
ଜଗତସିଂହପୁର: ପାରାଦୀପ ବନ୍ଦରାଞ୍ଚରେ ରହୁଥିବା ତେଲୁଗୁ ଭାଷାଭାଷୀ ଏବେ ଆନ୍ଧ୍ରପ୍ରଦେଶ ପଂଚାୟତ ନିର୍ବାଚନର ଭୋଟ୍ ବ୍ୟାଙ୍କ୍। ଏଠାରେ ଥିବା ଶହଶହ ଭୋଟର ଏବେ ଆନ୍ଧ୍ର ମୁହାଁ। ନୂଆ ନୂଆ ବସ୍ ଲାଗୁଛି। ପ୍ରତି ଦିନ ହାରାହାରି ୧୦ଟି ନୂଆ ବସ୍ ଲାଗୁଛି। ସାହି ଲୋକ ବସ୍ରେ ଭର୍ତ୍ତି ହୋଇ ଆନ୍ଧ୍ର ଯାଉଛନ୍ତି। ଏଭଳି ରୋଚକ ଦୃଶ୍ୟ ସମ୍ପର୍କରେ ଅନୁସନ୍ଧାନ କଲାରୁ ସେମାନେ ଏବେ ଭୋଟ୍ ଦେବାକୁ ଆନ୍ଧ୍ର ମୁହାଁ ହୋଇଥିବା ଜଣାପଡ଼ିଛି। ତେବେ ବର୍ଷ ବର୍ଷ ଧରି ପାରାଦୀପରେ ରହି ଏହି ତେଲୁଗୁ ଭାଷାଭାଷୀ ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନାକୁ ଉପଭୋଗ କରୁଛନ୍ତି। ଷଣ୍ଢକୁଦ ବସ୍ତିରେ ପାରାଦୀପ ପୌରପାଳିକା ପକ୍ଷରୁ ସେମାନଙ୍କୁ ନିବାସୀ ପ୍ରମାଣପତ୍ର, ରାସନକାର୍ଡ, ସବୁ ପ୍ରକାର ଭତ୍ତା ଭଳି ଏକାଧିକ ଯୋଜନା ଖଞ୍ଜି ଦିଆଯାଇଛି। ମାତ୍ର ବର୍ତମାନ ଆନ୍ଧ୍ର ପ୍ରଦେଶରେ ପଂଚାୟତ ନିର୍ବାଚନ ଥିବାରୁ ସେମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଗୁରୁତ୍ବପୂର୍ଣ୍ଣ ହେଲା ଷଣ୍ଢକୁଦ ଅଂଚଳର ଜଣେ ପୂର୍ବତନ ପାରିଷଦଙ୍କ ବାପା ସେଠାରେ ସରପଂଚ ପ୍ରାର୍ଥୀ ହୋଇଥିବା ଶୁଣିବାକୁ ମିଳୁଛି। ପାରାଦୀପର ଷଣ୍ଢକୁଦ ବସ୍ତିରେ ତିନିଟି ୱାର୍ଡ ୧୬, ୧୭ ଓ ୧୮ ରହିଛି। ସେଥିରୁ ୧୭ ଓ ୧୮ ନମ୍ବର ୱାର୍ଡରେ ୯୦ ପ୍ରତିଶତ ତେଲୁଗୁ ଭାଷାଭାଷୀ ଲୋକ ରୁହନ୍ତି। ସେମାନେ ଏଠାରେ ମତ୍ସ୍ୟଜୀବୀ , ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଦୀର୍ଘ ଦିନ ଧରି ଏହି ବସ୍ତିରେ ରହିବା କାରଣରୁ ସମସ୍ତଙ୍କୁ ନିବାସୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ଘରଡିହ ସେମାନଙ୍କ ନାଁରେ ହୋଇସାରିଥିବାରୁ ସବୁ ପ୍ରକାର ସରକାରୀ ସୁବିଧା ସେମାନେ ହାସଲ କରୁଛନ୍ତି। ମାତ୍ର ଅସଲରେ ଏହି ଲୋକମାନେ ଓଡ଼ିଶା ସରକାରଙ୍କୁ ଏକ ପ୍ରକାର ଠକି ଚାଲିଥିବା ଅଭିଯୋଗ ହେଉଛି।
