
କୋରାପୁଟ : ବିବାଦୀୟ କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗତକାଲି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହାପରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ତିନୋଟି ପଞ୍ଚାୟତର ସରପଞ୍ଚ ପଦବି ପାଇଁ ମୋଟ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି, ୱାର୍ଡସଭ୍ୟ ନିମନ୍ତେ ୧୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ସୂଚନା ଅନୁସାରେ, ତଳଗଞ୍ଜେଇପଦର ପଞ୍ଚାୟତର ସରପଞ୍ଚ ପଦବି ନିମନ୍ତେ ବିଶ୍ବନାଥ ଗେମେଲ, ସିଦ୍ଧେଶ୍ବର ଗେମେଲ (ଗମେଲ ଡମ୍) ଓ ଦିବାକର ଗେମେଲଙ୍କ ପ୍ରାର୍ଥିପତ୍ର କଏମ ରହିଛି। ପଟୁସିନେରୀ ଏବଂ ଫଗୁଣସିନେରୀ ପଞ୍ଚାୟତରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ସେହିପରି ତଳ ଗଞ୍ଜେଇପଦର ପଞ୍ଚାୟତର ବିଭିନ୍ନ ୱାର୍ଡ ନିମନ୍ତେ ମୋଟ ୧୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଖବର ମିଳିଛି। ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଦିନଧାର୍ଯ୍ୟ କରାଯାଇଛି। ଯଦି ନିର୍ଦ୍ଧାରିତ ଦିବସ ସୁଦ୍ଧା ତଳଗଞ୍ଜେଇପଦର ସରପଞ୍ଚ ପଦବି ପାଇଁ ଦାଖଲ ହୋଇଥିବା ତିନୋଟି ମଧ୍ୟରୁ ଦୁଇଟି ନାମାଙ୍କନ ପ୍ରତ୍ୟାହାର ହେବ ତା’ହେଲେ ନିର୍ବାଚନର ଆବଶ୍ୟକତା ରହିବନାହିଁ। ଯଦି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର ନିଷ୍ପତ୍ତି ନ ନିଅନ୍ତି ତେବେ ଏହି ଗୋଟିଏ ପଞ୍ଚାୟତ ପାଇଁ ନିର୍ବାଚନ ହେବା ନିଶ୍ଚିତ। ଏମିତି ସ୍ଥିତିରେ ଆନ୍ଧ୍ର ସରକାର ନିର୍ବାଚନ କରିବାକୁ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହାକୁ କୋରାପୁଟବାସୀ ଅପେକ୍ଷା କରିଛନ୍ତି। ପୁଣି ନିର୍ବାଚନ ପାଇଁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।
The post କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ୧୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ first appeared on Sambad.
from ଜିଲ୍ଲା – Sambad https://ift.tt/3oUXj2j
0 Comments