ବଡ଼ଗାଁ: ମହାଭାରତରେ ଧ୍ରୁତରାଷ୍ଟ୍ରକୁ ବିବାହ କରିବା ପୂର୍ବରୁ ଗାନ୍ଧାରୀ ପ୍ରଥମେ ଏକ ଛେଳିକୁ ବିବାହ କରିଥିଲେ। ବିଭିନ୍ନ ଦୋଷ ଦୂର ପାଇଁ କେହି କେହି କୁକୁର, ମାଙ୍କଡ଼ ଓ ଗଛକୁ ବିବାହ କରୁଥିବା ନଜିର ରହିଛି। କିଛି ଦିନ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ବାଗବୁଡ଼ ଗାଁର ଜଣେ ଯୁବତୀ ଏକ ସାହାଡ଼ା ଗଛକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। ବିବାହ ବୟସ ଗଡ଼ିଯିବାରୁ ପିତୃପୁରୁଷଙ୍କ ଠାରୁ ଆଶିର୍ବାଦରୁ ବଞ୍ଚିତ ହେବା ଭୟରେ ପରିବାର ଲୋକେ ଏଭଳି କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ସାହାଡ଼ା ଗଛକୁ ବିବାହ କରିଥିବା ଯୁବତୀଙ୍କ ବୟସ ମାତ୍ର ୩୨ ବର୍ଷ। କିନ୍ତୁ ତାଙ୍କ ଜାତି ସମାଜର ନିୟମ ଅନୁସାରେ ଯୁବତୀଙ୍କ ବୟସ ବିବାହ ବୟସ ଠାରୁ ଅଧିକ। ସମାଜର ଲୋକଙ୍କ ବିଶ୍ବାସ ଅନୁଯାୟୀ, ଝିଅ କୌଣସି କାରଣରୁ ଅବିବାହିତ ରହିଲେ ପିତୃପୁରୁଷଙ୍କ ଜନ୍ମ ଜନ୍ମାନ୍ତର ଆଶୀର୍ବାଦ ପରିବାର ଲୋକେ ବଞ୍ଚିତ ହୁଅନ୍ତି। ଏହି ଯୁବତୀଙ୍କ ବିବାହ ନ ହେବାରୁ ପରିବାର ଲୋକେ ଏକ ସାହାଡ଼ା ଗଛ ସହିତ ତାକୁ ବିବାହ ଦେବାକୁ ନିଷ୍ପତ୍ତି ନେଇଥିଲେ। ବାଧ୍ୟ ହୋଇ ଯୁବତୀଜଣଙ୍କ ଏଥିରେ ସମ୍ମତ ଜଣାଇଥିଲେ। ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସାହାଡ଼ା ଗଛକୁ ସେ ପତି ଭାବେ ଗ୍ରହଣ କରିଥିଲେ। ଏଥିରେ ପଣ୍ଡିତ ମଧ୍ୟ ବିବାହ ରୀତିନୀତି ଅନୁସାରେ ମନ୍ତ୍ରପାଠ କରିଥିଲେ। ଏହି ଉତ୍ସବରେ ଖୁସିରେ ସମସ୍ତେ ସାମିଲ ହୋଇ ଭୋଜିଭାତ ମଧ୍ୟ ଖାଇଥିଲେ। ଆଧୁନିକ ଯୁଗରେ ଲୋକଙ୍କ ଏଭଳି ଅନ୍ଧବିଶ୍ବାସକୁ ଦୂର କରିବାକୁ ପ୍ରଶାସନ ଆଗେଇ ଆସିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
The post ପିତୃ ପୁରୁଷଙ୍କ ଅଭିଶାପ ଭୟରେ ସାହାଡ଼ା ଗଛକୁ ବିବାହ କଲେ ଯୁବତୀ first appeared on Sambad.
from ଜିଲ୍ଲା – Sambad https://ift.tt/3pF9QHC
0 Comments