ଫୁଲବାଣୀ : ଶିଳ୍ପ ଓ ଖଣିଖାଦାନ ବିହୀନ କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ହିଁ ରାଜସ୍ବ ଆଦାୟର ଏକ ପ୍ରମୁଖ ମାଧ୍ୟମ। ମାତ୍ର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉପଯୁକ୍ତ ଭିତ୍ତିଭୂମି ବିକାଶ ହୋଇ ପାରି ନଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିକୁ ଛାଡ଼ିଦେଲେ ଅନ୍ୟ କୌଣସି ପର୍ଯ୍ୟଟନସ୍ଥଳର ବିକାଶ ସମ୍ଭବପର ହୋଇପାରି ନାହିଁ। ଅବହେଳିତ ପର୍ଯ୍ୟଟନସ୍ଥଳୀ ଭିତରେ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତର କାଟ୍ରାମାଲା ପର୍ଯ୍ୟଟନସ୍ଥଳୀ ଅନ୍ୟତମ।
ଫୁଲବାଣୀ ସଦର ମହକୁମାରୁ କଟ୍ରିଙ୍ଗିଆ ଛକରେ ପହଞ୍ଚିବା ପରେ ସେଠାରୁ ଦକ୍ଷିଣକୁ ୧୮ କିଲୋମିଟର ଗଲା ପରେ ପଡ଼ିଥାଏ କାଟ୍ରାମାଲା ଜଳପ୍ରପାତ। ୬୦ ଫୁଟ ଉଚ୍ଚ ପାହାଡ଼ ଉପରୁ ଆସି କାଟ୍ରାମାଲା ଜଳପ୍ରପାତଟି ଏକ ବିଶାଳ ଗଣ୍ଡ ସୃଷ୍ଟି କରିଛି। ଏହି ଗଣ୍ଡରେ ବଡ଼ବଡ଼ ମାଛ ରହିଛନ୍ତି। କାଟ୍ରାମାଲା ଜଳପ୍ରପାତର ଉପରକୁ ପେଞ୍ଜେଇ ଘାଟି ଅବସ୍ଥିତ। ଏଠାରେ ମା’ ପେଞ୍ଜେଇ ଠାକୁରାଣୀ ପୂଜା ପାଆନ୍ତି। କୁହାଯାଏ, ମା’ ପେଞ୍ଜେଇ ଠାକୁରାଣୀ ହିଁ ଏହି ଗଣ୍ଡରେ ମାଛ ଛାଡ଼ିଛନ୍ତି। ଏହି ମାଛଗୁଡ଼ିକ ପେଞ୍ଜେଇ ଠାକୁରାଣୀଙ୍କ ସନ୍ତାନ। ଏଣୁ ଏହି ମାଛକୁ ପେଞ୍ଜେଇ ମାଛ ବୋଲି କୁହାଯାଏ। ଏହି ମାଛଗୁଡ଼ିକ ମଧ୍ୟ ବହୁତ ପ୍ରାଚୀନ। ଏମାନଙ୍କ ଦେହରେ ଲୋମ ଉଠିଥାଏ। ପେଞ୍ଜେଇ ଠାକୁରାଣୀଙ୍କ ମାଛ ହୋଇଥିବାରୁ ଏହାକୁ କେହି ଧରନ୍ତି ନାହିଁ କିମ୍ବା ଭକ୍ଷଣ କରନ୍ତି ନାହିଁ। ପର୍ଯ୍ୟଟକମାନେ ସାଥୀରେ ବିସ୍କୁଟ, ମୁଢ଼ି, ଚୁଡ଼ା ଭଳି ଖାଦ୍ୟ ଆଣିଥାନ୍ତି ଏବଂ ଗଣ୍ଡରେ ପକାଇଲା ମାତ୍ରେ ମାଛ ଗଭୀର ଜଳରାଶିରୁ ଉପରକୁ ଉଠି ଆସନ୍ତି।
କାଟ୍ରାମାଲାରେ ପ୍ରତିବର୍ଷ ମାଘ ମାସରେ ମାଘମେଳା ଅନୁଷ୍ଠିତ ହୋଇଥାଏ। ଏଠାକାର ପ୍ରାକୃତିକ ଶୋଭାରାଜି ଏତେ ମନୋରମ, ପର୍ଯ୍ୟଟକମ‌ାନେ ଏଠାକୁ ଆସିଲେ ଛାଡ଼ିଯିବାକୁ ଇଛା କରନ୍ତି ନାହିଁ। ଏଠାରେ ହରିଣ, କୁଟୁରା, ସମ୍ବର, ବାର୍‌ହା, ଠେକୁଆ, ବଳିଆକୁକୁର ଏବଂ ମୟୂର, ଶୁଆ, ଶାରୀ, ବଣ କୁକୁଡ଼ା ବହୁ ସଂଖ୍ୟାରେ ଦେଖାଯାଆନ୍ତି। ଏଠାକାର କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ମା’ ପେଞ୍ଜେଇଙ୍କୁ ଆରାଧନା କରିଥାନ୍ତି। ଏଣୁ ପେଞ୍ଜେଇ ବୁଢ଼ୀ ଏଠାକାର ଆରାଧ୍ୟା ଦେବୀ। ଯେଉଁମାନେ କାଟ୍ରାମାଲା ବୁଲି ଆସନ୍ତି ସେମାନେ ପ୍ରଥମେ ମା’ ପେଞ୍ଜେଇ ବୁଢ଼ୀଙ୍କ ନିକଟରେ ମୁଣ୍ଡିଆ ମାରିଥାନ୍ତି।
ଅପରପକ୍ଷେ, ଏହି ପର୍ଯ୍ୟଟନସ୍ଥଳକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନଥିବାରୁ ପର୍ଯ୍ୟଟକ ଯାତାୟାତରେ ସମସ୍ୟା ଭୋଗିଥାନ୍ତି। ପାହାଡ଼ିଆ ଏବଂ ଅତ୍ୟନ୍ତ ସଂକୀର୍ଣ୍ଣ ଘାଟି ରାସ୍ତା ହୋଇଥିବାରୁ ପର୍ଯ୍ୟଟକମ‌ାନେ ବହୁ ସତର୍କତାର ସହ ଏଠାକୁ ଆସିଥାନ୍ତି। କାଟ୍ରାମାଲା ଏକ ରାଜ୍ୟସ୍ତରୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ବେଳେ ଏଠାକୁ ରାସ୍ତାଟିଏ ନ ରହିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଅପରପକ୍ଷେ, ଏଠାରେ ଥିବା ମାଛକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ମାରି ଖାଇ ଯାଉଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ରଞ୍ଜିତ କହଁର, ବିଷ୍ଣୁ ଚରଣ ପ୍ରଧାନ, ନବୀନ କହଁର ପ୍ରମୁଖ ଦାବି କରିଛନ୍ତି।

The post ଅବହେଳିତ ପର୍ଯ୍ୟଟନସ୍ଥଳ କାଟ୍ରାମାଲା first appeared on Sambad.



from ଜିଲ୍ଲା – Sambad https://ift.tt/3ph2R7o