ୍ରଶାସନ ଟେର ପାଉନଥିବା ଘଟଣା ଓଡ଼ିଶା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରୁ ୧୨୦ କିମି ଦୂର ବଣ ପାହାଡ ଘେରା ସିନାପାଲି ବ୍ଲକରେ ନଙ୍ଗଲବୋଦ ଓ ଘାଟମାଲ, କୁସୁମାଯୋର ଗ୍ରାମଞ୍ଚାୟତ ଅବସ୍ଥିତ। ଏଠାରୁ ମାତ୍ର ୨ କି.ମି ଗଲେ ପଡ଼େ ଛତିଶଗଡ। ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡ଼ିଶାର ମାଫିଆମାନେ ସକ୍ରିୟ ରହି କଳା ସାମ୍ରାଜ୍ୟ ବିସ୍ତାର କରୁଛନ୍ତି। ଛତିଶଡ଼ର ମାଫିଆମାନଙ୍କ ସହଯୋଗରେ ମୂଲ୍ୟବାନ ରତ୍ନ ପଥର, ବାଘ ଛାଲ, ବଜ୍ରକାପ୍ତା ଓ ମୂଲ୍ୟବାନ ଶାଗୁଆନ କାଠ ଗୁଡ଼ିକୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। କିନ୍ତୁ ଏହି ମୂଲ୍ୟବାନ ସାମଗ୍ରୀ ଗୁଡ଼ିକୁ ଚଢ଼ାଉ କରି ଛତିଶଗଡ଼ ପୁଲିସ ଓ ବନବିଭାଗ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଛି। କିନ୍ତୁ ନୂଆପଡ଼ା ଜିଲ୍ଲା ବନ ବିଭାଗ କିମ୍ବା ପୁଲିସ୍‌ ଏହାର ଟେର ସୁଦ୍ଧା ନ ପାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ଜୁନ ମାସରେ ଏକ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ବେଳେ ଛତିଶଗଡ଼ର କୁଲିହାଡିହି ଗ୍ରାମ ନିକଟରେ ଛତିଶଗଡ ପ୍ରଶାସନ ଚଢ଼ାଉ କରି ସିନାପାଲି ବ୍ଲକର ଘୁଚାଗୁଡ଼ା ଗ୍ରାମର ପିତାମ୍ବର କଟା ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ଜୁଲାଇ ମାସରେ ଏକ ବାଘ ଛାଲ ଚୋରା ଚାଲାଣ ବେଳେ ଛତିଶଗଡ ବନବିଭାଗ ଓ ପୁଲିସ୍‌ ଚଢ଼ାଉ କରି ଇନ୍ଦାଗାଁ ନିକଟରେ ସିନାପାଲି ବ୍ଲକ ସ୍ଥିତ ନଙ୍ଗଲାବୋଡ ଗ୍ରାମର ସଞ୍ଜୟ ବାଗ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୁସୁମାଯୋର ସୀମାନ୍ତରେ ଓଡ଼ିଶାର ଜୈନିକ ହୀରା ମାଫିଆଙ୍କୁ କାବୁ କରି ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ହୀରା ପଥର ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ସେହିପରି ସିନାପାଲି ଅଞ୍ଚଳର ଅନେକ ହୀରା ବ୍ୟବସାୟୀଙ୍କୁ ଛତିଶଗଡ ପ୍ରଶାସନ ଚଢ଼ାଉ କରି ଗିରଫ କରି ପୁଲିସ୍‌ କୋର୍ଟ ଚାଲାଣ କରିଛି। ହେଲେ ଏହି ବିଷୟରେ ପ୍ରଶାସନ ନିକଟରେ କୌଣସି ସୁରାକ ନ ମିଳିବା ସମସ୍ତଙ୍କୁ ଚକିତ କରିଛି। ଗତ ୨୭/୧ ତାରିଖ ଦିନ ୨ ଗୋଟି ବାଘ ଛାଲକୁ ଜବତ କରି ୫ ଜଣ ମାଫିଆଙ୍କୁ କାବୁ କରି ବେଶ୍ ପ୍ରଶଂସାର ପାତ୍ର ସାଜିଛନ୍ତି ଛତିଶଡ଼ ପ୍ରଶାସନ। ତେବେ ଓଡ଼ିଶା ପ୍ରଶାସନ ସୀମାନ୍ତରେ ଅନେକ କିଛି ଘଟିଗଲେ ବି ନ ଜାଣିବାର ଅସଲି କାରଣ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ସୀମାନ୍ତରେ ମାଫିଆଙ୍କ କଳାସମ୍ରାଜ୍ୟ; ଓଡ଼ିଆ ମାଫିଆଙ୍କୁ କାବୁ କରୁଛି ଛତିଶଗଡ଼, ଟେର ପାଉନି ଓଡ଼ିଶା ପ୍ରଶାସନ first appeared on Sambad.



from ଜିଲ୍ଲା – Sambad https://ift.tt/3oKFm6e