
କଟକ : ଭାରତୀୟ ସେନାବାହିନୀର ପ୍ରଥମ ଓଡ଼ିଆ ଅଧିକାରୀ ମେଜର ଜେନେରାଲ୍ ବସନ୍ତ କୁମାର ମହାପାତ୍ରଙ୍କର ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେନାବାହିନୀରେ ସେ ‘ଟ୍ୟାଙ୍କ୍ ମ୍ୟାନ୍’ ଭାବେ ଜଣାଶୁଣା ଥିଲେ।
୧୯୩୩ ମସିହାରେ କଟକରେ ଜନ୍ମିତ ବସନ୍ତ ମହାପାତ୍ର ହେଉଛନ୍ତି ଜଷ୍ଟିସ୍ ହରିହର ମହାପାତ୍ରଙ୍କ ପୁଅ। ରେଭେନ୍ସା କଲିଜିଏଟ୍ରେ ଶିକ୍ଷା ସମାପ୍ତି ପରେ ସେ ସେନାବାହିନୀରେ ଯୋଗ ଦେଇଥିଲେ। ସ୍ବାଧୀନତା ପରେ ସେନାବାହିନୀରେ ଯୋଗ ଦେଇଥିବା ସେ ପ୍ରଥମ ଓଡ଼ିଆ ଅଫିସର୍ ଥିଲେ। ଦୀର୍ଘବର୍ଷ ସେନାବାହିନୀରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାମ କରିଥିଲେ। ୧୯୬୧ରେ ଗୋଆ ସ୍ବାଧୀନତାରେ ସେନାବାହିନୀ ପକ୍ଷରୁ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ସେଠାରେ ସେନାବାହିନୀ ପକ୍ଷରୁ ପ୍ରଥମେ ଜାତୀୟ ପତାକା ଉଡ଼ାଇଥିଲେ। ୧୯୬୨ ଚୀନ୍ ଯୁଦ୍ଧ, ୧୯୬୫ ଓ ୧୯୭୧ ପାକିସ୍ତାନ ଯୁଦ୍ଧରେ ଭାଗ ନେଇଥିଲେ। ସେନାବାହିନୀରେ ସଫଳ ନେତୃତ୍ବ ଓ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଅତି ବିଶିଷ୍ଟ ସେବା ମେଡାଲ୍(ଏଭିଏସ୍ଏମ୍) ପ୍ରଦାନ କରାଯାଇଥିଲା। ଭାରତୀୟ ସେନାର ପ୍ରଥମ ଟ୍ୟାଙ୍କ୍ ସ୍ପେସାଲିଷ୍ଟ୍ ଭାବେ ବିଶେଷ ଦକ୍ଷତା ପ୍ରତିପାଦନ କରିଥିବାରୁ ସେନାବାହିନୀରେ ତାଙ୍କୁ ‘ଟ୍ୟାଙ୍କ୍ ମ୍ୟାନ୍’ ବୋଲି ସମ୍ବୋଧନ କରାଯାଉଥିଲା।
ଚାକିରିରୁ ଅବସର ନେବା ପରେ ସେ ଗତ ୨୫ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ। ଡିଏଭି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ର ସେ ଚେୟାର୍ମ୍ୟାନ୍ ରହିବା ସହ, ରୋଟାରି ଅନୁଷ୍ଠାନ, ଦାତବ୍ୟ ଚିକିତ୍ସାଳୟ, ଜରାଶ୍ରମ, ଦୃଷ୍ଟିହୀନ ଆଶ୍ରମ ଓ ଅନ୍ୟାନ୍ୟ ଅନେକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ରାଷ୍ଟ୍ରପତିଙ୍କ ଦ୍ବାରା ସେ ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟ ନିର୍ବାହୀ ପରିଷଦକୁ ମନୋନୀତ ହୋଇଥିଲେ। ‘ଥିଙ୍କ୍ ଟ୍ୟାଙ୍କ୍’ ଫାଉଣ୍ଡେସନ୍ର ଉପ-ସଭାପତି ରହିଥିବା ମେଜର୍ ଜେନେରାଲ୍ ମହାପାତ୍ର ଲକ୍ଷ୍ମୌ, ଆହ୍ଲାବାଦ୍ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଅତିଥି ଅଧ୍ୟାପକ ଥିଲେ। ଆଜି ସକାଳେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ସେ ନିଜର ନିୟମିତ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସାଢ଼େ ୧୦ଟା ବେଳେ ତାଙ୍କର ପରଲୋକ ଘଟିଥିଲା। ଶେଷ ସମୟରେ ତାଙ୍କ ନିକଟରେ ପୁଅ ଆଇନଜୀବୀ ରାଜନ୍ ମହାପାତ୍ର, କନ୍ୟା ରମା ଗୁରୁ ଓ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ। ସଂଧ୍ୟାରେ କଟକରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
The post ‘ଟ୍ୟାଙ୍କ୍ମ୍ୟାନ୍’ ଆଉ ନାହାନ୍ତି first appeared on Sambad.
from ଜିଲ୍ଲା – Sambad https://ift.tt/3boJq7V
0 Comments