
କୋରାପୁଟ : କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏସ୍ଏନ୍ସିୟୁରୁ ଚୋରି ହୋଇଥିବା ମାତୃହରା ନବଜାତକ ପରିବାର କୋଳକୁ ଫେରିଛି। ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଭିଯୋଗକାରୀଙ୍କ କେତେଜଣ ସମ୍ପର୍କୀୟ ରହିଛନ୍ତି।
ସୂଚନା ଅନୁସାରେ, ଗତ ୯ତାରିଖ ସକାଳେ ନରସିଂହ ଗୌଡ଼ଙ୍କ ପତ୍ନୀ ତୁଲସିନା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଡାକ୍ତରଖାନା ଶିଶୁକନ୍ୟାକୁ ପ୍ରସବ କରିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ଶେଷକୃତ୍ୟ ସାରି ନରସିଂହ ୧୧ତାରିଖରେ କୋରାପୁଟ ଫେରି ମେଡିକାଲ କଲେଜ ଓ ହସ୍ପିଟାଲର ଏସଏନସିୟୁରେ ନିଜ ଶିଶୁକନ୍ୟାକୁ ଖୋଜିଥିଲେ କିନ୍ତୁ ପାଇନଥିଲେ। ନରସିଂହ ମେଡିକାଲ କଲେଜ କର୍ମଚାରୀଙ୍କୁ ଛୁଆ କଥା ପଚାରିବାରୁ କେହି କୌଣସି ଉତ୍ତର ଦେଇପାରି ନଥିଲେ। ଶେଷରେ ବାଧ୍ୟ ହୋଇ ପୁଲିସର ସହାୟତା ନେଇଥିଲେ। ପୁଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ୪୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ, ପୁଲିସ ଫୁଫୁଗାଁରେ ପହଞ୍ଚି ଡିସିପିଓଙ୍କ ସହାୟତାରେ ଶିଶୁକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲ୍ଲା ସିଲଟାଗୁଡ଼ା ଗାଁର ବଙ୍ଗାରୀ ଗୌଡ଼ (୪୫), ବାସନ୍ତୀ ଗୌଡ଼ (୪୮), ତେନ୍ତୁଳିଖୁଣ୍ଟି କଙ୍ଗାରି ଗାଁର ଟୁନା ହରିଜନ (୩୫), ବି.ସିଂହପୁର ମୁଣ୍ଡାଗୁଡ଼ା ଅଞ୍ଚଳର ହେମନ୍ତ ମହୁରିଆ (୩୮) ଓ ରଞ୍ଜିତା ମହୁରିଆ (୨୮)। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଘଟଣାରେ ଅଭିଯୋଗକାରୀ ନରସିଂହ ଗୌଡ଼ଙ୍କର ଦୁଇଜଣ ସମ୍ପର୍କୀୟ ଶିଶୁ ଚୋରିରେ ସଂପୃକ୍ତ ରହିଛନ୍ତି। ଶାଶୂ ବଙ୍ଗାରୀ ଗୌଡ଼ ଓ ଦେଢ଼ଶାଶୂ ବାସନ୍ତୀ ଗୌଡ଼ ଶିଶୁକନ୍ୟାକୁ ଗାଏବ କରିବାରେ ସହଯୋଗ କରିଥିବା କୋରାପୁଟ ଏସ୍ଡିପିଓ ଗୁଣନିଧି ମଲ୍ଲିକ ଓ ଟାଉନ ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି।
The post ମେଡିକାଲ କଲେଜ ଶିଶୁ ଚୋରି ଘଟଣାରେ ୫ ଗିରଫ : ବାପା କୋଳକୁ ଫେରିଲା ମାତୃହରା ଶିଶୁ first appeared on Sambad.
from ଜିଲ୍ଲା – Sambad https://ift.tt/3b87ICN
0 Comments