
କଟକ: ସିଡିଏର ଡାକ୍ତର ସନାତନ ମହାନ୍ତିଙ୍କ ୭୮ ଲକ୍ଷ ଟଙ୍କା ସାଇବର୍ ଅପରାଧୀ ହଡପ୍ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ଏଭଳି ଆଉ ଏକ କାଣ୍ତ କଟକରେ ସାମନାକୁ ଆସିଛି। ବିଡାନାସୀ ମଧୁସୂଦନ ନଗରର ଅଞ୍ଚଳର ଜଣେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୮ ହଜାର ଟଙ୍କା ଗାଏବ୍ ହୋଇଯାଇଛି। ଏ ସ˚କ୍ରାନ୍ତରେ ବିଡାନାସୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ମଧୁସୂଦନ ନଗରର ଶ୍ରୀୟା ନାୟକ କର୍ପୋରେଟ୍ ସେକ୍ଟରରେ କାମ କରୁଛନ୍ତି। ଗଲା ଜାନୁଆରି ୧୩ ତାରିଖରେ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଆମାଜନର କର୍ମଚାରୀ ପରିଚୟ ଦେଇ ଆମାଜନ ଆପ୍ ଅପଡେଟ୍ କରିବାକୁ କହିଥିଲେ।
ଶ୍ରୀୟା କିଛି ନ ବୁଝି ଆକାଉଣ୍ଟ ଅପଡେଟ୍ କରିବା ସମୟରେ ତାଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା। ଏହି ଓଟିପି ସମ୍ପୃକ୍ତ ବ୍ୟକ୍ତି ମାଗିବାରୁ ସେ ଦେଇ ଦେଇଥିଲେ। କିଛି ସମୟ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୮ ହଜାର ୮ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଅପରାଧୀ। ବିଡାନାସୀ ଥାନାରେ ମାମଲା ରୁଜୁ ପରେ ପୁଲିସ ଏବେ ଅପରାଧୀଙ୍କୁ ଠାବ କରିବାକୁ ଅଧିକ ସକ୍ରିୟ ହୋଇପଡ଼ିଛି। ଯେଉଁ ମୋବାଇଲ୍ ନମ୍ବରରୁ ଫୋନ୍ କଲ୍ ଆସିଥିଲା, ଏବେ ସେହି ନମ୍ବରକୁ ଠାବ କରିବାକୁ ତନାଘନା ଚାଲିଥିବା ସୂଚନା ମିଳିଛି।
The post ଯୁବତୀଙ୍କୁ ଠକିଦେଲେ ସାଇବର୍ ଅପରାଧୀ; ଆକାଉଣ୍ଟରୁ ୨୮ ହଜାର ଗାଏବ୍ first appeared on Sambad.
from ଜିଲ୍ଲା – Sambad https://ift.tt/3pyYl4j
0 Comments