ଗତ ତିନି ଦିନ ଧରି ଷଣ୍ଢକୁଦରେ ପ୍ରତ୍ୟେକ ଦିନ ୧୦ରୁ ଅଧିକ ବସ୍ରେ ଭୋଟ ପାଇଁ ଲୋକ ବୁହା ଚାଲିଛି। ଏବେ ବି ଆଉ କେତେକ ଲୋକ ଆନ୍ଧ୍ର ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଏହି ଲୋକମାନେ ରାଜ୍ୟ ପାର୍ ହୋଇ କିପରି ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି, ଅର୍ଥାତ ଉଭୟ ରାଜ୍ୟର ଭୋଟର ପରିଚୟପତ୍ର ହାତେଇ ଦୁଇ ରାଜ୍ୟରେ ଭୋଟ ଦେବାରେ ସକ୍ଷମ ହେଉଛନ୍ତି, ଦୁଇଟି ରାଜ୍ୟର ସରକାରଙ୍କୁ ବୋକା ବନାଇ ଦୁଇଟି ସ୍ଥାନରେ ସେମାନେ ଭୋଟର ପରିଚୟପତ୍ର କିପରି ହାତେଇଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ। କେବଳ ଷଣ୍ଢକୁଦ ନୁହେଁ ନୂଆବଜାର ଅଂଚଳରେ ଥିବା ଏକ ବସ୍ତିରୁ ମଧ୍ୟ ଭୋଟ୍ ଦେବାକୁ ଲୋକମାନେ ଆନ୍ଧ୍ର ଯାଉଛନ୍ତି। ବସ୍ତିରେ ଅଧିକାଂଶ ଘରେ ଏବେ ତାଲା ଝୁଲୁଛି। ସମ୍ପୂର୍ଣ୍ଣ ବସ୍ତି ଅଂଚଳ ଏବେ ଖାଁ ଖାଁ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏ କଥା ସମସ୍ତେ ଜାଣି ମଧ୍ୟ କିଛି ନ ଜାଣିବା ପରି ଅଭିନୟ କରୁଛନ୍ତି। ଏମାନେ ଆନ୍ଧ୍ରରେ ପହଁଚି ଭୋଟ୍ ଦେଉଥିବା ବେଳେ ଅନୁରୂପ ଭାବେ ପାରାଦୀପ ପୌରପାଳିକା ଓ ସାଧାରଣ ନିର୍ବାଚନରେ ମଧ୍ୟ ଭୋଟ୍ ଦେଉଛନ୍ତି। ଏଣୁ ଭୋଟ୍ ବ୍ୟାଙ୍କ୍ କାଳେ ବିଗିଡ଼ି ଯିବ ରାଜନେତା ସବୁ ଜାଣି ଚୁପ୍ ରହିଛନ୍ତି। ପାରାଦୀପ ପୌର ପ୍ରଶାସନ ନିକଟରେ ମଧ୍ୟ ଏ ନେଇ କୌଣସି ଖବର ନାହିଁ। ଏ ନେଇ ପାରାଦୀପ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟ କୁହନ୍ତି ଯେ, ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ପାରାଦୀପ ପୌରପାଳିକାର ସମସ୍ତ ପ୍ରମାଣପତ୍ର ମଧ୍ୟ ସେମାନେ ହାସଲ କରିଛନ୍ତି। ଏଣୁ ସେଠାରେ ନିର୍ବାଚନ ଚାଲିଥିବାରୁ ଆନ୍ଧ୍ର ସରକାର ଏ ନେଇ ତଦନ୍ତ କରିବା ଆବଶ୍ୟକ। ତଥାପି ପୌର ପ୍ରଶାସନ ଏ ନେଇ ତଦନ୍ତ କରି ପଦକ୍ଷେପ ନେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।
The post ପ୍ରତ୍ୟେକ ଦିନ ବସ୍ରେ ବୁହା ହେଉଛନ୍ତି ଲୋକ; ଆନ୍ଧ୍ରର ଭୋଟ୍ ବ୍ୟାଙ୍କ୍ ପାରାଦୀପରେ ! first appeared on Sambad.
from ଜିଲ୍ଲା – Sambad https://ift.tt/36XADYX
0 Comments