ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ପଙ୍ଗୁ ଲଂଘୟତେ ଗିରି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମାଲକାନଗିରି ନିକଟସ୍ଥ ଏମଭି-୪୩ ଗ୍ରାମର କୃଷ୍ଣ ନମୋଙ୍କ ପୁଅ ଅଜୟ ନମୋ। ଅଜୟ ଏବେ ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାର ଛାତ୍ର। ଅଜୟ ହେଉଛନ୍ତି ବଡ ପୁଅ। ସ୍ବଳ୍ପ ଜମିରେ ଯାହା ଫଳାନ୍ତି ତାକୁ ବଜାରକୁ ନେଇ ବିକ୍ରି କରି ପରିବାରର ପ୍ରତିପୋଷଣ କରନ୍ତୁ କୃଷ୍ଣ ନମୋ। ପିଲଟି ଦିନରୁ ପାଠ ପଢିବା ଏବଂ ବାପାଙ୍କ ସହ ବଜାରକୁ ଯାଇ ବାଡି ପନିପରିବା ବିକ୍ରି କରିବାକୁ ଭଲ ପାଆନ୍ତି ଅଜୟ।
ତେବେ ସବୁ ଓଲଟପାଲଟ ହୋଇଯାଏ, ଯେତେବେଳେ ଅଜୟଙ୍କ ଦୁର୍ଘଟଣା ଘଟେ। ଗତ ୬ ବର୍ଷ ତଳେ ଅଜୟ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୁଅନ୍ତି। ଅଜୟର ଡାହାଣ ଗୋଡ ଭାଙ୍ଗିଯାଏ। ପ୍ରଥମେ ମାଲକାନଗିରି ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ମେଡିକାଲକୁ ଅଜୟଙ୍କୁ ନିଆଯାଏ। ଏଥିରେ ଗ୍ରାମବାସୀଙ୍କ ସହଯୋଗ ରହିଥିଲା। ଅର୍ଥ ଅଭାବରୁ କୃଷ୍ଣ ବଡ ମେଡିକାଲକୁ ନେବାକୁ ସମର୍ଥ ନଥିଲେ। ଗ୍ରାମବାସୀ ଚାନ୍ଦା କରି ଅଜୟଙ୍କ ଚିକିତ୍ସା କରାଇଲେ। କିନ୍ତୁ ଗୁରୁତର ହେବାକୁ ଡାକ୍ତର ତୁରନ୍ତ ଅଜୟର ଗୋଡକୁ କାଟିବାକୁ ପରାମର୍ଶ ଦେଇଥିଲେ, ଯାହାଫଳରେ ସେ ଚାରି ବର୍ଷ ଧରି ଶଯ୍ୟାସାୟୀ ହୋଇ ପଡି ରହିଥିଲେ।
ଅଜୟଙ୍କୁ ବଞ୍ଚାଇବାକୁ ହେଲେ ତାଂକର ଡାହାଣ ଗୋଡକୁ କାଟିବାକୁ ପଡିଥିଲା। ଏହି ଦୁର୍ଘଟଣା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ସେ ଆଉ ତାଂକର ସାଂଗସାଥିଙ୍କ ସହ ଖେଳିବୁଲି ପାରିନଥିଲେ। କେବଳ ଗୋଟିଏ ସ୍ଥାନରେ ବସି ସେମାନଙ୍କ ଦୌଡିବା, ଖେଳିବା ଦେଖି ଖୁସି ହେଉଥିଲା। ଅଜୟ ବାପାଙ୍କୁ ତାଂକର କାମରେ ସହଯୋଗ କରିବେ ବୋଲି ଯେଉଁ ଆଶା କରିଥିଲେ, ପୁଅର ଏଭଳି ଦୁର୍ଘଟଣା ପରେ ସେହି ଆଶା ମଉଳି ଯାଇଥିଲା।

ତେବେ ଅଜୟ କିନ୍ତୁ ହାର ମାନିବା ଲୋକ ନଥିଲେ। ସେ ବାପାଙ୍କ ଇଛାକୁ ପୂରଣ କରିବା ପାଇଁ ଗୋଟିଏ ଗୋଡରେ ଜମିକୁ ଯାଇ ସମସ୍ତ ପ୍ରକାର କାମ କରିପାରୁଛନ୍ତି। ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ତାଂକୁ ସହଯୋଗ କରୁଛନ୍ତି। ଗୋଟିଏ ପଟେ କଲେଜକୁ ଯାଇ ପାଠ ପଢୁଛନ୍ତି। ଅନ୍ୟପଟେ ବାପାଙ୍କୁ ପନିପରିବାରେ ଲଗାଇବା ଏବଂ ବିକ୍ରି କରିବାରେ ମଧ୍ୟ ସହଯୋଗ କରୁଛନ୍ତି। ଗୋଟିଏ କୃତ୍ରିମ ଗୋଡ ଲଗାଇବା ପାଇଁ ପାଖରେ ସମ୍ବଳ ନଥିବାରୁ ସେ ଗୋଟିଏ ଗୋଡରେ ହିଁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି।
ସକାଳୁ ଉଠି ବିଲକୁ ଯାଇ କାମ କରିବା ପରେ ପନି ପରିବା ଧରି ହାଟ ବଜାରକୁ ମଧ୍ୟ ଅଜୟ ଯାଉଥିବା ବାପା କହନ୍ତି। ସବୁଠାରୁ ବେଶୀ ଅସୁବିଧା ସେତେବେଳେ ହେଉଛି ଯେତେବେଳେ ସେ କଲେଜକୁ ଯିବାକୁ ବାହାରୁଛନ୍ତି। ଗୋଟିଏ ଗୋଡ ନଥିବାରୁ ସେ ବହୁ କଷ୍ଟରେ କଲେଜକୁ ଯାଉଛନ୍ତି। ଅଜୟକୁ ବିକଳାଙ୍ଗ ଭତ୍ତା ମିଳୁଛି ସତ କିନ୍ତୁ ପ୍ରଶାସନ ତରଫରୁ ତାଂକୁ ଆଉ କୌଣସି ସହଯୋଗ ମିଳିଲା ନାହିଁ। ଦିବ୍ୟାଙ୍ଗ ହୋଇ ବି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅଜୟ। ଅଜୟକୁ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ପ୍ରଶାସନ ତରଫରୁ ଗୋଟିଏ କୃତ୍ରିମ ଗୋଡ ଯୋଗାଇ ଦେଲେ ହୁଏତ ସେ ଅନ୍ୟମାନଙ୍କ ସହ ସମକକ୍ଷ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।
The post ଅକ୍ଷମ ହୋଇ ବି ସକ୍ଷମ…ଦିବ୍ୟାଙ୍ଗ ଅଜୟ ପାଠ ପଢିବା ସହ ବାପାଙ୍କୁ କରନ୍ତି ସହଯୋଗ, କୃତ୍ରିମ ଗୋଡ ପାଇଁ ଅର୍ଥର ଅଭାବ first appeared on Sambad.
from ଜିଲ୍ଲା – Sambad https://ift.tt/2ZfHGIr
0 Comments