
କଟକ: କଟକ ବଡ ଡାକ୍ତରଖାନାରେ ଥ୍ରି-ଡି ଆନାଟୋମେଜ୍ ଟେବୁଲ, ଏସ୍ସିବି ବାଟିକା ଓ ଆଇ୍ ଲଭ୍ ଏସ୍ସିବି ସେଲ୍ଫି ଜୋନ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍ଘାଟନ କରିଛନ୍ତି। ପାଖାପାଖି ୨କୋଟି ଟଙ୍କା ବ୍ୟୟରେ ଏହି ଆନାଟୋମେଜ୍ ଟେବୁଲ ମାଧ୍ୟମରେ ଏଣିକି ବିନା ମୃତଦେହରେ ଆନାଟୋମି ପାଠ ପଢିବେ ଡାକ୍ତରୀ ଛାତ୍ରଛାତ୍ରୀ। ମୃତଦେହ ନେଇ ଯେଉଁ ସମସ୍ୟା ରହୁଥିଲା ତାହା ଆଉ ରହିବନି। ଏଥିସହ ଏସ୍ସିବି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଟିକା ଓ ସେଲ୍ଫି ଜୋନ୍କୁ ମନ୍ତ୍ରୀ ଉଦଘାଟନ କରିଥିବା ବେଳେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି। କାଜୁଆଲିଟିରେ ଭିଡ, ବିଭିନ୍ନ ବିଭାଗର ବ୍ୟବସ୍ଥା, ସଫେଇ, ସୁରକ୍ଷା, ଟ୍ରାଫିକ୍ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। କାଜୁଆଲିଟିର ଭିଡ ନିୟନ୍ତ୍ରଣ ପାଇଁ ଏହାକୁ ସ୍ଥାନାନ୍ତର ପାଇଁ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ କେଉଁଠିକୁ ସ୍ଥାନାନ୍ତର କରାଯିବ, ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଅନ୍ୟପଟେ ଲିଭର ପ୍ରତିରୋପଣ ବ୍ୟବସ୍ଥା, ଓପନ୍ ହାର୍ଟ ସର୍ଜରି, କାଜୁଆଲିଟିର ସୁଧାର ଉପରେ ଗୁରୁତ୍ବ ଦିଆଯାଇଥିଲା।
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ସକାଶେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ୨୦୧୧-୧୨ରେ ବଜାରକୁ ଆସିଛି ଆନାଟୋମେଜ୍ ଟେବୁଲ। ଏହି ଟେବୁଲ୍ରେ ମଣିଷ ଶରୀରର ପୂର୍ଣ୍ଣାଙ୍ଗ ଥ୍ରିଡି ଚିତ୍ର ସହ ଶରୀର ମଧ୍ୟରେ ଥିବା ଅଙ୍ଗପ୍ରତ୍ୟଙ୍ଗ ଉପଲବ୍ଧ ରହିଛି। ଏହି ଟେବୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସ୍ବାଇପ୍ କରି ଅତି ସହଜରେ କୃତ୍ରିମ ମାନବ ଶରୀରକୁ ୩୬୦ ଡିଗ୍ରି ଓଲଟାଇ ପାରିବେ ଓ ଜୁମ୍ ମଧ୍ୟ କରିପାରିବେ। ଯଦ୍ବାରା ଶରୀରର ଅତିସୂକ୍ଷ୍ମରୁ ସୂକ୍ଷ୍ମ ଶିରା, ଧମନୀ, ଗ୍ରନ୍ଥୀ, କଣିକା ସବୁ ଦେଖାଯିବ। ଏପରିକି ମଣିଷର ହୃଦ୍ସ୍ପନ୍ଦନ ଓ ଶ୍ବାସକ୍ରିୟାକୁ ମଧ୍ୟ ଅନୁଭବ କରିହେବ। ଅସ୍ଥିଶଲ୍ୟ ଓ ଅନ୍ୟାନ୍ୟ ବିଭାଗ ଅସ୍ତ୍ରୋପଚାରର ସମୀକ୍ଷା ଓ ବିଶ୍ଳେଷଣ କରି ନିର୍ଭୁଲ୍ଭାବେ ରୋଗୀଙ୍କୁ ପରାମର୍ଶ ଦେଇପାରିବେ ଓ ଅସ୍ତ୍ରୋପଚାରରେ ମଧ୍ୟ ଏହା ସହାୟକ ହେବ। ଏହି ଟେବୁଲରେ ସଂପୂର୍ଣ୍ଣ ମାନବଶରୀର ଉବଲବ୍ଧ ଥିବାବେଳେ ଏହା କେବଳ ଆନାଟୋମି ନୁହେଁ ସବୁ ବିଭାଗ ପାଇଁ କାମରେ ଆସିବ। ମନ୍ତ୍ରୀ ଆଜି ଏହାକୁ ଉଦଘାଟନ କରିବା ପରେ ବାଟିକା ଓ ସେଲଫି ଜୋନ୍କୁ ବି ଉଦଘାଟନ କରିଥିଲେ।
ପରେ ପରେ ଦୁଇଘଣ୍ଟା କାଳ ଉଚ୍ଚସ୍ତରୀୟ ବୈଠକରେ ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ, ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଯୁଗ୍ମ ଡିଏମ୍ଇଟି ଡାକ୍ତର ବ୍ରଜ ଦାସଙ୍କ ସମେତ ଏସ୍ସିବିର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ଲିଭର ପ୍ରତିରୋପଣ ବ୍ୟବସ୍ଥା ଏସ୍ସିବିରେ ଶୀଘ୍ର ଆରମ୍ଭ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଲିଫ୍ଟ ଅଚଳ, ସଫେଇ କର୍ମଚାରୀଙ୍କ ଦରମା ବୃଦ୍ଧି ତଥା ବିଭିନ୍ନ ପ୍ରସଙ୍ଗରେ ବିଧାୟକ ଶ୍ରୀ ବିଶ୍ବାଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲିଭର ପ୍ରତିରୋପଣ ୟୁନିଟ୍ ପାଇଁ ମାନବସମ୍ବଳ ଅଭାବ, ବିଭିନ୍ନ ବିଭାଗରେ କର୍ମଚାରୀ, ଡାକ୍ତର ସଙ୍କଟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଷ୍ଟାଇପେଣ୍ଡ୍ ବୃଦ୍ଧି କରାଯାଇଥିବାରୁ ହାଉସ୍ସର୍ଜନ ଡାକ୍ତର ସଂଘ ସଭାପତି ଡାକ୍ତର ଦୀପକ କୁମାର ସାମଲଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
The post ଏସ୍ସିବିରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା; ଆନାଟୋମେଜ୍ ଟେବୁଲ୍, ବାଟିକା ଓ ସେଲ୍ଫି ଜୋନ୍ ଉଦ୍ଘାଟିତ first appeared on Sambad.
from ଜିଲ୍ଲା – Sambad https://ift.tt/3je31e9
0 Comments