ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଖଗସା ପଂଚାୟତରେ ବିଲ୍‌ ଭାଉଚର କରି କେମିତି ଏସ୍‌ଏଫ୍‌ସି, ସିଏଫ୍‌ସି ପାଣ୍ଠିରୁ ଟଙ୍କା ଉଠାଯାଇଛି, ତାହାର ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି। ଏଥିରୁ ଜଣାପଡ଼ିଛି ଯେ ଇଲେକ୍ଟ୍ରିକ୍ ଦୋକାନରୁ ବି ଗଦି, ବେଡ୍‌ସିଟ୍‌ ଭଳି ସାମଗ୍ରୀ କିଣାଯାଇଛି! ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦାଦନପ୍ରବଣ ବ୍ଲକର ପଂଚାୟତଗୁଡ଼ିକରେ ଖୋଲାମେଲା ଦୁର୍ନୀତି କରିଛନ୍ତି ପଂଚାୟତ ଇଓ ଓ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ।

ସୂଚନା ଅନୁସାରେ, ଏହି ପଂଚାୟତରେ ବିଲ୍‌ ଭାଉଚରକୁ ଅନୁଧ୍ୟାନ କରିବା ପରେ ଦୁର୍ନୀତିର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ପଂଚାୟତର ସରପଞ୍ଚ ଇଲେକ୍ଟ୍ରି ଦୋକାନରୁ ଗଦି, ବେଡ୍‌ସିଟ, ତକିଆ, ତକିଆ କଭର୍‌, ଫୁଟ୍‌ମ୍ୟାଟ୍‌, ଡଷ୍ଟବିନ୍‌, ହାର୍‌ପିକ୍‌, ଫିନାଇଲ୍‌, ହ୍ୟାଣ୍ଡୱାସ୍‌, ସାନିଟାଇଜର, ଟୁଥ୍‌ବ୍ରସ୍‌, ଟୁଥ୍‌ପେଷ୍ଟ, ସାବୁନ, ବକେଟ, ମଗ, ତେଲ, ରେଜର, ମସ୍‌କ୍ବିଟୋ କଏଲ ଭଳି ଅନେକ ସାମଗ୍ରୀ କିଣିଥିବା ଦର୍ଶାଇଛନ୍ତି। ଇଲେକ୍ଟ୍ରି ଦୋକାନର ବିଲ୍‌ ସେ ଦାଖଲ କରିଛନ୍ତି। ପାଟଣାଗଡ଼ର ଏକ ଇଲେକ୍ଟ୍ରି ଦୋକାନର ନାଁ ବିଲ୍‌ରେ ଉଲ୍ଲେଖ ଅଛି। ଇଲେକ୍ଟ୍ରି ଦୋକାନରେ ଏସବୁ ସାମଗ୍ରୀ ମିଳିଲା କେମିତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ, ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପାଟଣାଗଡ଼ର ଯେଉଁ ଦୋକାନର ବିଲ୍‌ ଦାଖଲ କରାଯାଇଛି ସେହି ଦୋକାନରେ ଏଭଳି କୌଣସି ସାମଗ୍ରୀ ମିଳେନାହିଁ। ଅନ୍ୟପଟେ ପ୍ରାୟ ୧୭ ଲକ୍ଷ ଟଙ୍କାର ବିଲ୍‌ ଗୁଡ଼ିକ ପଂଚାୟତ ଇଓ ଏବଂ ସରପଞ୍ଚ ଦାଖଲ କରିଛନ୍ତି। ଅନ୍ୟପଟେ ବଜାରରେ ଗୋଟିଏ ୩ଇଞ୍ଚ ଗଦିକୁ ଯେତିକି ଦର ତାହାଠୁ ଅଧିକ ଦର ଦର୍ଶାଯାଇଛି। କଣ୍ଟାବାଞ୍ଜିରୁ କମ୍‌ ସାମଗ୍ରୀ କିଣାଯାଇଥିବା ବେଳେ ଅଧିକାଂଶ ସାମଗ୍ରୀ ପାଟଣାଗଡ଼ ଇଲେକ୍ଟ୍ରି ଦୋକାନରୁ କିଣାଯାଇଛି। ଖଗସାରୁ କଣ୍ଟାବାଞ୍ଜି ପାଖ ପଡୁଥିଲେ ବି ଏତେ ଦୂର ଆସି ପାଟଣାଗଡ଼ରୁ କେମିତି ସାମଗ୍ରୀ କିଣିଲେ? ଖଗସା ପଂଚାୟତରେ ଟିଏମ୍‌ସି ସେଣ୍ଟର ନିର୍ମାଣରୁ ନେଇ ଯାହା ସବୁ ସାମଗ୍ରୀ କିଣାଯାଇଛି ସବୁଥିରେ ଦୁର୍ନୀତି କରାଯାଇଥିବା ସ୍ପଷ୍ଟ ହୋଇଛି।

ବଲାଙ୍ଗୀର ଭଳି ଦାଦନପ୍ରବଣ ଜିଲ୍ଲାରେ ଏହିଭଳି ଦୁର୍ନୀତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସରକାର ବିଶ୍ୱାସ କରି ଯେଉଁମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ସେମାନଙ୍କ ଦୁର୍ନୀତି ଏବେ ମାଳମାଳ। ଏସବୁର ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି।

The post ଦାଦନ ଗଡ଼ରେ ଦୁର୍ବିପାକରୁ ମାଲାମାଲ : ଇଲେକ୍‌ଟ୍ରିକ୍ ଦୋକାନରୁ କିଣିଛନ୍ତିି ଗଦି, ବେଡ୍‌ସିଟ୍‌! first appeared on Sambad.



from ଜିଲ୍ଲା – Sambad https://ift.tt/37t4dpp